ଗୋରୀ ଓ ମଲ୍ଲୀ ପରେ ଶୋଭା ବଢାଇବ ଆଉ ଏକ ଧଳା କୁମ୍ଭୀର । ଯାହାର ନାଁ ସୁନ୍ଦରୀ ରଖିବାକୁ ଦାବି ହୋଇଛି । ଭିତରକନିକାରେ ପୁଣି ଏକ ଧଳା କୁମ୍ଭୀରକୁ ନେଇ ପରିବେଶବିତ୍ ଖୁସି ପ୍ରକାଶ କରିଛନ୍ତି । ପ୍ରକୃତି ପ୍ରେମୀଙ୍କ ମଧ୍ୟରେ ଏବେ ସଂଚାର ହୋଇଛି ନୂତନ ଆଶା । ବିରଳ ବଉଳା କୁମ୍ଭୀରର ବଂଶ ବୃଦ୍ଧି ଓ ଏହା ଉପରେ ଗବେଷଣା ନେଇ ୧୯୭୫ ମସିହାରେ ଡାଙ୍ଗମାଳଠାରେ ଆରମ୍ଭ ହେଲା କୁମ୍ଭୀର ଚାଷ ପ୍ରକଳ୍ପ। ଅଷ୍ଟ୍ରେଲିଆର ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ଡା ଏଚ୍ ଆର ବଷ୍ଟାର୍ଡଙ୍କ ନେତୃତ୍ୱରେ ଭାରତର ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ଡ. ସୁଧାକର କର ଓ ଡ. ଚନ୍ଦ୍ର ଶେଖର କରଙ୍କୁ ନେଇ ଆରମ୍ଭ ହେଲା ଏହି କୁମ୍ଭୀର ଚାଷ ପ୍ରକଳ୍ପ।
ପ୍ରକୃତିରେ ଥିବା କୁମ୍ଭୀର ବସାରୁ ଅଣ୍ଡା ଗୁଡିକୁ ସଂଗ୍ରହ କରାଯାଇ କୃତ୍ରିମ ପ୍ରଜନନ ପାଇଁ ହ୍ୟାଚେରୀରେ ରଖାଗଲା। ଏହି ପ୍ରକଳ୍ପ ଆରମ୍ଭରେ ଜନ୍ମ ନେଇଥିଲା ଧଳା କୁମ୍ଭୀର ଗୋରୀ। ପରବର୍ତ୍ତୀ ସମୟରେ ଅନ୍ୟ ଏକ ଧଳା କୁମ୍ଭୀର ମଲ୍ଲୀକୁ ଉଦ୍ଧାର କରାଯାଇ ଗୋରୀ ନିକଟରେ ଏକ ଆବଦ୍ଧ ଜଳାଶୟରେ ରଖାଯାଇଛି। ଆଉ ଏବେ ଭିତରକନିକାରେ ଅନ୍ୟ ଏକ ମାଇ ଧଳା କୁମ୍ଭୀର ଦେଖିବା ପାଇଁ ମିଳିଛି। ଧଳା କୁମ୍ଭୀରଟି ହ୍ୟାଚେରୀ ମଧ୍ୟରେ ଥିବାବେଳେ ଏହାର ଲମ୍ବ ଅଢେଇ ଫୁଟ ବୋଲି ଜଣାପଡ଼ିଛି। ଖାଇବା ପାଇଁ ଏହି ନୂଆ କୁମ୍ଭୀରଟିକୁ ଛୋଟ ଚିଙ୍ଗୁଡି ମାଛ ଦିଆଯାଉଛି। ବନବିଭାଗ ତାର ସ୍ୱତନ୍ତ୍ର ଭାବେ ଯତ୍ନ ନେଉଛି।
ପ୍ରଥମ ଧଳା କୁମ୍ଭୀର ଗୋରୀ ଦୀର୍ଘ ୪୬ ବର୍ଷ ପରେ ମଧ୍ୟ ମାତୃତ୍ୱ ଲାଭ କରି ପାରିନାହିଁ। ଆବଦ୍ଧ ଜଳାଶୟ ମଧ୍ୟରେ ରହିଥିବାରୁ ପ୍ରଜନନ ଋତୁ ସମୟରେ ବାହାରର ପୁରୁଷ କୁମ୍ଭୀରକୁ ସାଥୀ ଭାବେ ସହଜରେ ଗ୍ରହଣ କରି ପାରୁନାହିଁ। ବନବିଭାଗ ଗୋରୀକୁ ମାଆ କରିବା ପାଇଁ ଏକାଧିକ ବାର ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନାହିଁ। ଅପରପକ୍ଷରେ ଗୋରୀ ଓ ପୁରୁଷ କୁମ୍ଭୀର ସହିତ ଯୁଦ୍ଧ ଫଳରେ ସେ ନିଜେ ଗୋଟିଏ ଆଖି ହରାଇବା ସହ ଅଳ୍ପକେ ବର୍ତ୍ତିଯାଇଛି। ସେହିପରି ମଲ୍ଲୀ ମଧ୍ୟ ଆବଦ୍ଧ ଜଳାଶୟ ମଧ୍ୟରେ ରହିଥିବାରୁ ଆଜି ପଯ୍ୟର୍ନ୍ତ ମାଆ ହୋଇ ପାରିନାହିଁ। କିନ୍ତୁ ଏବେ ଧଳା କୁମ୍ଭୀରର ବଂଶ ବୃଦ୍ଧି ନେଇ ଆଶା ସଂଚାର ହୋଇଛି। ଯଦି ବନ ବିଭାଗ ଏବେଠାରୁ ଯତ୍ନବାନ ହେବ ହୁଏତ ଏହି ଧଳା କୁମ୍ଭୀରରୁ ବଂଶବୃଦ୍ଧି ହେବାର ସମ୍ଭାବନା ସୃଷ୍ଟି ହେବ। ଧଳା କୁମ୍ଭୀର ଗୋରୀ ଓ ମଲ୍ଲୀ ପରେ ଏହି ଧଳା କୁମ୍ଭୀରର ନାମ ସୁନ୍ଦରୀ ରଖାଯାଉ ବୋଲି ପରିବେଶବିତ ମାନେ ମତ ଦେଇଛନ୍ତି।