ଭିଜିଲାନ୍ସ ପଞ୍ଝାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ୨୩ ଘଣ୍ଟା ଧରି ଚାଲିଥିଲା ରେଡ୍‌

ଭୁବନେଶ୍ୱର (କେନ୍ୟୁଜ ):ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆୟବହିର୍ଭୁତ ସମ୍ପତ୍ତି ମାମଲାରେ ୨୩ ଘଣ୍ଟା ପରେ ଫେରିଲା ଭିଜିଲାନ୍ସ । ପ୍ରଦୀପ ଓ ତାଙ୍କ ସହଯୋଗୀଙ୍କ ଘର ସମେତ ୧୫ଟି ସ୍ଥାନରେ ଏକକାଳୀନ ରେଡ୍‌ ହୋଇଥିଲା । ଭୁବନେଶ୍ୱର ବାସଭବନରେ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ଝିଅ, ଝିଆରୀ, ଶାଶୁ ଓ ପୁତୁରାକୁ ଜେରା କରିଥିଲା ଟିମ୍‌। ଖୋଳତାଡ ବେଳେ ତାଙ୍କ ଘର ଜମି, ଗାଡ଼ି, ଗହଣା ଓ ଅନ୍ୟାନ୍ୟ ଦାମୀ ଜିନିଷ କିଣିବା ନେଇ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ପାସବୁକ୍‌, କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ, ଲାପଟପ୍‌, ମୋବାଇଲ୍‌ ଆଦି ସିଜ୍‌ କରିଛି ଭିଜିଲାନ୍ସ ଟିମ୍‌ ।

କଟକ ଭିଜିଲାନ୍ସ ସେଲ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସଂଧ୍ୟା ସୁଦ୍ଧା ବିଧାୟକ ଡ. ପ୍ରଦୀପଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ଘରୁ ଜମି କାଗଜପତ୍ର, ଗାଡ଼ି, ସୁନା ଗହଣା, ବ୍ୟାଙ୍କ ପାସବୁକ୍‌, ‌କ୍ରେଡିଟ୍‌ ଏବଂ ଡେବିଟ୍‌ କାର୍ଡ଼, ଲାପଟପ୍‌ ଓ ମୋବାଇଲ୍‌ ମିଳିଛି। ଏହା ସହିତ ଜଣେ ସହଯୋଗୀଙ୍କ ଘରୁ ୨୦ଲକ୍ଷ ଟଙ୍କା ଜବତ କରାଯାଇଥିବା କଟକ ଭିଜିଲାନ୍ସ ସେଲ୍‌ ତରଫରୁ ଜାରି କରାଯାଇଥିବା ପ୍ରେସ୍‌ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ପୂର୍ବରୁ ୫ କୋଟିରୁ ଅଧିକ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଜାଣିବାକୁ ପାଇଥିଲା ଭିଜିଲାନ୍‌ସ । ଏବେ ପ୍ରମାଣ ଖୋଜୁଛି । ଟାଟା ମୋଟର୍ସରେ ଜାଲ ନିଯୁକ୍ତି ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିଲେ ପ୍ରଦୀପ । ଏବେ ଜାମିନରେ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.