ଦେଓଗଡ଼: ଗ୍ରାମ ପଞ୍ଚାୟତ ଟେକନିକାଲ ଆସିଷ୍ଟାଣ୍ଡ ଗିରଫ, ମିଳିଛି ୬୦ଟି ପ୍ଲଟ୍

ଦେବଗଡ଼(କେନ୍ଯୁଜ୍): ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗ୍ରାମ ପଞ୍ଚାୟତ ଟେକନିକାଲ ଆସିଷ୍ଟାଣ୍ଡ ଗିରଫ। ଦେବଗଡ଼ ଜିଲ୍ଲା ତେଲେଇବଣି ବ୍ଳକ ଟେକନିକାଲ ଆସିଷ୍ଟାଣ୍ଡ ବିକାଶ କୁମାର ବେହେରା ଗିରଫ ହୋଇଛନ୍ତି। ଦେଓଗଡ଼ରେ ମିଳିଛି ୬୦ ଟି ପ୍ଲଟ। ତାଙ୍କ ନାମରେ ୧୫ ଟି ପ୍ଲଟ୍ ଓ ତାଙ୍କ ପତ୍ନୀଙ୍କ ନାମରେ ୪୫ ଟି ପ୍ଲଟ। ୧୪ ଏକର ସମ୍ପତ୍ତି ଥିବା ଜଣା ପଡ଼ିଛି। ସମ୍ପତ୍ତିର ସରକାରୀ ମୁଲ୍ୟ ୫୦ ଲକ୍ଷ ୫୦ ହଜାର ଟଙ୍କା।

ଚଢ଼ାଉ ବେଳେ ନଗଦ ୨ ଲକ୍ଷ ୯୯ ହଜାର ଟଙ୍କା ପାଇଛି ଭିଜିଲାନ୍ସ। ୩୮୫ ଗ୍ରାମ ସୁନା ଅଳଙ୍କାର ମିଳିଛି। ଗୋଟିଏ ଦୁଇ ମହଲା ଘର ଓ ଗୋଟିଏ ଚାରି ଚକିଆ ଯାନ ଥିବା ଜଣାପଡିଛି। ଭିଜିଲାନ୍ସ ବିଭାଗର ତିନୋଟି ଟିମ ଜାରି ରଖିଛନ୍ତି ଚଢ଼ାଉ। ଟିମରେ ଅଛନ୍ତି ୪ଡ଼ିଏସପି ଓ ୨ ଇନିସ୍ପେକ୍ଟରଙ୍କ ସମେତ ୨୦ କର୍ମଚାରୀ। ମିଳିଥିବା ସୂଚନା ମୁତାବକ, ୨୦୧୫ ରେ ଚାକିରୀରେ ଯୋଗ ଦେଇଥିଲେ ବିକାଶ। ୨୦୧୮ ରୁ ୨୦୨୦ ମଧ୍ୟରେ ସେ ଏହି ସବୁ ଭୂ-ସମ୍ପତ୍ତି କିଣିଛନ୍ତି ।

ସୂଚନା ଥାଉକି, ଏବେ ଫୁଲ୍ ଆକ୍ସନ୍ ମୁଡରେ ରହିଛି ଭିଜିଲାନ୍ସ। ଗୋଟିଏ ଦିନରେ ତିନି କ୍ଲାସ ୱାନ ଅଫିସର ଭିଜିଲାନ୍‌ସ ହାତରେ ଧରାପଡ଼ିଥିବା ବେଳେ ଏବେ ଜୋରଦାର୍ ଖୋଳତାଡ଼ ଜାରି ରହିଛି । ସେମାନଙ୍କ ନିକଟରୁ ମୋଟ୍‌ ୩୯ ଲକ୍ଷ ୧୧ ହଜାର ୪୪୩ ଟଙ୍କା ଜବତ ହୋଇଛି । ଗିରଫ ତିନି ଜଣ ହେଲେ ବାଲେଶ୍ୱର ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ନରୋତ୍ତମ ବେହେରା, ରାଉରକେଲା ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରକାଶ କୁମାର ମହାପାତ୍ର ଓ କେନ୍ଦୁଝର ଜିଲ୍ଲା ବୈତରଣୀ ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ ।

କଟକ ଜିଲ୍ଲା ଟାଙ୍ଗି ଚେକ୍‌ ଗେଟ୍‌ ନିକଟରୁ ୮୯ ହଜାର ଟଙ୍କା ସହ ନରୋତ୍ତମ ବେହେରାଙ୍କୁ ଧରିଥିଲା ଭିଜିଲାନ୍‌ସ ଟିମ୍‌ । ତାଙ୍କ ଭୁବନେଶ୍ୱର ଘରୁ ୯ ଲକ୍ଷ ୨୫ ହଜାର ଟଙ୍କା ଜବତ ହୋଇଥିଲା । ସେହିପରି ବାଲେଶ୍ୱର କ୍ୱାର୍ଟର୍ସରୁ ୬ ଲକ୍ଷ ୩୫ ହଜାର ୭୨୩ ଟଙ୍କା ଜବତ କରାଯାଇଛି । ନରୋତ୍ତମଙ୍କଠାରୁ ମିଳିିଛି ମୋଟ୍‌ ୧୬ ଲକ୍ଷ ୪୯ ହଜାର ୭୨୩ ଟଙ୍କା ।

ସେହିପରି କେନ୍ଦୁଝରରୁ କଟକ ସ୍ଥିତ ବାସଭବନକୁ ଆସିବା ବେଳେ ଯାଜପୁର ଜିଲ୍ଲା ଏନସି କଲେଜ ରୋଡ୍‌ ନିକଟରେ ଭିଜିଲାନ୍‌ସ ବିଭାଗ ହାବୁଡ଼ରେ ପଡ଼ିଥିଲେ ବୈତରଣୀ ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ । ତାଙ୍କ ଗାଡ଼ିରୁ ଜବତ ହୋଇଥିଲା ନଗଦ ୧୦ ଲକ୍ଷ ୭ହଜାର ୬୨୦ ଟଙ୍କା । ବିଧାନଚନ୍ଦ୍ର ସାହୁଙ୍କ ନାଁରେ ୫ଟି ପ୍ଲଟ ରହିଛି ।

ସେଭିତରୁ କଟକ ଦୋଳମୁଣ୍ଡେଇରେ ଗୋଟିଏ ପ୍ଲଟ ରହିଛି । ଯାହାର ଦାମ୍‌ ୩୫ ଲକ୍ଷ ଟଙ୍କା । ଛତ୍ରପୁରରେ ୫ଟି ପ୍ଲଟ ଥିବା ଜଣାଯାଇଛି । ସେହିପରି ରାଉରକେଲାରୁ ଫେରିବା ବେଳେ ଭୁବନେଶ୍ୱରରୁ ୧ଲକ୍ଷ ୭୫ ହଜାର ଟଙ୍କା ସହ ଧରା ପଡି ଗିରଫ ହୋଇଥିଲେ ରାଉରକେଲା ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରକାଶ ମହାପାତ୍ର ।

Leave A Reply

Your email address will not be published.