ପିକନିକ ବୁଲିବାକୁ ଯାଇଥିଲେ, ଗ୍ରୀଲ କାଟି ଲୁଟି ନେଲେ ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନା ଗହଣା
ଧଉଳି: ଘରର ଏଣେତେଣେ ପଡ଼ିଛି ଆସବାବ ପତ୍ର । ଝରକା ଗ୍ରୀଲ ତଡ଼ା ଯାଇଛି । ପୂରା ଘରେ ଛିନ୍ ବିନ୍ ହୋଇ ପଡ଼ିଛି କପଡ଼ା । ସୁନା ଖୋଳ ଥୁଆ ହୋଇଛି ହେଲେ ସେଥିରେ ସୁନା ନାହିଁ । ଏ ଚିତ୍ର ବୟାନ କରୁଛି ଘର ଭିତରୁ ଲୁଟ୍ ହୋଇଛି । ମାଲିକ ପିକନିକ ବୁଲିବାକୁ ଯାଇଥିବା ବେଳେ ଘରୁ ନେଇଗଲେ ସର୍ବସ୍ବ। ଗ୍ରୀଲ କାଟି ଲୁଟି ନେଲେ ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନା ଗହଣା । ଧଉଳି ଥାନା ଅନ୍ତର୍ଗତ ଗଙ୍ଗୋତ୍ରୀ ନଗରରେ ହୋଇଛି ଲୁଟ । ପ୍ରମୋଦ ଜେନାଙ୍କ ଘରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ଆସିଛି ।
ଧଉଳି ଥାନା ଅଧିନସ୍ଥ ଗଙ୍ଗୋତ୍ରୀ ନଗରେ ପୁଣି ମାତିଲେଣି ଲୁଟେରା। ସୁଯୋଗ ଖୋଜି ବୁଲୁଛନ୍ତି ଘରେ କେହି ନଥିବାର ସୁରାକ୍ ପାଇ ଲୁଟୁଛନ୍ତି । ପ୍ରମୋଦ ଜେନାଙ୍କ ଘରେ ପୁଅ ପିକନିକ୍ ଯାଇଥିବା ବେଳେ ବୋହୂ ବାପ ଘରକୁ ଯାଇଥିଲେ ଏହି ସମୟରେ ଘରେ ବାପା,ମା’ ସାନ ପୁଅ ଥିଲେ । ରାତିରେ ସମସ୍ତେ ଗୋଟିଏ ଘରେ ଶୋଇଥିବା ବେଳେ ଅନ୍ୟ ଗୋଟିଏ ଘରୁ ଲୁଟେରା ଲୁଟି ନେଇଥିଲେ ନଗଦ କ୍ୟାସ ସହ ସୁନା ଗହଣା । ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ପରିବାର ଲୋକେ ।
ଏହି ଅଞ୍ଚଳରେ ଯିଏ ଯେତେବେଳେ ଘର ଛାଡି ବାହାରକୁ ଯାଉଛନ୍ତି ଘରେ କିରଣ ବୁଲେଇ ଦେଉଛନ୍ତି ଡକାୟତ l ସତେ ଯେମିତି କାହାରିକୁ ଖାତିରି ନାହିଁ l କମିଶନରରେଟ ପୋଲିସ ତ ଏମାନଙ୍କ ଆଗରେ ଯେମିତି ଫମ୍ପା ମାଠିଆ l ଧଉଳି ଥାନା ଅଞ୍ଚଳରେ ଘଟିଥିବା ଏହି ଡକାୟତିରୁ ଲାଗୁଛି କମିଶନରରେଟ ପୋଲିସଙ୍କୁ ନାହିଁ ଡର l କମିଶନରରେଟ ପୋଲିସ ଏପାଖରେ ଡିଣ୍ଡିମ ପିଟୁଛନ୍ତି ସେପାଖରେ ଲୁଟେରା ଚାଲେଞ୍ଜ ଦେଇ ଲୁଟ କରୁଛି l ଆମେ ଏକଥା କହୁନୁ ଏହି ବ୍ୟକ୍ତିଙ୍କ ଘରେ ହୋଇଥିବା ଡକାୟତି ଏକଥା ବୟାନ କରୁଛି ବୋଲି ଜନ ସାଧାରଣ କହୁଛନ୍ତି l ଏନେଇ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହ ଛାନଭିନ କରୁଛି ସନ୍ଧାନୀ କୁକୁର । ତେବେ ଦେଖିବାକୁ ବାକି ରହିଲା ଲୁଟେରା ମାନଙ୍କୁ କେବେ ଧରିବାରେ ସଫଳ ହେଉଛି ପୋଲିସ ।