ଭୁବନେଶ୍ୱର ସମବାୟ ବ୍ୟାଙ୍କ୍ର ଜମାକାରୀଙ୍କ ପାଇଁ ଖୁସି ଖବର, ଫେରସ୍ତ ହେବ ଜମା ରାଶି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଭୁବନେଶ୍ୱର ସମବାୟ ବ୍ୟାଙ୍କ୍ର ଜମାକାରୀଙ୍କ ପାଇଁ ଖୁସି ଖବର। ୨୦୧୫ରୁ ବନ୍ଦ୍ ହୋଇ ପଡ଼ିଥିବା ଭୁବନେଶ୍ୱର ସହରାଞ୍ଚଳ ସମବାୟ ବ୍ୟାଙ୍କ୍ର ସମସ୍ତ ଜମାକାରୀମାନଙ୍କୁ ଜମାରାଶି ଟଙ୍କା ଫେରାଯିବ । ଜମା ରାଶି ଫେରସ୍ତ କରିବେ ରାଜ୍ୟ ସରକାର । ଏହାଦ୍ୱାରା ସମବାୟ ବ୍ୟାଙ୍କ୍ ଉପରେ ଲୋକମାନଙ୍କ ଆସ୍ଥା ପୁନଃ ପ୍ରତିଷ୍ଠାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ନୂଆ ସରକାର ସମବାୟ କ୍ଷେତ୍ରକୁ କ୍ରିୟାଶୀଳ ଓ ଚଳଚଞ୍ଚଳ କରିବା ପାଇଁ ପ୍ରତିଶୃତିବଦ୍ଧ। କାରଣ ସମବାୟ ସଂସ୍ଥା ଉପରେ ଲୋକଙ୍କ ଆସ୍ଥା ଫେରାଇ ଆଣିବା ସହ ଏହାକୁ ଗ୍ରାମ୍ୟ ଅର୍ଥନୀତି ବିକାଶର ଏକ ପ୍ରମୁଖ ଇଞ୍ଜିନ ଭାବରେ ପରିଣତ କରାଯିବ ।
ସୂଚନା ଅନୁସାରେ ବୁଧବାର ଲୋକସେବା ଭବନର ରାଜ୍ୟରେ ୧୫୪୨ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ରାଜ୍ୟରେ ସମୁଦାୟ ୨୭୧୧ଟି ପ୍ୟାକ୍ସ ଥିବାବେଳେ, ରାଜ୍ୟ ସରକାର ଆଉ ୧୫୪୨ଟି ନୂଆ ବହୁମୁଖୀ ପ୍ୟାକ୍ସ ଗଠନ କରିଛନ୍ତି । ଏହାଦ୍ୱାରା ରାଜ୍ୟର ସମୁଦାୟ ପ୍ୟାକ୍ସ ସଂଖ୍ୟା ୪୨୫୩ରେ ପହଞ୍ଚିଛି । ସମବାୟ ଆନ୍ଦୋଳନକୁ ଲୋକାଭିମୁଖୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ସମବାୟ ବିଭାଗ ଆନୁକୂଲ୍ୟରେ ବିଭିନ୍ନ ନୂତନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ଆମ ସରକାର ପ୍ରାଧାନ୍ୟ ଦେଉଛନ୍ତି । ଏଥିରେ ସମୁଦାୟ ୫୪ଟି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ଏଗୁଡିକ ମଧ୍ୟରୁ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହେଉଛି, ପାକ୍କ ଓ ଲ୍ୟାମ୍ପସଗୁଡିକୁ ବହୁମୁଖି କରିବା ପାଇଁ ମଡେଲ ବାଇ-ଲ ପ୍ରଚଳନ; କମ୍ପ୍ୟୁଟରିକରଣ ମାଧ୍ୟମରେ ପାକ୍ସଗୁଡିକୁ ସ୍ୱଚ୍ଛ ଓ ମଜଭୁତ କରିବା, ସାର ଓ ବିହନ ଯୋଗାଣ, ଜନ ଔଷଧୀ କେନ୍ଦ୍ର ଓ କମନ୍ ସର୍ଭିସ ସେଣ୍ଟର ସ୍ଥାପନ, କୃଷି ସେବା କେନ୍ଦ୍ର ସ୍ଥାପନ, କଂଜୁମର ଷ୍ଟୋର ସ୍ଥାପନ, ବୈଜ୍ଞାନିକ ପଦ୍ଧତିରେ ଶସ୍ୟ ସଂରକ୍ଷଣ କେନ୍ଦ୍ର ସ୍ଥାପନ ଇତ୍ୟାଦି। ଗୁଜରାଟ ପରି ଓଡ଼ିଶାରେ ସମବାୟ ଆନ୍ଦୋଳନକୁ ଏକ ଗଣ ଆନ୍ଦୋଳନରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହା ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୭୭ଟି ପ୍ୟାକ୍ସକୁ ମଡେଲ୍ ପ୍ୟାକ୍ସ ଭାବରେ ବିକଶିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ମଡେଲ ପ୍ୟାକ୍ସ ଗୁଡିକ ଗୋଟିଏ ଗୋଟିଏ ୱାନ ଷ୍ଟପ ସପ ଭଳି କାର୍ଯ୍ୟ କରି ବ। ଅର୍ଥାତ ଗୋଟିଏ ଛାତ ତଳେ କୃଷି ସମ୍ବନ୍ଧୀୟ ସବୁ ପ୍ରକାର ସୁବିଧା ମିଳିବ। ଫଳରେ ମଡେଲ ପାକ୍ସ ଓ ଲ୍ୟାମ୍ସଗୁଡ଼ିକ ସମବାୟ ସମିତିଙ୍କୁ ସଶକ୍ତ କରିବ । ସମବାୟ ସଂସ୍ଥା ଗୁଡ଼ିକ ଚାଷୀଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେଇ ସେମାନଙ୍କ ସମସ୍ୟାର ରିଅଲ୍ ଟାଇମ୍ ସେଟଲମେଣ୍ଟ କରିବା ଆବଶ୍ୟକ। ନହେଲେ କମ୍ପ୍ୟୁଟରୀକରଣର କୌଣସି ଅର୍ଥନାହିଁ । ଅନେକ ସଂସ୍ଥା ଏବେ ବି ଏକ୍ସେଲ ସିଟ୍ରେ ହିସାବ କିତାବ କରି ଅପଲୋଡ୍ କରୁଛନ୍ତି । ଏହାଦ୍ୱାରା ଦୁର୍ନୀତି ପ୍ରଶ୍ରୟ ପାଉଛି । ତେଣୁ ସବୁ ପ୍ରାଥମିକ ସମବାୟ ସମିତିର ଖାତାପତ୍ର ଅଡିଟ୍ କରିବାକୁ ପଡ଼ିବ । କୃଷକଙ୍କ ସହିତ ପଶୁପାଳନ, ମତ୍ସ୍ୟଚାଷ, ବାସଗୃହ, ବୟନ ଶିଳ୍ପ ତଥା ମହିଳାଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନାକୁ ହିତାଧିକାରୀଙ୍କ ପହଞ୍ଚାଇବା କାମ ହେଉଛି ପ୍ରାଥମିକ କୃଷି ସମବାୟ ସମିତି ପରି ସଂସ୍ଥା ଗୁଡିକର।
ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର କୃଷି କ୍ଷେତ୍ରରେ ସମବାୟ ସଂସ୍ଥାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଓଡ଼ିଶା ବୋଧହୁଏ ଏକମାତ୍ର ରାଜ୍ୟ ଯେଉଁଠି ମୋଟ୍ ଫସଲ ଋଣର ୬୦%ରୁ ଅଧିକ ସମବାୟ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥାଏ ଏବଂ ବ୍ୟବସାୟିକ ବ୍ୟାଙ୍କମାନେ ପ୍ରାୟ ୩୦% ପ୍ରଦାନ କରିଥାନ୍ତି । ଗତ କିଛି ବର୍ଷ ହେବ ଋଣ ନାଁରେ ଏଭର ଗ୍ରୀନିଂ ରୀତି ଚାଲିଥିଲା । ଆଶା କରୁଛି, ଯେ ବର୍ତ୍ତମାନ ଏହା ଆଉ ହେଉନାହିଁ ଏବଂ ଚାଷୀମାନେ ପ୍ରକୃତରେ ଋଣ ପାଉଛନ୍ତି । ଓଡ଼ିଶାର ଚାଷୀମାନେ ଏକ ଲକ୍ଷ ଟଙ୍କା ବିନା ସୁଧରେ ଫସଲ ଋଣ ପାଉଛନ୍ତି । ରାଜ୍ୟରେ ଦୁଗ୍ଧ ଚାଷୀ ମାନଙ୍କ ପାଇଁ ଓମଫେଡ୍ ଏକ ମେରୁଦଣ୍ଡ ସଦୃଶ ହୋଇଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦୁଗ୍ଧ ଚାଷୀମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ରେ କାମଧେନୁ ସହିତ ଗୋ-ମାତା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ଗୋପାଳପୁର ସମବାୟ ତାଲିମ କେନ୍ଦ୍ରର ବିକାଶ ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷରିତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ କେତେକ ସମବାୟ ସଂସ୍ଥାର ସଦସ୍ୟଙ୍କୁ ମାକ୍ରୋ ଏଟିଏମ୍ ରୁପେୟା କାର୍ଡ ପ୍ରଦାନ କରିଥିଲେ ବୋଲି କହିଛନ୍ତି ।