ଢେଙ୍କାନାଳର ସୁଆଦିଆ ବରା ସବୁଠୁ ନିଆରା

ଢେଙ୍କାନାଳ : ତତଲା ତେଲରେ ଛଣାଯାଉଛି ଗରମ ଗରମ ବରା । ଦେଖିଲେ ପାଟିରୁ ଲାଳ ବାହାରି ଆସୁଛି । ସକାଳୁ ସକାଳୁ ଲୋକଙ୍କୁ ବରା ଘୁଗୁନି ଟିକେ ମିଳିଗଲେ ସେମାନଙ୍କ ଖୁସି କହିଲେ ନସରେ । ହଁ ଆଜ୍ଞା ଖରା,ବର୍ଷା,ଶୀତ କିମ୍ବା ସକାଳ ହେଉ କି ସନ୍ଧ୍ୟା । ପାଟି ଖୋଜେ ଟିକେ ବରା ସାଙ୍ଗକୁ ଘୁଗୁନି । ବରାର ବାସ୍ନା ଲୋକଙ୍କୁ ଦୋକାନକୁ ଟାଣି ଆଣିଥାଏ । ତେବେ ବରା କଥା ଆଜି ଆମେ ଆପଣଙ୍କୁ କାହିଁକି କହୁଛୁ ଭାବୁଛନ୍ତି କି ? ଆଜି ହେଉଛି ବରା ଦିବସ । ଆଉ ଢେଙ୍କାନାଳର ସୁଆଦିଆ ବରା ସବୁଠୁ ନିଆରା ଏକଥା କିଏ ବା ନଜାଣେ ।
ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ସ୍ଥାନିୟ ସୂର୍ଯ୍ୟ ହୋଟେଲ ପରିସରରେ ବରା ଦିବସ ପାଳନ କରାଯାଇଛି । ଉକ୍ତ ବରା ଦିବସରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଆଦିତ୍ୟ ଗଡ଼ନାୟକ, ସମ୍ମାନିତ ଅତିଥି ଭାବେ ନଗର ପାଳିକା ଜୟନ୍ତୀ ପାତ୍ର, ପୂର୍ବତନ ସାଂସଦ ମହେଶ ସାହୁ, ଜିଲ୍ଲା ଓକିଲ ସଂଘ ସଭାପତି ଗୋପାଳ ପାତ୍ର , ଜିଲା ବଣିକ ସଂଘ ସଭାପତି ରାଜେନ୍ଦ୍ର ଦାସ, ପ୍ରମୁଖ ଯୋଗଦାନ କରି ଢେଙ୍କାନାଳ ବିରି କରା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଛି ଢେଙ୍କାନାଳ ବରାର ସ୍ଵାଦ ସ୍ଵତନ୍ତ୍ର ନିଆରା ବୋଲି କହିଥିଲେ । ବରାକୁ ଆଗାମୀ ଦିନରେ ଜିଆଇ ଟ୍ୟାଗ୍ ପାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ଉଦ୍ୟମ ହେବା ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।
ସକାଳ ହେଉକି ସଂଧ୍ୟାରେ ଜଳଖିଆରେ ବରାର ସ୍ଥାନ ସ୍ୱତନ୍ତ୍ର । ଓଡିଶା ସମେତ ବାହାର ରାଜ୍ୟରେ ବରା ମିଳୁଥିଲେ ମଧ୍ୟ ଢେଙ୍କାନାଳ ବିରି ବରାର ସ୍ଥାନ ସ୍ୱତନ୍ତ୍ର ରହିଛି । ଢେଙ୍କାନାଳ ବରାରେ ଆଦୌ ସୁଜି ମିଶେ ନାହିଁ । ଏଠିକାର ବରା କଳା ବିରି, ଅରୁଆ ଚାଉଳ, ଆମ୍ବକସିଆ ଅଦା, ପିଆଜ କଟା, ଭୃସଙ୍ଗ ପତ୍ର, ଧନିଆ ପତ୍ର , କଞ୍ଚାଲଙ୍କା ଛେଚା, ଗୋଟାଜିରା ପଢ଼ି ପ୍ରସ୍ତୁତ ହୋଇଥାଏ । ୬୦% ପରିମାଣ ଚାଉଳ ଏବଂ ୪୦% ପରିମାଣରେ ବିରି ମିଶ୍ରତ ହୋଇଥାଏ । ବିଶେଷ କରି ବ୍ରାହ୍ମଣୀ ନଦୀ କୂଳେ ବିଭିନ୍ନ ଗାଁରେ ବହୁଳ ପରିମାଣର କଳା ବିରି ଚାଷ ହୋଇଥାଏ । ଢେଙ୍କାନାଳ ବରା ପରମ୍ପରା ରାଜ ରାଜୁଡ଼ା ସମୟରୁ ପ୍ରାୟ ୧୫୦ ବର୍ଷ ଧରି ବଂଶାନୁ କ୍ରମେ କିଛି ଗୁଡିଆ ସଂପ୍ରଦାୟର ଲୋକ ମାନେ ପ୍ରସ୍ତୁତ କରି ଆସୁଛନ୍ତି । ଏହି ବରା ସେ ସମୟରୁ ଆଜି ପର୍ଯ୍ୟନ୍ତ ଘରକୁ ବନ୍ଧୁ ବାନ୍ଧବ ଆସିଲେ ଅତିଥି ଚର୍ଚ୍ଚା ପାଇଁ ବରାର ଆବଶ୍ୟକ ପଡିଥାଏ । ପ୍ରଥମେ ଏହି ବରା ରାଜ ପରିବାର ପାଇଁ ସୁଆରମାନେ ସୁଆଦିଆ ବରା ପ୍ରସ୍ତୁତ କରି ରାଜା ମହାରାଜା ମାନଙ୍କୁ ଖାଇବାକୁ ଦେଇଥାନ୍ତି । ପରବର୍ତ୍ତୀ ସମୟରେ ପରିଛା ସାହୁ , କୁଞ ସାହୁ , ସତ୍ୟବାଦୀ ସାହୁ , ବରା ପ୍ରସ୍ତୁତ କରି ବ୍ୟବସାୟ କରୁଥିଲେ ଏବେବି ତାଙ୍କର ପରିବାର ସଦସ୍ୟ ମାନେ ବରା ବ୍ୟବସାୟ କରି ଆସୁଛନ୍ତି ।
AlsoRead:ନରି ପଣ୍ଡାଙ୍କୁ ଆକ୍ରମଣ, ଏତଲା ଆଧାରରେ ତଦନ୍ତ ଆରମ୍ଭ କଲା ବାଲିଚନ୍ଦ୍ରପୁର ପୋଲିସ