ଟ୍ରେନ ଯାତ୍ରୀଙ୍କ ଠାରୁ ମୋବାଇଲ ଲୁଟି ନେଇ ପଳାଉଥିବା ଲୁଟେରାକୁ କାବୁ କରିଥିବା ବାଳିକାକୁ ସମ୍ବର୍ଦ୍ଧନା
ଭୁବନେଶ୍ୱର: ସାହସୀ ବାଳିକାକୁ ସମ୍ବର୍ଦ୍ଧନା। ଟ୍ରେନ ଯାତ୍ରୀଙ୍କ ଠାରୁ ମୋବାଇଲ ଲୁଟି ନେଇ ପଳାଉଥିବା ବେଳେ ଲୁଟେରାକୁ କାବୁ କରି ସାହସିକତା ଦେଖାଇଛନ୍ତି ୧୩ବର୍ଷର ଛାତ୍ରୀ । ଗତ ୧୩ତାରିଖରେ ସକାଳ ୧୦ଟାରେ ଧଉଳି ଏକ୍ସପ୍ରେସରେ ଭୁବନେଶ୍ୱର ଯାଉଥିବା ବେଳେ ମାର୍କୋଣା ଷ୍ଟେସନ ଠାରେ ଜଣେ ଦୁର୍ବୃତ୍ତ ଜଣେ ଯାତ୍ରୀଙ୍କ ଠାରୁ ମୋବାଇଲ ଲୁଟ କରି ପଳାଉଥିଲେ। ତେବେ ଯାତ୍ରୀ ଜଣକ ପାଟି କରିବାକୁ ପାଖରେ ଥିବା ୧୩ବର୍ଷର ଛାତ୍ରୀ ସୁନି ସିଂ ଲୁଟେରାକୁ କାବୁ କରିନେଇଥିଲେ। ପରେ ଲୁଟେରାକୁ ପୋଲିସ ଜିମା ଦିଆଯାଇଥିଲା। ସୁନିଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଥିଲେ। ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ତାଙ୍କୁ ସମ୍ବର୍ଦ୍ଧିତ କରି ପଢା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ରାଜ୍ୟ ଓ କେନ୍ଦ୍ର ସରକାରକୁ ସାହସିକତା ପୁରସ୍କାର ପ୍ରଦାନ ପାଇଁ ଦାବି କରିଛନ୍ତି।