ଢେଙ୍କାନାଳ : ଢେଙ୍କାନାଳରେ ଚାଞ୍ଚଲ୍ୟ । ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ କିଛି ମାସ ଧରି ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ୭ମାସର ଗର୍ଭବତୀ ହେବା ପରେ ଘଟଣାର ପର୍ଦ୍ଦାଫାସ । ଅଭିଯୋଗ ପରେ ୪ ଜଣଙ୍କୁ ଅଟକ ରଖି ପୋଲିସର ତଦନ୍ତ ଆରମ୍ଭ । ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅଧୀନ ମହୁଲପଞ୍ଜି ଗାଁରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି ।
ଏକ ପରିତ୍ୟକ୍ତ ଘରେ ନିଜ ମାନସିକ ଅନଗ୍ରସର ବାପାଙ୍କ ସହ ରହୁଥିବା ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଯୁବତୀଙ୍କୁ ସେହି ଗାଁର ୭ ଜଣ ଯୁବକ ଅଙ୍ଗନୱାଡ଼ି କେନ୍ଦ୍ର ଛାତ ଉପରକୁ ନେଇ ଗତ କିଛି ମାସ ଧରି ପାଶବିକ ଅତ୍ଯାଚାର କରିଥିଲେ । ଯୁବତୀ ଜଣକ ୭ ମାସର ଗର୍ଭବତୀ ହେବା ପରେ ସଖୀ ସେଣ୍ଟର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା ।
ରାତି ୧୦ଟାରୁ ୨ଟା ପର୍ଯ୍ୟନ୍ତ ଏଭଳି ଜଘନ୍ୟ କାର୍ଯ୍ୟ କରୁଥିଲେ ୭ ଯୁବକ । ଅଭିଯୋଗ ପରେ ଯୁବତୀଙ୍କୁ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଥିବା ସକ୍ଷୀ କେନ୍ଦ୍ରରେ ରଖାଯାଇଛି । ପୋଲିସ ଘଟଣାର ତଦନ୍ତ କରିବା ସହ ଆଜି ୪ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ସଦର ଥାନା ଅଧିକାରୀ ଏବଂ ଭାପୁର ଫାଣ୍ଡି ଅଧିକାରୀ ପୀଡିତାଙ୍କ ଗାଁକୁ ଯାଇ ତାଙ୍କ ପରିତ୍ୟକ୍ତ ଘର ବୁଲି ଦେଖିଛନ୍ତି । ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସଦର ଆନା ଅଧିକାରୀ ଦୀପକ କୁମାର ଲେଙ୍କା ପ୍ରକାଶ କରିଛନ୍ତି ।