ଅପହରଣ ପରେ ଉଦ୍ଧାର ହୋଇଥିବା ଝିଅ କନ୍ୟା ଆଶ୍ରୟସ୍ଥଳରୁ ପୁଣି ନିଖୋଜ

ଭଦ୍ରକ: ଅପହରଣ ତାପରେ ଉଦ୍ଧାର, ଉଦ୍ଧାର ପରେ ପୁଣି ନିଖୋଜ । ଚାଲିଛି ଲୁଚକାଳି ଖେଳ । ହେଲେ କିଏ ଖେଳୁଛି କାହା ସହ ଖେଳୁଛି?, କଣ ମାମଲା ? କିଛି ବି ବୁଝାପଡୁନି ନା ଦର୍ଶକବନ୍ଧୁ । ଆମେ ବି କିଛି ବୁଝିପାରୁନୁ କଣ ଚାଲିଛି ଏହି ଘଟଣାରେ । ଏ ଦମ୍ପତି ଯାହାଙ୍କ ହାତରେ ଅଭିଯୋଗର ଲମ୍ବା କାଗଜ । ଆସିଛନ୍ତି ନ୍ୟାୟ ଦାତା ପୋଲିସ୍ ପାଖକୁ । ତାଙ୍କ ଅଲିଅଳି ଝିଅକୁ କିଏ ନେଇଯାଇଛି । ହେଲେ ଘଟଣାରେ ରହିଛି ଟିକେ ଟୁଇଷ୍ଟ । ତାହା ହେଉଛି କି, ଅପହରଣ ହୋଇଥିବା ଝିଅକୁ ପୋଲିସ୍ ଉଦ୍ଧାର କରିଥିଲା ହେଲେ ଏବେ ପୁଣି ଥରେ ସେହି ଝିଅ କୁଆଡେ ନିଖୋଜ ।
ତେବେ ଯାହା ସୂଚନା ମିଳିଛି କି, ପ୍ରଥମେ ଅପହରଣ ହୋଇଥିବା ଝିଅକୁ ପୋଲିସ୍ ଉଦ୍ଧାର କରି କନ୍ୟା ଆଶ୍ରୟସ୍ଥଳରେ ରଖିଥିଲା । ହେଲେ ଦୁଃଖର କଥା ଏବେ ସେହି ଉଦ୍ଧାର ହୋଇଥିବା ଝିଅ କୁଆଡେ କନ୍ୟା ଆଶ୍ରୟ ସ୍ଥଳରୁ ନିଖୋଜ ହୋଇଯାଇଛି । ଯାହାଫଳରେ ନିଜ ଝିଅକୁ ଉଦ୍ଧାର ପାଇଁ ପୋଲିସକୁ ବାରମ୍ବାର ଜଣାଉଥିଲେ ମଧ୍ୟ ପୋଲିସ୍ କିଛି ପଦକ୍ଷେପ ନେଉ ନଥିବାରୁ ଝିଅର ଜୀବନ ରକ୍ଷା ପାଇଁ ଏସପିଙ୍କ ନିକଟରେ ଗୁହାରି କରିଛନ୍ତି ନିଖୋଜ ଝିଅର ବାପା ମାଆ ।
ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ବନ୍ତ ଥାନା ଛୟାଲ ସିଂ ଗ୍ରାମରେ । ଏହି ଗ୍ରାମରେ ରମାକାନ୍ତ ମୁଖୀଙ୍କ ଝିଅ । ଯାହାକୁ ଜଣେ ଯୁବକ ଅପହରଣ କରି ନେଇଥିଲା । ଏ ସମ୍ପର୍କରେ ବନ୍ତ ଥାନାରେ ଅଭିଯୋଗ ପରେ ପୋଲିସ୍ ରମାକାନ୍ତ ମୁଖୀଙ୍କ ଝିଅକୁ ବହୁ ଖୋଜାଖୋଜି କରି ଉଦ୍ଧାର କରି ଭଦ୍ରକର ଏକ କନ୍ୟା ଆଶ୍ରୟ ସ୍ଥଳରେ ରଖିଥିଲା । କିନ୍ତୁ ଗତ ୧୩ ତାରିଖ ଠାରୁ ତାଙ୍କ ଝିଅ ସେଠାରୁ କେଉଁ ଆଡେ ପଳାଇ ଯାଇଛି ଯେ ତାକୁ ଆଉ ପାଉନାହାନ୍ତି ତାଙ୍କ ବାପା ମା ।
ତେବେ ପୋଲିସ ତାଙ୍କ ଝିଅକୁ ଉଦ୍ଧାର କରି ତାଙ୍କୁ ହସ୍ତାନ୍ତର ନକରି କନ୍ୟା ଆଶ୍ରୟ ସ୍ଥଳରେ ଛାଡିଥିଲା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଝିଅଟିର ବାପା ମାଆ । ଏପଟେ ଏନେଇ ପୁଣି ବନ୍ତ ଥାନାରେ ରିପୋର୍ଟ କରିଥିଲେ ମଧ୍ୟ ପୋଲିସ୍ କିଛି ପଦକ୍ଷେପ ନେଉ ନ ଥିବାରୁ ବାଧ୍ୟ ହୋଇ ସେମାନେ ଭଦ୍ରକ ଏସପିଙ୍କୁ ଭେଟି ନିଜ ଝିଅକୁ ଉଦ୍ଧାର ପାଇଁ ଗୁହାରୀ କରିଛନ୍ତି । ଏହାସହିତ ସମ୍ପୃକ୍ତ ଯୁବକ ବିରୋଧରେ ବିହିତ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି ।
ଏପଟେ ଏହି ଘଟଣାରେ ପୋଲିସ୍ ପକ୍ଷରୁ କୌଣସି ପ୍ରକାରର ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଏଠାରେ ପ୍ରଶ୍ନ ଉଠୁଛି ସତ କଣ? ଝିଅକୁ ଅପହରଣ କରାଯାଇଛି ନା ଘଟଣାରେ ଆଉ କିଛି ସତ୍ୟତା ରହିଛି । ତେବେ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ପୋଲିସ୍ ଏହି ଅସହାୟ ବାପା ମାଆଙ୍କୁ ନ୍ୟାୟ ଦେବା ନୀହାତି ଉଚିତ୍ ।