ଭୁବନେଶ୍ୱର ବିମାନବନ୍ଦରରେ ଆରମ୍ଭ ହେଲା ଡିଜି ଯାତ୍ରା ସର୍ଭିସ, ଜାଣନ୍ତୁ ଏହା କ’ଣ ଏବଂ କେମିତି କାର୍ଯ୍ୟ କରେ

ବିମାନ ଯାତ୍ରୀଙ୍କ ପାଇଁ ଖୁସୀ ଖବର । ସହଜ ହେଲା ବିମାନ ଯାତ୍ରା । ଏବେ ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହେବାରୁ ମିଳିଲା ମୁକ୍ତି । ଭୁବନେଶ୍ୱରରେ ଆରମ୍ଭ ହୋଇଛି ଡିଜି ଯାତ୍ରା । ବିମାନ ଉଡ଼ିବାର ବହୁତ ସମୟ ଆଗରୁ ଯାଇ ଅପେକ୍ଷାର ହେଲା ଅନ୍ତ । ଗୋଟେ କ୍ଲିକରେ ଏବେ ସରିବ ସବୁ କିଛି । ବୋର୍ଡିଂ ପାସଠୁ ଆରମ୍ଭ କରି ଚେକ୍ ଇନ୍ ଝନ୍ ଝଟ ସବୁ ଶେଷ । ବେସସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଓ ଡିଜି ଯାତ୍ରା ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ବରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଏହି ସେବା ଆରମ୍ଭ ହୋଇଛି ।

ତେବେ କେବେଳ ଭୁବନେଶ୍ୱର ନୁହଁ ଦେଶର ୧୨ଟି ବିମାନବନ୍ଦରରେ ଏହି ସେବା ଆରମ୍ଭ ହୋଇଛି ଯାହା ସମ୍ପୂର୍ଣ୍ଣ ଭାବେ ପେପରଲେସ । ଏହି ସେବା ଆରମ୍ଭ ହେବା ପରେ ଯାତ୍ରୀ ମାନେ କହିଛନ୍ତି ଏହା ବହୁତ ଭଲ କଥା ଆମକୁ ବହୁତ ସମୟ ପୂର୍ବରୁ ଆସିବାକୁ ପଡୁଥିଲା ଏବେ ଆମର ସମୟ ବଞ୍ଚିଯିବ । ଯାତ୍ରୀଙ୍କ ପାଇଁ ଆଗକୁ ଆହୁରି ଭଲ କାର୍ଯ୍ୟ ହେବ ବୋଲି କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ଆଗକୁ ଅନଲାଇନ ବ୍ୟାଗେଜ ହ୍ୟଣ୍ଡଲିଙ୍ଗ ସିଷ୍ଟମ ମଧ୍ୟ ଯାତ୍ରୀଙ୍କ ପାଇଁ ଆରମ୍ଭ ହେବ । ବର୍ତ୍ତମାନ ତାହା ପରୀକ୍ଷା ମୂଳକ ଭାବେ ଟର୍ମିନାଲରେ ଲାଗୁ ହୋଇଛି ।

ତେବେ କଣ ଏହି ଡିଜି ଯାତ୍ରା ସର୍ଭିସ । କେମିତି କାର୍ଯ୍ୟ କରେ ? ଆସନ୍ତୁ ଜାଣିବା । ଏହି ସେବାର ଲାଭ ଉଠାଇବାକୁ ହେଲେ ପ୍ରଥମେ ଆପଣଙ୍କ ପାଖରେ ସ୍ମାର୍ଟଫୋନ ଥିବା ଦରକାର । ମୋବାଇଲ ପ୍ଲେ ଷ୍ଟୋରରୁ ‘ଡିଜି ଯାତ୍ରା’ ଆପକୁ install କରିବାକୁ ପଡିବ । ଏହା ପରେ ଗୋଟେ ଫେସ୍ ଆସିବ ଯେଉଁଥିରେ ଆପଣ ନିଜର ଆଧାର କାର୍ଡ ଉପଲୋଡ କରି ଲିଙ୍କ୍ କରିବାକୁ ହେବ । ଟିକେଟ କାଟିବା ପରେ ବୋର୍ଡିଙ୍ଗ ପାସ ଅପଲୋଡ଼ କରିବେ । ଏହା ପରେ ଏକ QR କୋଡ ଜେନେରେଟ ହେବ ।

ବିମାନ ବନ୍ଦରରେ ଲାଗିଥିବା ସେହି ଡିଜି ଯାତ୍ରା ମେସିନରେ ଆପଣ QR କୋଡ ଓ ନିଜର ମୁଁହ ସ୍କାନ କରିବେ । ଏହା ପରେ ଆପଣ ଅଳ୍ପ କିଛି ସେକେଣ୍ଡ ମଧ୍ୟରେ ଭିତରକୁ ପ୍ରବେଶ କରିପାରିବେ । ବିମାନ ବନ୍ଦର ବାହାରେ ଗୋଟିଏ ମେସିନ୍ ଲାଗିଥିବା ବେଳେ ଭିତରେ ଦୁଇଟି ମେସିନ୍ ରହିଛି । ସେହି ଦୁଇଟି ମେସିନରେ ଆପଣ କେବଳ ନିଜର ଫେସ ସ୍କାନ କରିବେ । ତେବେ ଏହି ସେବା ଦ୍ଵାରା ଟର୍ମିନାଲର ସୁରକ୍ଷା ଅଧିକ କଡାକଡି ହୋଇପାରିବ । ବେଆଇନ ଯାତ୍ରୀଙ୍କୁ ସହଜରେ ଚିହ୍ନଟ କରାଯାଇ ପାରିବ ।

ଜଣଙ୍କ ଟିକେଟ ନେଇ ଅନ୍ୟ ଜଣେ ଯଦି ପ୍ରବେଶ କରିବା ପାଇଁ ଚେଷ୍ଟା କରନ୍ତି ସେଠାରେ ଲାଗିଥିବା ଫେସ୍ ସ୍କାନ ମେସିନରେ ଧରା ପଡ଼ିଯିବେ । ତେବେ ଏହି ସେବା ଆରମ୍ଭ ପରେ ଯାତ୍ରୀମାନେ ବେଶ ଖୁସୀ ବ୍ୟକ୍ତି କରିଛନ୍ତି । ଦିନକୁ ଦିନ ଭୁବନେଶ୍ୱର ବିମାନ ବନ୍ଦର ଯାତ୍ରୀଙ୍କ ସଂଖ୍ୟା ବଢ଼ି ଚାଲିଛି । ଯାହାକି ଦେଶର ୧୪ ନମ୍ବର ବ୍ୟସ୍ତ ବହୁଳ ବିମାନ ବନ୍ଦର ଭାବେ ପରିଗଣିତ । ଡିଜିଟାଲ ଦୁନିଆ ସହ ତାଳ ଦେଇ ଡିଜିଟାଲ ହେଉଛି ଭୁବନେଶ୍ୱର ବିମାନ ବନ୍ଦର ।