ନାବାଳିକା ସହ ଦୁଷ୍କର୍ମ, ୬୦ ବର୍ଷୀୟ ବୃଦ୍ଧର କଳା କାରନାମା

ପୁଣି ଲଜ୍ଜା । ମଣିଷ ପାଲଟି ଯାଇଛି ପିଶାଚ । ଦେହର ଭୋକକୁ ମେଣ୍ଟାଇବା ପାଇଁ ନିଜ ନାତୁଣୀ ବୟସର ଛାତ୍ରୀଙ୍କ ସହ କଲା ଦୁଷ୍କର୍ମ । ବୟସ ୬୦ କିନ୍ତୁ ଯୌନ ଲାଳସାରେ ବୁଡି ନାବାଳିକା ଝିଅକୁ ବି ଛାଡ଼ିଲାନି । ନା ଥିଲା ତାର ପୋଲିସକୁ ଭୟ ନା ଥିଲା ଆଇନର ଭୟ । ନାତୁଣୀ ବୟସର ଝିଅକୁ ଦେଖି ଦୋକାନ ଘର ଭିତରକୁ ଭିଡି ନେଲା । ଆଉ କେହି ନଥିବାର ସୁଯୋଗ ନେଇ ଛାତ୍ରୀଙ୍କୁ ମାଡି ବସିଲା ଦୁଷ୍କର୍ମକାରି । ମନ ଇଛା ନିଜ ଭୋକ ମେଣ୍ଟାଇଲା ଆଉ ପରେ ଝିଅକୁ ଛାଡି ଫେରାର ହୋଇଗଲା । ଭାବିଥିଲା ପୋଲିସ ଟେର ବି ପାଇବନି । କିନ୍ତୁ ଏଭଳି ଅଭିଯୁକ୍ତକୁ ଧରିବା ପାଇଁ ଅଣ୍ଟା ଭିଡି ଥିଲା ପୋଲିସ । ଆଉ କୌଶଳ କ୍ରମେ ଅଭିଯୁକ୍ତକୁ ଧରିବାରେ ପୋଲିସ ସଫଳ ହୋଇଛି । ଏଭଳି ଅଭାବନୀୟ ଘଟଣା ଯାଜପୁର ଟାଉନ ମଙ୍ଗଳପୁର ଥାନା ଅଞ୍ଚଳରେ ଘଟିଯାଇଛି ।

ନବମ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ୬୦ବର୍ଷୀୟ ବୃଦ୍ଧକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଉଛି ମଙ୍ଗଳପୁର ଥାନା ଅଞ୍ଚଳର ରବିନାରାୟଣ ସାହୁ । ଅଭିଯୋଗ ମୁତାବକ ମଙ୍ଗଳପୁର ଥାନା ଅଞ୍ଚଳରେ ଜନୈକ ୧୬ ବର୍ଷୀୟ ନାବାଳିକା ଲଙ୍କା ଗୁଣ୍ଡ କିଣିବାକୁ ଗାଁରେ ଥିବା ରବିନାରାୟଣ ସାହୁଙ୍କ ଦୋକାନକୁ ଯାଇଥିଲେ । ଏହି ସମୟରେ ଛାତ୍ରୀଙ୍କୁ ଏକୁଟିଆ ଦେଖି ଦୋକାନୀ ରବି ସାହୁ ନାବାଳିକାଙ୍କୁ ଜୋର ଜବରଦସ୍ତ କରି ଘର ଭିତରକୁ ଟାଣି ନେଇଥିଲା । ପରେ ଛାତ୍ରୀଙ୍କ ସହ ଅସଦାଚରଣ କରିଥିଲା ଅଭିଯୁକ୍ତ ।

ଘରକୁ ଫେରିବାରେ ବିଳମ୍ବ ହେବାରୁ ପୀଡିତାଙ୍କ ମା ଖୋଜି ଖୋଜି ଦୋକାନରେ ପହଁଚିଥିଲେ । ଆଉ ଦୋକାନରେ ଯାହା ଦେଖିଥିଲେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଝିଅର ଅବସ୍ଥା ଦେଖି ଧର୍ଯ୍ୟହରା ହୋଇ ପଡ଼ିଥିଲେ । କିନ୍ତୁ ସାହସ ଯୁଟାଇ ଝିଅକୁ ସେଠାରୁ ଉଦ୍ଧାର କରିଥିଲେ । ପରେ ଏନେଇ ମଙ୍ଗଳପୁର ଥାନାରେ ଅଭିଯୋଗ କରିଥିଲେ ପୀଡିତାଙ୍କ ମାଆ । ଅଭିଯୋଗକୁ ଭିତ୍ତି କରି ଥାନା ଅଧିକାରିଣୀ ଚିନ୍ମୟୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ରବିନାରାୟଣ ସାହୁକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ନିଜ ଝିଅ ସହ ହୋଇଥିବା ଅନ୍ୟାୟର ନ୍ୟାୟ ଚାହୁଁଛନ୍ତି ବାପା ମାଆ । ତୁରନ୍ତ ଦୋଷୀକୁ ଦଣ୍ଡ ଦିଆ ଯାଉ ତାହା ହିଁ ବାପା ମାଆ ଦାବି କରିଛନ୍ତି ।

You might also like