ବଦଳି ପାଇଁ ଚାପ ପକାଇଲେ କାର୍ଯ୍ୟାନୁଷ୍ଠାନ, ସବୁ ବିଭାଗର ସଚିବମାନଙ୍କୁ ଚିଠି କଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର : ବଦଳି ଚାପ ହେବ ବୁମେରାଂ । ବଦଳି ପାଇଁ ଚାପ ପକାଇଲେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ବଦଳି, ପୋଷ୍ଟିଂ ପାଇଁ କୌଣସି ଚାପ ପକାଇ ପାରିବେ ନାହିଁ କର୍ମଚାରୀ । ସରକାର ଏ ନେଇ କଡା ମନୋଭାବ ପୋଷଣ କରିଛନ୍ତି । ଏନେଇ ସବୁ ବିଭାଗର ସଚିବମାନଙ୍କୁ ଚିଠି କଲେ ମୁଖ୍ୟ ଶାସନ ସଚିବ । କିଛି କର୍ମଚାରୀ ବଦଳି ବା ପୋଷ୍ଟିଂ ପାଇଁ ପ୍ରଭାବ ପକାଉଥିବା ଦେଖାଯାଉଛି । ଯାହାଫଳରେ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଏହା ସରକାରୀ ଚାକିରିର ସର୍ଭିସ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ କରୁଛି ବୋଲି କହିଛନ୍ତି ସରକାର । ପ୍ରଶାସନିକ ଆବଶ୍ୟକତା ଅନୁସାରେ ବଦଳି ବା ପୋଷ୍ଟିଂ କରାଯାଇଥାଏ । ମେରିଟ୍କୁ ଦୃଷ୍ଟିରେ ରଖି ବିଧି ବ୍ୟବସ୍ଥା ଅନୁସାରେ ପୋଷ୍ଟିଂ କରାଯାଇଥାଏ । ବଦଳି ବା ପୋଷ୍ଟିଂ ପାଇଁ ଚାପ ପକାଇଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାର କହିଛନ୍ତି ।