କାର୍ତ୍ତିକ ମାସରେ ଭଗବାନ ଶ୍ରୀକୃଷ୍ଣଙ୍କ ସହ ଗୋମାତା ପୂଜା କଲେ ମିଳିଥାଏ କୋଟି ପୂଣ୍ୟ

ନୂଆପଡା: ହିନ୍ଦୁ ଧର୍ମରେ ଭଗବାନ ଶ୍ରୀକୃଷ୍ଣଙ୍କ ସହ ଗୋମାତାକୁ ପୂଜାକଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ଏହାକୁ ବିଶ୍ଵାସ କରି ଯାଦବମାନେ ପ୍ରତିବର୍ଷ କାର୍ତ୍ତିକମାସ ଶୁକ୍ଲପକ୍ଷ ଅଷ୍ଟମୀଠାରୁ ଦଶମୀ ଯାଏଁ ତିନିଦିନ ଧରି ଭଗବାନ ଶ୍ରୀକୃଷ୍ଣଙ୍କ ସହ ଗୋମାତାକୁ ପୂଜା କରିଆସୁଛନ୍ତି । ଚଳିତ କାର୍ତିକମାସ ଶୁକ୍ଲପକ୍ଷ ଅଷ୍ଟମୀ, ଅଁଳା ନବମୀ ଓ ଦଶମୀ ତିନିଦିନ ଧରି ଖଡିଆଳ ବ୍ଲକ ଠକପାଲି ଗାଁରେ ଶ୍ରୀକୃଷ୍ଣଙ୍କ ଗୋଷ୍ଠାଷ୍ଟମୀ ପୂଜାକୁ ନେଇ ବେଶ ଚଳଚଞ୍ଚଳ ହୋଇପଡିଛି । ଠକପାଲି ଗାଁରେ ତିନିଦିନ ଧରି ଭଗବାନ ଶ୍ରୀକୃଷ୍ଣଙ୍କ ଆକର୍ଷଣୀୟ ମୃଣ୍ମୟ ମୂର୍ତ୍ତିକୁ ଶୋଡଷ ଉପଚାରରେ ପୂଜାର୍ଚ୍ଚନା କରାଯାଉଛି । ଏହି ଅବସରରେ ଭଗବାନ ଶ୍ରୀକୃଷ୍ନଙ୍କ ଆଶୀର୍ବାଦ ନେବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ଜମିବାରେ ଲାଗିଛି ।

ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକ ସାଜସଜ୍ଜାରେ ଗୋଷ୍ଠାଷ୍ଟମୀ ପୂଜା ମଣ୍ଡପ ଝଲସି ପଡୁଛି । ବିଶ୍ଵାସ ରହିଛି ଗୋମାତାଙ୍କ ଦେହରେ ୩୩ କୋଟି ଦେବତା ବସବାସ କରନ୍ତି । ଏଣୁକରି କାର୍ତ୍ତିକ ମାସରେ ଭଗବାନ ଶ୍ରୀକୃଷ୍ଣଙ୍କ ସହ ଗୋମାତାକୁ ପୂଜାକଲେ ବିଶ୍ଵର କଲ୍ୟାଣ ହୋଇଥାଏ ବୋଲି ଭକ୍ତମାନଙ୍କ ଅଗାଢ ବିଶ୍ଵାସ ରହିଛି । ଏଥିସହ ଗୋମାତାର ସୁରକ୍ଷା ପ୍ରତି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଗୋଷ୍ଠାଷ୍ଟମୀ ପୂଜା କରିବାର ମୂଳ ଲକ୍ଷ୍ୟ ରହିଛି । ଚଳିତବର୍ଷ ଠକପାଲି ଗ୍ରାମବାସୀ ଭଗବାନ ଶ୍ରୀକୃଷ୍ଣଙ୍କ ଗୋଷ୍ଠାଷ୍ଟମୀ ପୂଜାକୁ ବହୁ ଯାକ ଯମକରେ ପାଳନ କରୁଥିବା ସ୍ଥାନୀୟ ଭକ୍ତମାନେ କହିଛନ୍ତି ।

ଯାଦବ ସଂପ୍ରଦାୟର ଲୋକମାନେ ଦୀର୍ଘ ୧୫ ବର୍ଷ ଧରି ଭଗବାନ ଶ୍ରୀକୃଷ୍ଣଙ୍କ ସହ ଗୋମାତା ପୂଜାକୁ ଧୂମଧାମରେ ପାଳନ କରି ଆସୁଛନ୍ତି । ଏବର୍ଷ ମଧ୍ୟ କାର୍ତ୍ତିକ ମାସର ଅଷ୍ଟମୀ ଦିନଠାରୁ ତିନିଦିନ ଧରି ଗୋଷ୍ଠାଷ୍ଟମୀ ପୂଜାକୁ ଯାକଜମକରେ ପାଳନ କରାଯାଉଛି । ଏହି ଅବସରରେ ପ୍ରଥମେ ଶହଶହ ସଂଖ୍ୟାରେ ଯାଦବ ମହିଳାମାନେ କଳସ ଯାତ୍ରା କରିଥିବା ବେଳେ ଯାଦବମାନଙ୍କର ପାରମ୍ପରିକ ଗଉଡବାଡି ନୃତ୍ୟ , ଘୁମୁରା ନୃତ୍ୟ ତାଳେତାଳେ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କଲାପରେ ଗୋଷ୍ଟାଷ୍ଠମୀ ପୂଜା ମଣ୍ଡପକୁ ପହଂଚିଥିଲା । ପରେ ଗୋଷ୍ଠାଷ୍ଟମୀ ପୂଜା ମଣ୍ଡପରେ ଭଗବାନ ଶ୍ରୀକୃଷ୍ଣଙ୍କ ମୃଣମୟ ମୂର୍ତୀକୁ ଶୋଡଷ ଉପଚାରରେ ହୋମଯଜ୍ଞ ସହ ମନ୍ତ୍ରପାଠରେ ପୂଜା ଅର୍ଚ୍ଚନା କରାଯାଇଥିଲା । ଏଥିସହ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଆଳତୀ ହେବା ସହିତ ରାତ୍ରୀରେ ଦର୍ଶକମାନଙ୍କ ମନୋରଂଜନ ପାଇଁ କଲାହାଣ୍ଡି ଜିଲା ଧର୍ମଗଡ ଛିଲିପାର ନାଟକ ଚାନ୍ଦନୀ ଝୁରୁଛି ଚନ୍ଦନ ପାଇଁ ଏବଂ ମଝେନପଦର ଗାଁର ଭରଷା ଭାଂଗିଳା ବରଷା ରାଣି ନାଟକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ଏହାକୁ ଦେଖିବା ପାଇଁ ପ୍ରତିଦିନ ହଜାର ହଜାର ଭକ୍ତମାନଙ୍କ ବେଶ ଭିଡ ଜମିବାରେ ଲାଗିଛି ।

You might also like