ତିନି ଗଣଦୁଷ୍କର୍ମକାରୀ ଯୁବକ ଗିରଫ

ବ୍ରହ୍ମପୁର (କେନ୍ୟୁଜ୍) : ଗଞ୍ଜାମ ଜିଲ୍ଲାରେ ପୁଣି ଲଜ୍ଜା । କବିସୂର‌୍ୟ୍ୟନଗର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଘରୁ ଟେକି ନେଇ ଗଣ ଦୁଷ୍କର୍ମ ହୋଇଥିବା ଘଟଣା ଲୋକଙ୍କ ମନରୁ ଲିଭି ନଥିବାବେଳେ ପୁଣି ଗୋଳନ୍ଥରା ଥାନା ଅନ୍ତର୍ଗତ ଦୁମୁଦୁମି ଗାଁରେ ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ସଂପକ୍ତି ଥିବା ଅଭିଯୋଗରେ ସେହି ଗ୍ରାମର ତିନି ଜଣ ଯୁବକଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି ।

ଗତ ୧୫ ତାରିଖ ସଂଧ୍ୟାରେ ନାବାଳିକା ଜଣକ ଘରୁ ନିଜ ମାଁ ଯାଇଥିବା ତେଜରାତି ଦୋକାନକୁ ଡାକିବାକୁ ଯାଇଥିବା ବେଳେ ଗାଁର ତିନି ଜଣ ଯୁବକ ନାବାଳିକାକୁ ଟେକି ନେଇ ଗାଁର ଥିବା ଓଡିଆରପି କଲୋନୀର ପଛ ପଟ ଏକ ଜମିରେ ଗଣ ଦୁଷ୍କର୍ମ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏନେଇ ନାବାଳିକା ଜଣକ ନିଜ ଘରକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲା । ପରେ ପରିବାର ଲୋକେ ଗତ କାଲି ଗୋଳନ୍ଥରା ଥାନାରେ ଏତଲା ଦେଇଥିଲେ ।

ପୋଲିସ ଘଟଣାର ତଦନ୍ତ କରି ଗାଁର ତିନି ଜଣ ଯୁବକ କାହ୍ନୁ ପାତ୍ର, ସୁଦର୍ଶନ ନାୟକ ଓ ତୋଫାନ ନାୟକଙ୍କୁ ଆଜି ଗିରଫ କରିଛି । ଗିରଫ ତିନି ଯୁବକ ସମେତ ପୀଡିତା ନାବାଳିକାର ବ୍ରହ୍ମପୁର ବଡ଼ ମେଡିକାଲରେ ଡାକ୍ତରୀ ମାଇନା କରାଯାଇଛି । ଆଜି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସଦର ଏସଡିପିଓ ଅଶୋକ ମହାନ୍ତି ସୂଚନା ଦେଇଛନ୍ତି ।