ମନ୍ଦିର ଗେଟ ଭାଙ୍ଗି ନେଇଗଲେ ମା’ଙ୍କ ସୁନା ଅଳଙ୍କାର, ଚିନ୍ତାରେ ଅଞ୍ଚଳବାସୀ

କି କଳି ଯୁଗ ହେଲା..ଶେଷରେ ଦେବାଦେବୀଙ୍କୁ ବି ଛାଡ଼ୁ ନାହାନ୍ତି ଏ ପାପୀମାନେ? ମନ୍ଦିରରେ ପଶି ବୁଲାଉଛନ୍ତି କଳାକନା । ଏବେ ମନ୍ଦିର ଉପରେ ଚୋରଙ୍କ ଲୋଲୁପ ଦୃଷ୍ଟି । ଥମିବାର ନା ନେଉନାହିଁ ମନ୍ଦିରରୁ ଚୋରି ଘଟଣା । ବିଭିନ୍ନ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମନ୍ଦିରରୁ ହେଉଛି ସିରିଜ୍ ଲୁଟ୍ । ରାତିରେ ଆସୁଛନ୍ତି  ସବୁ ନେଇ ପଲାଉଛନ୍ତି ।

ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାସ୍ଥିତ ବସଷ୍ଟାଣ୍ଡ କାଳୀ ମନ୍ଦିରରୁ ବିଳମ୍ବିତ ରାତିରେ ମନ୍ଦିରର ଗେଟ ଭାଙ୍ଗି କେହି ଦୁବୃର୍ତ୍ତ ଚୋରି କରି ନେଇଛି । ଗତକାଲି ସନ୍ଧ୍ୟା ଆଳତି ପରେ ପୂଜକ ମନ୍ଦିରର ଗେଟରେ ତାଲା ପକାଇ ପଲାଇ ଯାଇଥିଲେ । ଆଜି ସକାଳେ ପୂଜା କରିବାକୁ ଆସି ଦେଖନ୍ତି ତ ମନ୍ଦିର ଗେଟ ଭଙ୍ଗା ଯାଇଛି । କେମିତି ଓ କିଏ ମନ୍ଦିର ଭାଙ୍ଗିଲା ସେନେଇ ମନ୍ଦିର କମିଟିକୁ ତୁରନ୍ତ ଖବର ଦେଇଥିଲେ । ମନ୍ଦିର କମିଟିର ସମ୍ପାଦକ ଓ ସମସ୍ତ କର୍ମୀମାନେ ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳନରେ ପହଞ୍ଚି ହୁଣ୍ଡି ବାକ୍ସ ସମେତ ମା’ଙ୍କ ସମସ୍ତ ସୁନା ଓ ରୂପା ଅଳଙ୍କାର କେହି ଚୋରି କରି ନେଇଥିବା ଦେଖି ତଦନ୍ତ ଆରମ୍ଭ କରିଛି । ତେବେ ଚୋରି ହୋଇଥିବା ଜିନିଷର ଆନୁମାନିକ ମୂଲ୍ୟ ୨ଲକ୍ଷରୁ ଅଧିକ ହେବ । ଏହା ସହିତ ହୁଣ୍ଡି ବାକ୍ସରୁ ପାଖାପାଖି ୫୦ ହଜାର ଟଙ୍କା ଚୋରି ହୋଇଥିବା କହିଛନ୍ତି ଅଞ୍ଚଳବାସୀ ।

ଏବେ ଚୋରଙ୍କ ଟାର୍ଗେଟରେ ମନ୍ଦିର । ନା ଭଗବାନଙ୍କ ପ୍ରତି ରହିଛି ଭକ୍ତି ନା ମନରେ ଅଛି ଭୟ । ପୂର୍ବରୁ ଘର ଓ ଦୋକାନରୁ ଚୋରି କରୁଥିଲେ । କିନ୍ତୁ ଘରେ ଓ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଭୟରେ ମନ୍ଦିରରେ ବୁଲାଉଛନ୍ତି କଳାକନା । ମନ୍ଦିରରୁ ଏମିତି ଚୋରି କରୁଛନ୍ତି ଯେ ପୋଲିସକୁ କିଛି ବି ସୁରାକ ମିଳୁନି । ଦିନ ବେଳେ କେଉଁ ମନ୍ଦିରରୁ ଚୋରି କରିବେ ଲକ୍ଷ୍ୟ ରଖୁଛନ୍ତି । ଆଉ ରାତି ହେଲେ ଚୁପ ଚାପ ଆସି ମନ୍ଦିରର ହୁଣ୍ଡି ଭାଙ୍ଗି ସବୁ କିଛି ସଫା କରି ନେଉଛନ୍ତି । ଠାକୁରଙ୍କ ସୁନା ଅଳଙ୍କାର ସହ ଦାନରେ ମିଳିଥିବା ଟଙ୍କାକୁ ବି ଛାଡ଼ୁ ନାହାନ୍ତି । ଅଞ୍ଚଳରେ ରାତିରେ ପୋଲିସ ପାଟ୍ରୋଲିଂ ଠିକ ଭାବେ କଲେ ହୁଏତ ଏଭଳି ଚୋରି ହେବନି ବୋଲି ଅଞ୍ଚଳବାସୀ କହିଛନ୍ତି । ଦୁର୍ବୃତ୍ତଙ୍କ ଲୁଟ ଉପରେ ରୋକ ଲଗାଇବା ପାଇଁ ଦୃଢ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।

Also Read: ହଷ୍ଟେଲ ଭିତରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ, ସିସିଟିଭିରେ ଚୋରିର ଭିଜୁଆଲ କଏଦ