ସେନା ଅଧିକାରୀଙ୍କ ଘରୁ ଲୁଟ୍, ସୁନା ଅଳଙ୍କାର ସହ ଲୁଟିନେଲେ ନଗଦ ୫୦ ହଜାର ଟଙ୍କା

ବାଙ୍କୀ: ଘରର ଏଣେତେଣେ ପଡ଼ିଛି ଆସବାବ ପତ୍ର । ଝରକା ଗ୍ରୀଲ ତଡ଼ା ଯାଇଛି । ପୂରା ଘରେ ଛିନ୍ ବିନ୍ ହୋଇ ପଡ଼ିଛି କପଡ଼ା । ସୁନା ଖୋଳ ଥୁଆ ହୋଇଛି ହେଲେ ସେଥିରେ ସୁନା ନାହିଁ । ଏ ଚିତ୍ର ବୟାନ କରୁଛି ଘର ଭିତରୁ ଲୁଟ୍ ହୋଇଛି । ଏବେ ଲୁଟ ପାଇଁ ଚୋରଙ୍କ ଟାର୍ଗେଟ ସେନା ଅଧିକାରୀ । ଗୋଟିଏ ରାତିରେ ପଶିଲେ ଦୁଇ ଜଣ ଅବସର ପ୍ରାପ୍ତ ସେନା ଅଧିକାରୀଙ୍କ ଘରେ । କଟକ ଜିଲ୍ଲା ବାଙ୍କୀ ବୈଦେଶ୍ୱର ଥାନା ଅନ୍ତର୍ଗତ ଖଜୁରୀପଦା ନୂଆ ସାହି ତଥା କଳାପଥର ଗୋଲେଇ ଛକ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଦୁଇ ଜଣ ଅବସର ପ୍ରାପ୍ତ ସେନା ଅଧିକାରୀଙ୍କ ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା ସହିତ ସୁନା ଅଳଙ୍କାର । ଗତ କାଲି ବିଳମ୍ବିତ ରାତିରେ ପ୍ରଥମେ ଜଣେ ସେନା ଅଧିକାରୀଙ୍କ ଘରକୁ ଯାଇ ଲୁଟ କରିବାକୁ ଉଦ୍ୟମ କରି ଫେଲ୍ ମାରିଥିଲେ । ଏହାପରେ ତାଙ୍କ ସମ୍ମୁଖରେ ଥିବା ସେତ ବେହେରା ନାମକ ଜଣେ ଅବସର ପ୍ରାପ୍ତ ସେନା ଅଧିକାରୀ ଶୋଇଥିବା ରୁମରେ ପଶିଥିଲେ । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ସମସ୍ତେ ଶୋଇଥିବା ବେଳେ ଚୋର ଘରର ଝରକା ତାଡି ଘରଭିତରେ ପଶିଥିଲେ ।

ଏହାପରେ ଅନ୍ୟ ଗୋଟାଏ ବଖରାରୁ ବାହାର ପଟୁ ଗ୍ରିଲ ତାଡି ଆଲମାରୀ ଭାଙ୍ଗି ସୁନା ଅଳଙ୍କାର ସହିତ ନଗଦ ୫୦ ହଜାରରୁ ଉର୍ଦ୍ଦ୍ୱ ଟଙ୍କା ନେଇ ଚମ୍ପଟ୍ ମାରିଥିଲେ । ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ପରିବାର ଲୋକେ । ଯାହାପରେ ଏନେଇ ବୈଦେଶ୍ୱର ଥାନାକୁ ଖବର ଦିଆ ଯାଇଥିଲା । ଖବର ପାଇ ବୈଦେଶ୍ୱର୍ ଥାନା ଆଇ ଆଇ ସି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଆଜିକାଲି ପ୍ରତ୍ୟକ ସ୍ଥାନରେ ବଢ଼ିଚାଲିଛି ଚୋରଙ୍କ ଉତ୍ପାତ । ରାତି ହେଲେ ଲୋକଙ୍କ ଘରେ ପଶି ମନ ଇଚ୍ଛା ଲୁଟ୍‌ କରୁଛନ୍ତି ।

କିଛି ବି ଛାଡ଼ୁ ନାହାନ୍ତି ଯାହାପାରୁଛନ୍ତି ସଫା କରି ଲୁଟି ନେଇଛନ୍ତି । ଟଙ୍କା ଓ ସୁନା ଅଳଙ୍କାର ମିଳିବା ପରେ ଫେରାର ମାରୁଛନ୍ତି । ଏମାନେ ଚୋରି କରିବା ସମୟରେ ପୋଲିସକୁ ବି ଭୟ କରୁ ନାହାନ୍ତି । ଏମାନଙ୍କ ପ୍ରତି ଯଦି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତେବେ ହୁଏତ ଏମାନଙ୍କ ମନରେ ଭୟ ଆସିବ । ଏବଂ ଚୋରି କରିବା ପ୍ରବୃତିରୁ ହୁଏତ ଏ ଚୋରମାନେ ଦୂରେଇ ରହିବେ ।

Also read: ଗଛରେ ପିଟି ହେଲା ବାଇକ,ଏକାସଙ୍ଗେ ଚାଲିଗଲା ବାପ-ଝିଅଙ୍କ ଜୀବନ