ତନ୍ତରେ ବୁଣିବା ପରେ ସୁନ୍ଦର ସୁନ୍ଦର ଶାଢ଼ି ସବୁକୁ ଅତି ଯତ୍ନରେ ସାଇତି ରଖୁଛନ୍ତି ବୁଣାକାର । ହେଲେ ଏସବୁ ଯାଇ ପାରୁନି ଦୋକାନ ଯାଏ । କରୋନା ଜନିତ ଳକ୍ଡାଉନ୍ ଓ ସଟ୍ଡାଉନ୍ ସାଜିଛି ଏମାନଙ୍କ ପାଇଁ ପ୍ରତିବନ୍ଧକ । କଟକ ଜିଲ୍ଲା ସାଲେପୁରର ରଟିଲୋ ଗାଁ । ଏଠାକାର ୭୫ ଭାଗ ପରିବାର ହେଉଛନ୍ତି ବୁଣାକାର । ବିଭିନ୍ନ ପ୍ରକାର ଲୁଗାପଟା ସହ ଧୋତି, ଲୁଙ୍ଗି, ଗାମୁଛା, ଠାକୁରାଣୀ ଶାଢ଼ୀ ଆଦି ବୁଣି ପେଟ ପୋଷନ୍ତି । କିନ୍ତୁ ସୋସାଇଟି ବନ୍ଦ ହୋଇଯିବା ପରେ ମହାଜନ ଠାରୁ ସୂତା ଆଣି ଲୁଗାପଟା ବୁଣାବୁଣି କରୁଛନ୍ତି। ସେଥିରୁ ଯାହା ମିଳେ କଷ୍ଟେ ମଷ୍ଟେ ଚଳି ଯାଆନ୍ତି। ହେଲେ ଦିନେ କି ଦୁଇଦିନ ନୁହେଁ ୪ ମାସ ହେଲାଣି ପରିଶ୍ରମ ସିନା ଅଛି କିନ୍ତୁ ପାରିଶ୍ରମିକ ନାହିଁ ।
ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଟିଏ ନାହିଁ । ବୁଣାବୁଣି ପାଇଁ ତନ୍ତଶାଳଟିଏ ନାହିଁ। ଏବେ ତ ଭଲ କରି ଦୁଇମୁଠା ଖାଇବା ପାଇଁ ମଧ୍ୟ ସମ୍ବଳ ନାହିଁ। କରୋନା ଏମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ଖାଲି ସେତିକି ନୁହଁ କରୋନା ପ୍ରଭାବରେ କଞ୍ଚା ମାଲ ମଧ୍ୟ ମିଳି ପାରୁନାହିଁ।