ବକେୟା ବିଜୁଳି ବିଲ୍ ଆଦାୟ ପାଇଁ ଅଣ୍ଟା ଭିଡିଲେ ସରକାର
![electricity](https://knewsodisha.com/wp-content/uploads/2020/09/electricity.jpg)
କେଭିଙ୍କ ଫୋକସରେ ବକେୟା ବିଦ୍ୟୁତ୍ ଶୁଳ୍କ । ରାଜ୍ୟର ୨୩ ଶିଳ୍ପ ସଂସ୍ଥା ଦେଇନାହାଁନ୍ତି ବକେୟା ବିଜୁଳି ବିଲ୍ । ଏହି ସଂସ୍ଥା ଗୁଡ଼ିକ ଉପରେ ୧୦୯୬ କୋଟି ଟଙ୍କା ବକେୟା ବିଲ୍ ପଡିଛି । ତାଳଚେରର ଏକ ତାପଜ ବିଦ୍ୟୁତ୍ କମ୍ପାନୀ ସର୍ବାଧିକ ୨୮୫ କୋଟି ଟଙ୍କା ବାକି ରଖିଛି । ସେହିପରି ଯାଜପୁର ଜିଲ୍ଲାର ଏକ ଇସ୍ପାତ ଶିଳ୍ପ ୨୪୬ କୋଟି ବାକି ରଖିଥିବାବେଳେ ଅନ୍ୟ ଏକ ଇସ୍ପାତ କମ୍ପାନୀ ୮୫ କୋଟି ଟଙ୍କା ବକେୟା ରଖିଛନ୍ତି ।
ଝାରସୁଗୁଡ଼ାର ଏକ କମ୍ପାନୀକୁ ଗତ ୧୦ ବର୍ଷ ମଧ୍ୟରେ ସର୍ବାଧିକ ୩ହଜାର ୫୯୯ କୋଟିର ବକେୟା ବିଜୁଳି ବିଲ୍ ଛାଡ କରାଯାଇଥିବାବେଳେ ୧୪ଟି ଶିଳ୍ପ ସଂସ୍ଥାକୁ ୪ହଜାର ୯୭ କୋଟି ବକେୟା ବିଲ୍ ଛାଡ କରାଯାଇଛି। ବକେୟା ବିଦ୍ୟୁତ ଶୁଳ୍କ ଆଦାୟକୁ ତ୍ବରାନ୍ବିତ କରିବାକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବିଭିନ୍ନ ଶିଳ୍ପ ଗୁଡିକ ବିଦ୍ୟୁତ ବିଲ ଗୁଡ଼ିକୁ ଫାଙ୍କିବା ପାଇଁ ଅଦାଲତରେ ମାମଲା କରିଛନ୍ତି।
ଏଗୁଡ଼ିକ ଶୀଘ୍ର ସମାଧାନ କରି ବିଜୁଳି ବିଲ୍ ଆଦାୟ କରିବା ପାଇଁ ଏଜି, ବିଭାଗୀୟ ପରାମର୍ଶଦାତାଙ୍କ ପରାମର୍ଶ ନେବାକୁ ଉପମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ଭୁବନେଶ୍ବର ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶିଲ୍ପ ସଂସ୍ଥାମାନଙ୍କ ଉପରେ ରହିଥିବା ବକେୟା ବିଦ୍ୟୁତ୍ ଶୁଳ୍କ ଆଦାୟ ଉପରେ ଏକ ସମୀକ୍ଷା ବୈଠକ ହୋଇଥିଲା । ବୈଠକରେ ଶକ୍ତି ବିଭାଗ ପ୍ରମୁଖ ସଚିବ, ବିଦ୍ୟୁତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।