୫ଦିନ ପରେ ହାଇଦ୍ରାବାଦରୁ ଫେରିଲା ରୋଜଗାରିଆ ଝିଅର ମୃତଦେହ

ସୋର: କାନ୍ଦି କାନ୍ଦି ମ୍ରିୟମାଣ ମାଆ । ଅଲିଅଳି ଝିଅକୁ ହରାଇ ପୁରା ଭାଙ୍ଗିପଡିଛି । ଦେହରେ ତାର ଯେମିତି ଜୀବନ ନାହିଁ । ବୁଢୀ ଜେଜେ ମାଆର ଅବସ୍ଥା ବି ସେୟା । ଝିଅ ଦେଇଥିଲା କଥା । ମାଆ ଲୋ ତୁ ଜମାରୁ ଚିନ୍ତା କରନା, ମୁଁ ବା ରୋଜଗାର କଲିଣି ତୋର ସବୁ ଋଣ ସୁଝିଦେବି । ହେଲେ ଅଧୁରା ରହିଗଲା ସବୁ ଆଶା । ଏକମାତ୍ର ରୋଜଗାରିଆ ଝିଅକୁ ହରାଇ ଝୁରୁଛି ପରିବାର ଓ ସିଙ୍ଗାଣିପୁର ଗାଁ । ଅତି ଗରିବ ଏ ପରିବାରର । ସେଥି ପାଇଁ ଝିଅ ମୁଣ୍ଡ ଉପରେ ଥିଲା ପରିବାର ବୋଝ । କିଛି ନ ଭାବି ରୋଜଗାର କରିବା ପାଇଁ ଚାଲିଯାଇଥିଲେ ସୁଦୂର ହାଇଦ୍ରାବାଦ । ହେଲେ ସେଠାରେ ଯେ ତାଙ୍କର ଜୀବନ ଚାଲିଯିବ କିଏ କଳ୍ପନାରେ ସୁଦ୍ଧା ଭାବିନଥିଲେ ।

ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ସୋମନାଥପୁର ସିଂହାଣୀପୁର ଗ୍ରାମର ମାୟାଧର ବାରିକଙ୍କ ଝିଅ ଗୀତାଞ୍ଜଳି ବାରିକଙ୍କ କଥା । ଯାହାଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁକୁ ନେଇ ଖବର ପ୍ରସାରଣ ହୋଇଥିଲା । ତେବେ ଦୀର୍ଘ ୫ ଦିନ ପରେ ଗତକାଲି ଆସି ଗାଁରେ ପହଁଚିଥିଲା ଗୀତାଞ୍ଜଳିଙ୍କ ମୃତଦେହ । ମୃତଦେହ ପହଁଚିବା ପରେ ଗାଁରେ ଖେଳିଯାଇଥିଲା ଶୋକାକୁଳ ପରିବେଶ । କାନ୍ଦ ବୋବାଳିରେ କମ୍ପି ଉଠିଥିଲା ଗାଁ ଦାଣ୍ଡ । ସାହି ଭାଇଙ୍କ ଉପସ୍ଥିତିରେ ଶେଷରେ ଅଲିଅଳି ଝିଅ ଗୀତାଞ୍ଜଳିଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ସୂଚନା ଥାଉକି, ପରିବାର ଚଳାଇବା ପାଇଁ ସମ୍ପର୍କୀୟଙ୍କ ସହିତ ଗୀତାଞ୍ଜଳି ହାଇଦ୍ରାବାଦ ଚାଲି ଯାଇଥିଲେ । ଏକ ଘରୋଇ ସ୍କୁଲରେ ୨ବର୍ଷ ଧରି ସିକ୍ୟୁରିଟି ଗାର୍ଡ଼ ଭାବେ କାମ କରୁଥିଲେ । ସେହି ସ୍କୁଲରେ ୪ ଜଣ ଯୁବକ ଉପର ମହଲାରେ ରହୁଥିବା ବେଳେ ଗୀତାଞ୍ଜଳି ତଳ ମହଲାରେ ରହୁଥିଲେ ।

ତେବେ ଗୀତାଞ୍ଜଳିଙ୍କ ମୃତ୍ୟୁ ପରେ ଏବେ ହାତରେ ଲାଗିଛି ଏକ ସିସିଟିଭି ଫୁଟେଜ । ଫୁଟେଜ ଅନୁସାରେ ଗତ ୮ ତାରିଖ ରାତି ୮ଟା ୫୦ମିନିଟରେ ଶେଷ ଥର ଗୀତାଞ୍ଜଳିଙ୍କୁ ଦେଖିବାକୁ ମିଳିଥିଲା । ଗୀତାଞ୍ଜଳି ଜଣେ ସିକ୍ୟୁରିଟି ସହିତ କଥା ହେଉଥିବା ବେଳେ, ଯାହା ଜଣାପଡୁଛି କି ଉକ୍ତ ସିକ୍ୟୁରିଟି ଜଣଙ୍କ ଗୀତାଞ୍ଜଳିଙ୍କ ବାଟ ଓଗାଳିଥିଲା । ବାଟ ନ ଛାଡିବାକୁ ଗୀତାଞ୍ଜଳିଙ୍କୁ ଉପର ମହଲାକୁ ଯାଇଥିଲେ, ଏହାପରେ ପରେ ଉକ୍ତ ସିକ୍ୟୁରିଟି ଓ ଅନ୍ୟ ଜଣେ ଯୁବକ ଗୀତାଞ୍ଜଳିଙ୍କ ପଛେ ପଛେ ଉପର ମହଲାକୁ ଯିବାର ଦୃଶ୍ୟ ସିସି କେମେରାରେ ଦେଖିବାକୁ ମିଳିଛି ।

ଅପରପଟେ ମିଆପୁର ପୋଲିସ୍ ପ୍ରଥମେ ୪ ବିହାରୀ ଯୁବକଙ୍କୁ ଅଟକ ରଖି ଛାଡ଼ି ଦେଇଥିଲା । ହେଲେ ସେଠାରେ ଓଡ଼ିଆ ସ୍ଵେଚ୍ଛାସେବୀ ହସ୍ତକ୍ଷେପ କରିବା ପରେ ମୃତ ଯୁବତୀଙ୍କ ଶରୀର ଗାଁକୁ ଫେରିବା ସହିତ ସେହି ସ୍କୁଲରେ ରହୁଥିବା ୪ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି । ଏପଟେ ଓଡ଼ିଆ ସମାଜ ଏବଂ ମୃତ ଗୀତାଞ୍ଜଳି ପରିବାର ସହ ସିଂହାଣୀପୁର ଗାଁ ଲୋକେ କ୍ଷତିପୂରଣ ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଗୀତାଞ୍ଜଳିଙ୍କର ବ୍ୟବଛେଦ ରିପୋର୍ଟକୁ ପରିବାର ଲୋକ ଅପେକ୍ଷା କରିଛନ୍ତି ।

ଏକମାତ୍ର ରୋଜଗାରିଆ ଝିଅକୁ ହରାଇ ଝୁରୁଛି ପରିବାର । ତେବେ କଣ ପାଇଁ, କେମିତି, କିଏ ଗୀତାଞ୍ଜଳିଙ୍କ ଜୀବନ ନେଲା ତାକୁ ନେଇ ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଥିବାବେଳେ, ଦେଖିବାକୁ ବାକି ରହିଲା ସତ କେବେ ସାମ୍ନାକୁ ଆସୁଛି ଓ ଗୀତାଞ୍ଜଳିଙ୍କ ପରିବାରକୁ କେବେ ନ୍ୟାୟ ମିଳୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.