କିଟ୍‍ ଓ କିସ୍‍ ପରିଦର୍ଶନ କଲେ ଗୋପିଓର ସଦସ୍ୟ ଓ କର୍ମକର୍ତ୍ତାମାନେ

ଭୁବନେଶ୍ୱର : ଭୁବନେଶ୍ୱରରେ ଆସନ୍ତକାଲିଠୁ ୩ ଦିନ ଧରି ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ଗ୍ଲୋବାଲ୍‍ ଅର୍ଗାନାଇଜେସନ୍‍ ଅଫ୍‍ ପିପୁଲ୍‍ ଅଫ୍‍ ଇଣ୍ଡିଆନ୍‍ ଅରିଜିନ୍‍ (ଗୋପିଓ)ର ସଦସ୍ୟମାନେ କିଟ୍‍ ଓ କିସ୍‍ ପରିଦର୍ଶନ କରିଛନ୍ତି । କିସ୍‍ ପରିଦର୍ଶନ କରି କିସ୍‍ର ୪୦ ହଜାର ଛାତ୍ରଛାତ୍ରୀଙ୍କୁ ସେମାନେ ସମ୍ବୋଧିତ କରିବା ପରେ କିଟ୍‍ ପରିସରରେ ଆୟୋଜିତ ‘ଭାରତ ୨୦୨୫ ଏବଂ ଭାରତୀୟ ବଂଶୋଦ୍ଭବ- ଏକ ଭାବ ବିନିମୟ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିରେ ବିଶ୍ୱର ୩୦ଟି ଦେଶର ୧୪୦ଜଣ ପ୍ରତିନିଧି ଯୋଗ ଦେଇଥିଲେ।

ଏହି ଅବସରରେ ଗୋପିଓ ଇଣ୍ଟରନ୍ୟାସ୍‍ନାଲ୍‍ ପକ୍ଷରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ପ୍ରଥମ ପିଆଇଓ ଏକ୍‍ସଲେନ୍‍ସ ସମ୍ମାନ ପ୍ରଦାନ କରାଯାଇଥିଲା। ଶିକ୍ଷା ଓ ଜନଜାତି ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ଓଏସ୍‍ଡି ସନ୍‍ମୁଗନ୍‍ ମୁକ୍କାନ ଓ ଜେଏନ୍‍ୟୁର ଇଣ୍ଟରନ୍ୟାସ୍‍ନାଲ୍‍ ଷ୍ଟଡିଜ୍‍ ବିଭାଗ ମୁଖ୍ୟ ପ୍ରଫେସର ଅଜୟ କୁମାର ଦୁବେଙ୍କୁ ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

ସମ୍ମିଳନୀରେ ଗୋପିଓର ସଦସ୍ୟ ଓ କର୍ମକର୍ତ୍ତାମାନେ ବିଶ୍ୱସ୍ତରରେ କିଭଳି ଓଡ଼ିଶା ତଥା ଭାରତୀୟ ସଂସ୍କୃତି, ପରମ୍ପରା, ଐତିହ୍ୟ ଆଦିର ପ୍ରଚାର ପ୍ରସାର କରାଯାଇପାରିବ ସେ ନେଇ ଆଲୋଚନା କରିଥିଲେ । ଭାରତୀୟ ସଂସ୍କୃତିର ମୂଳମନ୍ତ୍ର ସର୍ବେ ଭବନ୍ତୁ ସୁଖୀନଃ ଓ ବସୁଧୈବ କୁଟୁମ୍ବକମ୍‍ ଆଜି ମଧ୍ୟ ଗୁରୁତ୍ୱ ବହନ କରେ। ବିଭିନ୍ନ ଦେଶରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଓ ଭାରତୀୟଙ୍କ ମଧ୍ୟରେ କିଭଳି ସମନ୍ୱୟ, ସହଭାଗିତା, ସହଯୋଗିତା, ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ କ୍ରିୟାଶୀଳ ସମ୍ପର୍କ ବଜାୟ ରହିବ ତାହା ଉପରେ ଆଲୋକପାତ କରିଥିଲେ।

ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ଗୋପିଓ ଇଣ୍ଟରନ୍ୟାସ୍‍ନାଲ୍‍ର ସଭାପତି ଡ. ପୋନ୍ନୁସାମି ମୁଥେୟା, ଉପସଭାପତି ବିନୟ ଦୁସୋୟେ ଓ ମହାସଚିବ ଏ ରବୀନ୍ଦ୍ରନ୍‍ ଅର୍ଜୁନନ୍‍ ପ୍ରମୁଖ ଯୋଗ ଦେଇ ଏହି ସମ୍ମିଳନୀ ଭାରତୀୟ ବଂଶୋଦ୍ଭବ ଓ ଭାରତୀୟଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ଦୃଢ଼ କରିବ ବୋଲି ମତ ଦେଇଛନ୍ତି। ଏହି ଅବସରରେ କିଟ୍‍ ବିଶ୍ୱବିଦ୍ୟାଳୟରେ ଗୋପିଓ ଇଣ୍ଟରନ୍ୟାସ୍‍ନାଲ୍‍ ଚେୟାର ପ୍ରତିଷ୍ଠା ନେଇ ଗୋପିଓ ଇଣ୍ଟରନ୍ୟାସ୍‍ନାଲ୍‍ ଓ କିଟ୍‍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।

ବୁଝାମଣାପତ୍ରରେ କିଟ୍‍ ପକ୍ଷରୁ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ଓ ଗୋପିଓ ଇଣ୍ଟରନ୍ୟାସ୍‍ନାଲ୍‍ ପକ୍ଷରୁ ଏହାର ମହାସଚିବ ଏ ରବୀନ୍ଦ୍ରନ୍‍ ଅର୍ଜୁନନ୍‍ ସ୍ୱାକ୍ଷର କରିଥିଲେ । ଗୋପିଓ ସଦସ୍ୟମାନେ ଆଜି କିଟ୍‍ ଓ କିସ୍‍ ପରିଦର୍ଶନ କରି ଅଭିଭୂତ ହୋଇ ଡ. ଅଚ୍ୟୁତ ସାମନ୍ତଙ୍କ ଏଭଳି ଉତ୍ସର୍ଗୀକୃତ ଓ ମାନବୀୟ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ଡ. ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ସଭାପତିତ୍ୱ କରିଥିଲେ ଓ ଉପକୁଳପତି ପ୍ରଫେସର ଦେବାଶିଷ ବନ୍ଦୋପାଧ୍ୟାୟ ଧନ୍ୟବାଦ ପ୍ରଦାନ କରିଥିଲେ ।