ଓଡିଶାର ଏହି ସ୍ଥାନରେ ଗଚ୍ଛିତ ଅଛି ପର୍ଯ୍ୟାପ୍ତ ପରିମାଣର ସୁନା, ସନ୍ଧାନ ପାଇଲେ କେନ୍ଦ୍ର ଓ ରାଜ୍ୟ ଭୂବୈଜ୍ଞାନିକ

ସୁନ୍ଦରଗଡ଼ : ଓଡିଶାର ଏହି ସ୍ଥାନରେ ଗଚ୍ଛିତ ଅଛି  ପର୍ଯ୍ୟାପ୍ତ ପରିମାଣର ସୁନା । ଜାଣିବା ପରେ ସଭିଏଁ ଚକିତ । ସ୍ଥାନୀୟ ଲୋକଙ୍କ ଖୁସି କହିଲେ ନସରେ । ଦୀର୍ଘ ୬୦ ଦଶକ ରୁ ୨୦୧୯ ଭିତରେ ୪ ଥର ଭୂବୈଜ୍ଞାନିକ ମାନେ ଆସି ବିଭିନ୍ନ ଗାଁରେ  ତମ୍ବୁ ପକାଇ ମାସ ମାସ ଧରି ସର୍ଭେ କରିଚାଲିଥିଲେ । ଶେଷରେ ସର୍ଭେ କରି ଏହି ଅଞ୍ଚଳରେ ସୁନା ସହ ଅନେକ ମୂଲ୍ୟବାନ ଧାତୁ ଗଚ୍ଛିତ ରହିଥିବା ଆକଳନ କରାଯାଇଛି । ତେବେ ଯଦି ଏହି ଅଞ୍ଚଳରେ ସୁନା ଖଣି ହୁଏ, ତାହାହେଲେ ଏହି ଅଞ୍ଚଳର ବିକାଶ ହେବା ସହିତ ୪ ଖଣ୍ଡ ଗାଁ ଲୋକେ ବିସ୍ଥାପିତ ହେବାର ଆଶଙ୍କା ପ୍ରକାଶ ପାଇଛି।

ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଦେଇ ବୋହି ଯାଇଥିବା ଇଚ୍ଛା ନଦୀ । ଏହି ନଦୀ କୂଳରେ ଥିବା ବିଛୁଟୁଙ୍ଗୁରିରେ ପର୍ଯ୍ୟାପ୍ତ ପରିମାଣର ସୁନା ଗଚ୍ଛିତ ଥିବାର ସନ୍ଧାନ ପାଇଛି କେନ୍ଦ୍ର ଓ ରାଜ୍ୟ ଭୂବୈଜ୍ଞାନିକ ।  ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ାରେ ସୁନା ଖଣି । ଲେଫ୍ରିପଡ଼ା ବ୍ଲକ ମୁଖ୍ୟାଳୟ ଓ ଗିରିଙ୍ଗକେଲା ଗାଁ ମଝିରେ ଥିବା ଇଚ୍ଛା ନଦୀ ସଂଲଗ୍ନ ବିଚ୍ଛୁଟୁଙ୍ଗୁରିରେ ମିଳିଛି ସୁନା ଖଣିର ସନ୍ଧାନ।

ଏହି ମାଟି ଗର୍ଭରେ ରହିଛି ଅନେକ କେଜି ସୁନା । କେତେ ପରିମାଣ ସୁନା ଗଚ୍ଛିତ ଅଛି ତାର ସଠିକ ଆକଳନ ଏପର୍ଯ୍ୟନ୍ତ ଜଣାପଡି ନାହିଁ । ସ୍ଥାନୀୟ ଅଧିବାସୀଙ୍କ କହିବାନୁଯାୟୀ ୧୯୬୧ ରେ ପ୍ରଥମେ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥାର ଏକ ଟିମ୍ ଆସି ଗିରିଙ୍ଗକେଲା ଗ୍ରାମରେ ତମ୍ବୁ ପକାଇ ସର୍ଭେ କରିଥିଲେ ଆଉ ଜଣା ପଡିଥିଲା ସୁନା ସହ ତମ୍ବା ଓ ଅନେକ ମୂଲ୍ୟବାନ ଧାତୁ ରହିଥିବା କଥା । ତେବେ ଏନେଇ ସ୍ଥାନୀୟ ଲୋକଙ୍କ ଭିତରେ ଖୁସୀର ଲହରୀ ଖେଳିଯାଇଥିଲା ଏବଂ ଅନ୍ୟପଟେ ଯଦି ଖଣି ହୁଏ ତା ହେଲେ ଲୋକେ ବିସ୍ଥାପିତ ହେବାର ଭୟ ମଧ୍ୟ ମନରେ ଉଙ୍କି ମାରିଥିଲା ।

ଲେଫ୍ରିପଡ଼ା ବ୍ଲକ ତଥା ଲେଫ୍ରିପଡ଼ା ଗାଁ ସମେତ ଗିରିଙ୍ଗକେଲା,ତେଲେନଡିହି,ସାତଯୁରିଆ,ବିନ୍ଦୁଝରିଆ ,ସିପୋକଛାର ,ଆଦି ଗାଁ ଗୁଡ଼ିକର ବିଭିନ୍ନ ସ୍ଥାନରେ ମେସିନ ସାହାଯ୍ୟରେ ସୁନା ଖଣିର ଅନୁସନ୍ଧାନ କରାଯାଇଛି । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ୧୯୬୧ ପରେ ୧୯୭୪ରେ ଦ୍ଵିତୀୟ ଥର ସର୍ଭେ ଓ ୨୦୧୯ ରେ ପୁଣି ତୃତୀୟ ଥର ରାଜ୍ୟ ଭୂବୈଜ୍ଞାନିକ ମାନେ ଆସି ବିଭିନ୍ନ ଯନ୍ତ୍ରପାତି ସାହାଯ୍ୟରେ ସର୍ବେକ୍ଷଣ ସଂସ୍ଥା ଅନୁସନ୍ଧାନ କରିଥିଲେ। ତିନି ତିନି ଥରର ସର୍ଭେ ରିପୋର୍ଟରୁ ସ୍ପଷ୍ଟ ଜଣା ପଡ଼ିଥିଲା ଏଠାରେ ସୁନା ଖଣିର ସନ୍ଧାନ ।

ଏପଟେ ଦୀର୍ଘ ବର୍ଷରୁ ସର୍ଭେ କରାଯାଉଥିଲେ ବି ଏପର୍ଯ୍ୟନ୍ତ ଖନନ କାର୍ଯ୍ୟ କାହିଁକି ତ୍ୱରାନ୍ୱିତ କରାଯାଉ ନାହିଁ ତାହାକୁ ନେଇ ଉଠିଛି  ଏକ ବଡ ପ୍ରଶ୍ନ । ଯଦି ଖଣି ହୁଏ ତା ହେଲେ,ବାପ ଅଜା ଅମଳରୁ ରହିଆସୁଥିବା ଭିଟାମାଟି ଛାଡ଼ି ଅନ୍ୟତ୍ର ରହିବାକୁ ନିଶ୍ଚୟ ଅଡ଼ୁଆ ଲାଗୁଥିଲେ ବି ଛାଡି ଯିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ସ୍ଥାନୀୟ ଲୋକେ।

 

You might also like