ପୋଲିସ କର୍ମଚାରୀଙ୍କ ପାଇଁ ଖୁସି ଖବର: ଏଣିକି ପୂର୍ବରୁ ମିଳୁଥିବା ଏକ ମାସର ଅଧିକ ଦରମା ବେତନ ହାରରେ ପାଇବେ
ଭୁବନେଶ୍ୱର : ପୋଲିସ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ହାବିଲଦାର, କନଷ୍ଟେବଳ ଓ ସିପାହୀମାନେ ପୂର୍ବରୁ ମିଳୁଥିବା ଏକ ମାସର ଅଧିକ ଦରମା ନୂତନ ବେତନ ହାରରେ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି । ଏହା ସହ ହାବିଲଦାର ଓ କନଷ୍ଟେବଳମାନେ ପୂର୍ଵରୁ ସାଇକେଲ ଭତ୍ତା ବାବଦରେ ମାତ୍ର ୩ ଶହ ଟଙ୍କା ପାଉଥିଲେ ଏବେ ମୋଟର ସାଇକେଲ ଭତ୍ତା ବାବଦରେ ଏକ ହଜାର ଟଙ୍କା ପାଇବେ । ସେହିପରି ପୂର୍ବରୁ ପୋଷାକ, ଜୋତା ଇତ୍ୟାଦି ବାବଦରେ ପାଉଥିବା ୫ ହଜାର ଟଙ୍କା ବଦଳରେ ଏଣିକି ୧୦ ହଜାର ଟଙ୍କା ମିଳିବ ବୋଲି ଓଡ଼ିଶା ହାବିଲଦାର, କନଷ୍ଟେବଲ, ସିପାହୀ ମହାସଂଘ ଉତ୍ସବରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।
ଏହାସହ ଖୁବଶୀଘ୍ର ରାଜ୍ୟର ପ୍ରତି ଥାନାକୁ ମୋଟର ସାଇକେଲ ଯୋଗାଇ ଦେବାସହ ଏହି ବାବଦରେ ଅତିରିକ୍ତ ବଜେଟରେ ୩୫ କୋଟି ଟଙ୍କାର ପ୍ରାବଧାନ କରାଯାଇଛି ବୋଲି ସେ କହିଥିଲେ । ସେହିପରି ରାଜ୍ୟରେ ଅତିରିକ୍ତ CAPF ପ୍ରତିଷ୍ଠା ପାଇଁ ୨୯୯ କୋଟି ଟଙ୍କା ଏବଂ ପୋଲିସର ତ୍ଵରିତ ଗମନାଗମନ ପାଇଁ ୧୬ କୋଟି ଟଙ୍କା ପ୍ରବଧାନ କରାଯାଇଛି, ଯେଉଁଥିରେ ୬୪୯ ଗୋଟି ଉତ୍କୃଷ୍ଟ ଯାନ ପୋଲିସକୁ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ଅବସରରେ ଶ୍ରୀ ମାଝୀ କହିଥିଲେ, ରାଜ୍ୟର ପ୍ରଗତି ପାଇଁ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଭୂମିକା ରାଜ୍ୟର ପୁଲିସ ବଳ ତୁଲାଇଥାନ୍ତି। ବିଭାଗରେ କନେଷ୍ଟବଳ ଏବଂ ସିପାହିମାନେ ସବୁଠାରୁ ଗୁରୁ ଦାୟିତ୍ବ ତୁଲାଉଛନ୍ତି। ତୃଣମୂଳ ସ୍ତରରେ ଆଇନ ଶୃଙ୍ଖଳାଠାରୁ ଆରମ୍ଭ କରି ଗୁଇନ୍ଦା ପାଇଁ ଖବର ସଂଗ୍ରହ କରିବା ପରି ଦାୟିତ୍ବ ତୁଲାଉଛନ୍ତି। ସେମାନେ ହିଁ ବିଭାଗର ମେରୁଦଣ୍ଡ ସଦୃଶ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କନଷ୍ଟେବଳ ଏବଂ ସିପାହୀ ମାନଙ୍କ ସହଯୋଗ ବିନା ପୋଲିସ କେବେ ସଶକ୍ତ କିମ୍ବା ସମୃଦ୍ଧ ହୋଇ ପାରିବ ନାହିଁ ବୋଲି କହିଥିଲେ। ପ୍ରତିକୂଳ ପରିସ୍ଥିତିରେ ଥାଇ ମଧ୍ୟ ଜନସାଧାରଣଙ୍କୁ ସୁରକ୍ଷା ଦେବା ସହ ଗୁଣାତ୍ମକ ପୋଲିସ ସେବା ଯୋଗାଇ ଦେବା ଆମର ପ୍ରାଥମିକ କର୍ତବ୍ୟ ହେବା ଉଚିତ ବୋଲି ଡିଜିପି ଶ୍ରୀ ଖୁରାନିଆ ମତବ୍ୟକ୍ତ କରିଥିଲେ। “ସେବା ଓ ସୁରକ୍ଷା” ସ୍ଲୋଗାନ କୁ ପାଥେୟ କରି ସମସ୍ତେ ମିଳିମିଶି , ଓଡିଶା ପୋଲିସ କୁ ସଶକ୍ତ, ସମୃଦ୍ଧ ଏବଂ ଜନସାଧାରଣଙ୍କ ପ୍ରତି ଉତ୍ସର୍ଗୀକୃତ ହେବା ନିମନ୍ତେ ଡିଜିପି ଶ୍ରୀ ଖୁରାନିଆ ଆହ୍ଵାନ ଦେଇଥିଲେ।