ସିଲଭର ସିଟି ଡ୍ରେନରୁ ମିଳୁଛି ସୁନା
କଟକ(କେନ୍ଯୁଜ୍) : କଟକରେ ଡ୍ରେନରୁ ମିଳୁଛି ସୁନା । ବିଶ୍ୱାସ ନ ହେଲେ ବି ସତ । କିଛି ମହିଳା ଓ ଯୁବତୀ ଝାଡୁ ଧରି ଡ୍ରେନରୁ ସୁନା ଖୋଜି, ଗୁଜରାଣ ମେଣ୍ଟାଇଥାନ୍ତି । ତେବେ କେମିତି ଡ୍ରେନରୁ ସୁନା ବାହାରୁଛି ।
ସିଲଭର ସିଟି କଟକର ବାଲୁବଜାର, କାଜିବଜାର, ନିମଚୌଡି, ସାହେବଜାଦାବଜାର, ବଣିଆ ସାହିର ଦୃଶ୍ୟ । ଡ୍ରେନରେ ଲୁହା କଡେଇ ଓ ଖଡିକା ଝାଡୁ ଧରି ଚାଲିଛି ସୁନା ଖୋଜା । ଜଣେ କି ଦୁଇ ଜଣ ନୁହଁ ସହରର ଅନେକ ମହିଳା ଓ ଯୁବତୀ ଏହା ଦ୍ୱାରା ପେଟ ପୋଷିଥାନ୍ତି । ରାସ୍ତାର ଧୂଳି ହେଉ କି ଡ୍ରେନର ପଙ୍କ ସବୁଠୁ ମିଳେ ସୁନା ଓ ଚାନ୍ଦି ଗୁଣ୍ଡ । ଏହି ଗୁଣ୍ଡ ସୁନା ଆଣି ବଣିଆକୁ ବିକି ଦୁଇ ପଇସା ରୋଜଗାର କରିଥାନ୍ତି ।
ତାରକସିର ସହର କଟକରେ ପ୍ରତିଦିନ ଚାଲେ ସୁନା ଓ ରୂପାର କାମ । ବିଭିନ୍ନ ଅଞ୍ଚଳରେ ରହିଛି ଶହ ଶହ ବଣିଆ ଦୋକାନ । ଅଳଙ୍କାର ତିଆରି ବେଳେ ଗୁଣ୍ଡ ସୁନା, ରୁପା ବାହାରକୁ ଛିଟିକି ପଡିଥାଏ । ଦୋକାନ ଝାଡୁ କରିବା ବେଳେ ବି ସୁନା ଓ ରୂପା ଗୁଣ୍ଡ ବାହାରେ ପଡିଥାଏ । ଆଉ ଏହା କିଛି ଲୋକଙ୍କ ପାଇଁ ପାଲଟିଛି ଜୀବିକା ।