ଯାତ୍ରା ଦେଖିବାକୁ ଯିବା ହେଲା କାଳ, ଆସିଲା ବେଳକୁ ଘର ସଫା

ଉଦଳା: ଗାଁରେ ଚାଲିଥିଲା ଯାତ୍ରା । ଯାତ୍ରା ଦେଖିବା ପାଇଁ ଯାଇଥିଲେ ସମସ୍ତ ପରିବାର ସଦସ୍ୟ । ଆଉ ଏପଟେ ଘରେ କେହି ନ ଥିବାର ସୁଯୋଗ ନେଇ ଦୁର୍ବୃତ୍ତ ବୁଲାଇଲେ କଳାକନା । ଉଦଳା ଥାନା ଡ଼ିହିରାକୁଳ ଗ୍ରାମରେ ଘଟିଛି ଏଭଳି ଲୁଟ । ଛାଡ଼ିଗଲା ଯାତ୍ରା ନିଶା । ଯାତ୍ରା ଦେଖିବାକୁ ଯାଇଥିଲେ ଯେ ଏପଟେ ଘର ଖାଲି କରିଦେଲେ ଚୋର । ତେବେ ଏହି ଘର ଉପରେ ଚୋରଙ୍କ ନଜର ପୂର୍ବରୁ ହିଁ ଥିଲା । ଆଉ ଯେମିତି ଘରର ସବୁ ଲୋକ ଯାତ୍ରା ଦେଖିବାକୁ ବାହାରିଲେ ଚୋରମାନେ ଆରମ୍ଭ କରିଥିଲେ ସେମାନଙ୍କ ଯାତ୍ରା ।

ଘରର ପ୍ରତି କୋଣରେ ଚୋରମାନେ ନିଜ ଛାପ ଛାଡ଼ି ଯାଇଛନ୍ତି । ଗାଁ ସାରା ଲୋକ ଯାତ୍ରା ଦେଖିବାରେ ମସଗୁଲ ଥିବାବେଳେ ଚୋରମାନେ ଘରେ କଳାକନା ବୁଲାଉଥିଲେ । ଗାଁର ଆଦିକନ୍ଦ ହାତୀଙ୍କ ପରିବାର ସଦସ୍ୟ ଗତକାଲି ରାତିରେ ଯାତ୍ରା ଦେଖିବାକୁ ଯାଇଥିଲେ । ଯାତ୍ରା ସରିବା ପରେ ଆଜି ସକାଳେ ପରିବାର ଲୋକେ ଘରକୁ ଫେରିଥିଲେ । କିନ୍ତୁ ଦୂରରୁ ଘରକୁ ଦେଖି ହଠାତ ଯେମିତି ତାଙ୍କ ପାଦ ତଳୁ ମାଟି ଖସି ଗଲା । କାହିଁକି ନା ତାଙ୍କ ଘରର ମେନ୍ ଗେଟ ତାଲା ଭାଙ୍ଗିଥିବା ସେ ଦେଖିବାକୁ ପାଇଥିଲେ ।

ଏହା ପରେ ସବୁ କିଛି ବୁଝି ଯାଇଥିଲେ ଆଦିକନ୍ଦ । ଘର ଭିତରକୁ ପଶିବା ପରେ ଆଲମିରା ଭଙ୍ଗାଥିବା ଦେଖିବାକୁ ପାଇଥିଲେ । ଯାହାପରେ ପରିବାର ଲୋକେ ଘରୁ ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ । ଦୁର୍ବୃତ୍ତମାନେ ଘର ମୁଖ୍ୟ ଫାଟକ ତାଲା ଭାଙ୍ଗି ଘରେ ପଶିବା ସହିତ ଗଡ଼ରେଜ ଭାଙ୍ଗି ସେଥିରେ ଥିବା ୫୦ ହଜାରରୁ ଅଧିକ ନଗଦ ଟଙ୍କା ସହିତ ୩ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଜଣାଯାଇଛି । ଯାହାପରେ ଏ ନେଇ ପରିବାର ଲୋକେ ଉଦଳା ପୋଲିସକୁ ଖବର ଦେଇଥିଲେ ।

ତେବେ ଲୁଟର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ସହିତ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଜାରି ରଖିଛି ପୋଲିସ । ଅନ୍ୟପଟେ ଏତେ ଟଙ୍କାର ସୁନା ଅଳଙ୍କାର ହରାଇ ସ୍ତବ୍ଧ ହୋଇଯାଇଛନ୍ତି ଆଦିକନ୍ଦଙ୍କ ପରିବାର । ଯାତ୍ରା ଦେଖିବାର ଖୁସି ଯେ ତାଙ୍କୁ ଏତେ ବଡ଼ କ୍ଷତି ଦେବ ସେ କେବେ ବି ଭାବି ନଥିଲେ । ତେବେ ଆଦିକନ୍ଦଙ୍କର ତ ଲକ୍ଷ ଲକ୍ଷ ଟଙ୍କା ବୁଡ଼ିଗଲା । କିନ୍ତୁ ଆପଣ ଯେମିତି ଏଭଳି ଭୁଲ ନକରନ୍ତି । ଘରେ ଟଙ୍କା ଓ ସୁନା ରଖୁଥିଲେ ସାବଧାନ ରୁହନ୍ତୁ । ଘର ଖାଲି କରି ଯାଆନ୍ତୁ ନାହିଁ । ନଚେତ ଏଭଳି ଘଟଣା ଆପଣଙ୍କ ସହ ବି ହୋଇପାରେ ।

Also read: ହସ୍ପିଟାଲ ଭିତରେ ବନ୍ଧୁକ ଦେଖାଇ ସ୍ୱାସ୍ଥ୍ୟ କର୍ମୀଙ୍କ ଠାରୁ ଲୁଟ