ଗ୍ରାହକ ସାଜି ଲୁଟିନେଲେ ସୁନା ଅଳଙ୍କାର, ଚିନ୍ତାରେ ଦୋକାନ ମାଲିକ

ଗ୍ରାହକ ସାଜି ଆସିଲେ । ଭଉଣୀ ବାହାଘର ଅଛି ସୁନା ଅଳଙ୍କାର ଦେଖିବେ ବୋଲି କହିଲେ  । ଦୋକାନ ମାଲିକ ଦୋକାନ ବନ୍ଦ କରିବାକୁ ଯାଉଥାନ୍ତି । କିନ୍ତୁ ଗ୍ରାହକ କଥାରେ ପଡ଼ି ସୁନା ଦେଖାଇବା ଆରମ୍ଭ କରିଥିଲେ । କିନ୍ତୁ ସେ କେବେ ବି ଭାବି ନଥିଲେ ଯାହାକୁ ଗ୍ରାହକ ଭାବି ସୁନା ଦେଖାଉଛନ୍ତି ସେ ସୁନା ନେଇ ଚମ୍ପଟ ମାରିବ । ଅଭିନଵ ଉପାୟରେ ସୁନା ଦୋକାନରୁ ଦୁର୍ବୁତ୍ତମାନେ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ।

ଏଭଳି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଧିନସ୍ଥ ବାଇପାସ ଠାରେ ଥିବା କୋଣାର୍କ ଜୁଏଲାରୀରୁ । ରାତି ପ୍ରାୟ ୯ ଟା ବେଳେ ଦୁଇ ଜଣ ଦୁର୍ବୁତ୍ତ ମାସ୍କ ପିନ୍ଧି ଗୋଟିଏ ମୋଟର ସାଇକେଲରେ ଦୋକାନ ସାମ୍ନାରେ ଓହ୍ଲାଇଥିଲେ । ପରେ ଜଣେ ଦୁର୍ବୁତ୍ତ ଗ୍ରାହକ ହୋଇ ଆସିଥିଲା । ସୁନା ଦୋକାନ ବନ୍ଦ ହେବାକୁ ଯାଉଥିବା ବେଳେ ସୁନା ଦୋକାନୀକୁ ଅନୁରୋଧ କରିଥିଲେ ଭଉଣୀ ବାହାଘର ଅଛି ସୁନା ଚେନ ଦେଖିବି । ପରେ ଗୋଟିଏ ପରେ ଗୋଟିଏ ୩ ଗୋଟି ସୁନା ଚେନ ଏବଂ ଗୋଟିଏ ମଙ୍ଗଳସୂତ୍ରକୁ ଧରି ହଠାତ ଦୋକାନ ଭିତରୁ ଚମ୍ପଟ ମାରିଲା ଚୋର । ପରେ ବାହାରେ ଛିଡା ହୋଇଥିବା ଅନ୍ୟ ଜଣେ ଦୁର୍ବୁତ୍ତ ଗାଡ଼ିରେ ବସି ଦୁଇ ଜଣ ଫେରାର ହୋଇଗଲେ । ଏହି ଲୁଟର ଚିତ୍ର ଦୋକାନରେ ଲାଗିଥିବା ସିସି ଟିଭିରେ କଏଦ ହୋଇଛି । ଦୋକାନୀ ଜଣକ ପୋଲିସରେ ଖବର ଦେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହା ସହିତ ବିଭିନ୍ନ ସ୍ଥାନରେ ପାଟ୍ରୋଲିଙ୍ଗକୁ କଡାକଡି କରାଯାଇଛି ।

ଭଦ୍ରକରେ ଚୋରି ମାମଲା ଦିନକୁ ଦିନ ବଢ଼ିଚାଲିଛି । ଚୋରମାନଙ୍କ ପ୍ରାଦୁର୍ଭାବରେ ଭୟଭୀତ ଅଛନ୍ତି ଅଞ୍ଚଳବାସୀ । ତୁରନ୍ତ ଚୋରକୁ ଧରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।