ମମିତା ହତ୍ୟା ମାମଲା: ଆଜି ସରୁଛି ଗୋବିନ୍ଦର ୫ ଦିନିଆ ରିମାଣ୍ଡ ଅବଧି, ପୋଲିସକୁ ମିଳିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ

ବଲାଙ୍ଗିର(କେନ୍ୟୁଜ୍):  ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ହତ୍ୟା ମାମଲାରେ ତଦନ୍ତକୁ ଜୋରଦାର କରିଛି ପୋଲିସ । ଆଜି ସରୁଛି ଗୋବିନ୍ଦ ସାହୁର ୫ ଦିନିଆ ରିମାଣ୍ଡ ଅବଧି। ରାତି ଅଧିଆ ମେଡିକାଲ ଟେଷ୍ଟ ପରେ ବଙ୍ଗୋମୁଣ୍ଡା JMFC କୋର୍ଟରେ ହାଜର ହେବ ଗୋବିନ୍ଦ। ଗୋବିନ୍ଦକୁ ୫ ଦିନିଆ ରିମାଣ୍ଡରେ ନେଇ ହତ୍ୟାକାଣ୍ଡର ଅନେକ ତଥ୍ୟ ଉଗାରିଛି ପୋଲିସ। କେଉଁଠି, କେମିତି ଶିକ୍ଷୟିତ୍ରୀ ମମିତାଙ୍କୁ ହତ୍ୟା କରିଥିଲା । ଡେମୋ ଦେଖାଇଥିଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ। ସହଯୋଗୀ ଡ୍ରାଇଭର ରାଧେଶ୍ୟାମ ଚଣ୍ଡି କିପରି ସହଯୋଗ କରିଥିଲେ ତାହା କହିଥିଲା ଅଭିଯୁକ୍ତ। ରାଧେ ଘରୁ ମିଳିଥିବା ବ୍ୟାଗକୁ ନେଇ ରାତିରେ ଜେରା କରିଛି ପୋଲିସ। ପୋଲିସ ବାରାକରେ ୩ ଘଣ୍ଟା ଧରି ଉତ୍ତରାଞ୍ଚଳ DIG ଓ SPଙ୍କ ଉପସ୍ଥିତିରେ ଗୋବିନ୍ଦକୁ ପଚରାଉଚରା କରାଯାଇଛି। ସେପଟେ ବଲାଙ୍ଗୀର ଏସ୍‌ପିଙ୍କୁ ଭେଟି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀ ଦେବାକୁ ଦାବି କରିଛନ୍ତି ମମିତାଙ୍କ ବାପାମାଆ।

ଆଇନ ପାଠ ପଢିଥିଲା ଗୋବିନ୍ଦ। ତେଣୁ ଅପରାଧ ଲୁଚାଇ ଆଇନ ଜାଲକୁ ଖସିବାକୁ ସବୁ ଚେଷ୍ଠା କରିଥିଲା। ବିଫଳ ହୋଇଛି ତା ଉଦ୍ୟମ। ସେପଟେ ରାଧେ ଘରୁ ଜବତ ବ୍ୟାଗ, ମହିଳା ପୋଷାକ ଓ ମୋବାଇଲ କାହାର ତାହା ଜଣା ପଡି ନାହିଁ। ମୋବାଇଲ ମମତାଙ୍କର ନୁହଁ ବୋଲି ପରିବାର ଲୋକେ ପୋଲିସକୁ ସୂଚନା ଦେଇଛନ୍ତି। ଗୋବିନ୍ଦ ବି ସ୍ପଷ୍ଟ କରି ସାରିଛି ସେ ମମିତାଙ୍କ ମୋବାଇଲ ପୋଡି ନଷ୍ଟ କରି ଦେଇଛି।

 ସେପଟେ କ୍ରାଇମ୍‌ସ୍ପଟ ମହାଲିଙ୍ଗ ନିର୍ମାଣଧୀନ ମିନି ଷ୍ଟାଡିୟମ ଦେଖିଲେ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା । ମହାଲିିଙ୍ଗ ଷ୍ଟାଡିୟମରୁ ବାହାରି କେଗାଁ ଥାନାକୁ ଯାଇଥିଲେ । ଏହାପରେ ଭବାନୀପାଟଣା ଯାଇଥିଲେ। କଳାହାଣ୍ଡି ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ ଓ କଳାହାଣ୍ଡି ଏସ୍‌ପିଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି। ତା ପୂର୍ବରୁ ମମିତାଙ୍କ ପରିବାରକୁ ଭେଟି ଆଲୋଚନା କରିଥିଲେ ମହିଳା କମିଶନ ଅଧ୍ୟକ୍ଷା। ଗୋବିନ୍ଦ ସାହୁକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ମମିତାଙ୍କ ବାପା ଦାବି କରିଛନ୍ତି।

Leave A Reply

Your email address will not be published.