ଘର ଭଡ଼ା ବୁଝିବା ବାହାନାରେ ସୁନା ଚେନ୍ ଲୁଟ୍, ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ

ଢେଙ୍କାନାଳ: ଦିନ ଦିପହରେ ଦାଦାଗିରି । ଘର ଭଡ଼ା ବୁଝିବା ବାହାନାରେ ଆସିଲେ । ଜୋରଜବରଦସ୍ତ ଗେଟ ଭିତରେ ପଶିଲେ । ଏକଦମ ଫିଲ୍ମ ଷ୍ଟାଇଲରେ ମହିଳାଙ୍କୁ ମାଡ଼ ମାରି ଲୁଟିନେଲେ ସୁନା ଚେନ । ଲୁଟ୍ ପାଇଁ ଆପଣେଇଲେ ଏଭଳି ଅଭିନବ ଉପାୟ । ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ମହିଷାପାଟ ନିକଟରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଲୁଟର ଶିକାର ହୋଇଛନ୍ତି ମହିଷାପାଟ ଅଞ୍ଚଳର ବିଦ୍ୟୁତଲତା ରଥ । ଦୃର୍ବୁତ୍ତମାନେ ବିଦ୍ୟୁତଲତାଙ୍କୁ ତଳେ ପକାଇ ମାଡ ମାରି ଜୋର ଜବରଦସ୍ତ ସୁନା ଚେନ ଲୁଟି ନେଇଥିବା ଜଣାପଡିଛି ।
ସୁନା ଚେନ୍ ଲୁଟିବା ପାଇଁ ସବୁ ସୀମା ପାର କରିଛି ଏହି ଦୁର୍ବୃତ୍ତ । ଯାହାର ଭୟଙ୍କର ଦୃଶ୍ୟ କଏଦ ହୋଇଛି ଘର ସିସିଟିଭିରେ । ଅଭିଯୋଗ ମୁତାବକ ଦୁଇଜଣ ଲୁଟେରା ଏକ ମୋଟର ସାଇକେଲରେ ଆସି ବିଦ୍ୟୁତଲତାଙ୍କୁ ଘର ଭଡ଼ା ବାବଦରେ ପଚାରିଥିଲେ । ପରେ ବିଦ୍ୟୁତଲତା ମନା କରିବାରୁ ଲୁଟେରାମାନେ ତାଙ୍କର ମୋବାଇଲ ନମ୍ବର ମାଗିବା ସହ ପିଇବା ପାଇଁ ପାଣି ମାଗିଥିଲେ । ଏଥିରେ ମହିଳାଙ୍କର ସନ୍ଦେହ ହେବାରୁ ଗେଟ୍ ଦେଇ ଚାଲି ଯିବା ପାଇଁ ଉଦ୍ୟମ କରିଥିଲେ । ଠିକ ସେତିକି ବେଳେ ଜଣେ ଲୁଟେରା ମହିଳାଙ୍କ ଗେଟ୍ ଭିତରକୁ ଧସେଇ ପଶିଥିଲେ ।
ଏହାପରେ ମହିଳାଙ୍କୁ ତଳେ ପକାଇ ଜୋର୍ ଜବରଦସ୍ତ ସୁନା ଚେନ ଲୁଟି ନେଇଥିଲା । ଏନେଇ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଲୁଟେରାଙ୍କୁ ଧରିବାରେ ବିଫଳ ହୋଇଛି ଟାଉନ୍ ଥାନା ପୋଲିସ । ଏହି ଘଟଣା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଖୁବ ଭୟଭୀତ ଅଛନ୍ତି । କିଛି ଦିନ ହେବ ଢେଙ୍କାନାଳ ସହରରେ ଏଭଳି ଛିନାତାଇ ବଢିଥିବା ବେଳେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭିନ୍ନ ଜିଲ୍ଲାରେ ଆତଙ୍କରାଜ୍ ଚଳାଇଛନ୍ତି ଏଭଳି ଲୁଟେରାମାନେ ।
ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ତେବେ ଦର୍ଶକବନ୍ଧୁ ଯଦି ଆପଣ ମଧ୍ୟ ସୁନା ଚେନ୍ ପିନ୍ଧୁଛନ୍ତି ତେବେ ସାବଧାନ ରୁହନ୍ତୁ । କାରଣ ଗଳି କନ୍ଦିରେ ବି ଲୁଟେରାମାନେ ଲୁଟ କରିବା ଉଦ୍ଦେଶ୍ୟରେ ବୁଲୁଛନ୍ତି । କେତେବେଳେ ଯେ ଆପଣଙ୍କୁ ଟାର୍ଗେଟ କରି ଆପଣଙ୍କ ଠାରୁ ଆପଣଙ୍କ ଦାମୀ ସୁନା ଗହଣା ଲୁଟିନେବେ ତାହା କହି ହେବନି । ଯଦିଓ ଆପଣ ସୁନା ଜିନିଷ ପିନ୍ଧୁଛନ୍ତି ଏହାକୁ ଓଢ଼ଣୀ ସାହାଯ୍ୟରେ ଘୋଡ଼ାଇ ରଖିବାକୁ ଚେଷ୍ଟା କରନ୍ତୁ । ଏଭଳି କରିବା ଦ୍ୱାରା ସୁନା ଜିନିଷ ଚୋରଙ୍କ ନଜରରେ ଏତେ ସହଜରେ ପଡ଼ିବନି ଏବଂ ଆପଣଙ୍କ ଜିନିଷ ସୁରକ୍ଷିତ ରହିବ ।