ନିର୍ମାଣାଧୀନ ପିଚୁ ରାସ୍ତା ମଝିରେ ଉଠିଛି ଘାସ, ଅଭିଯୋଗ ଆଣିଲେ ଗାଁ ଲୋକେ

ଭଞ୍ଜନଗର: ପିଚୁ ଉପରେ ଘାସ । ଦେଖିଲେ କିମ୍ବା  ଶୁଣିଲେ ବିଶ୍ବାସ ହେଉନଥିବ । ନିର୍ମାଣାଧୀନ ପିଚୁ ରାସ୍ତାର ଆରମ୍ଭରୁ ଏ ଅବସ୍ଥା । ରାସ୍ତା ମଝିରେ ମଝିରେ ଘାସ ଉଠିଲାଣି । ରାସ୍ତା କାର୍ଯ୍ୟ ନସରୁଣୁ ମାଳ ମାଳ ଅଭିଯୋଗ  । ପୂର୍ବରୁ ଅନେକ ଘଟଣା ନଜରକୁ ଆସିଛି । କାମ ନହୋଇ କାଗଜ କଲମରେ ରାସ୍ତା ତିଆରି ହେବା, ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନ ମାନର ତଥା  ଅଧାପନ୍ତରିଆ ରାସ୍ତା । ଏମିତି ଅନେକ ଅଭିଯୋଗ ହୋଇଛି । ହେଲେ ନିର୍ମାଣାଧୀନ ପିଚୁ ରାସ୍ତାର ମଝିରେ “ଘାସ ଉଠିବା” ଏହା ଏକ ଚର୍ଚ୍ଚିତ ବିଷୟ ନିଶ୍ଚୟ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ, ଗୋରା ପଞ୍ଚାୟତର ବିରିପୁର ଠାରୁ ଦହିମୁଣ୍ଡୁଳି ପର୍ଯ୍ୟନ୍ତ ନିର୍ମାଣ ଚାଲିଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗୋବରା ପଞ୍ଚାୟତର ପୂର୍ତ୍ତ ବିଭାଗ ରାସ୍ତାରୁ ବାହାରିଥିବା  ବିରିପୁର ଠାରୁ ଦହିମୁଣ୍ଡୁଳି ପର୍ଯ୍ୟନ୍ତ ପ୍ରାୟ ସାଢ଼େ ଚାରି କିଲୋମିଟର ରାସ୍ତା ନିର୍ମାଣ ପାଇଁ ସେପ୍ଟେମ୍ବର – ୨୦୨୧ରେ ଆରମ୍ଭ ହୋଇ ୯ ମାସ ମଧ୍ୟରେ ଶେଷ ହେବା ପାଇଁ ଫଳକ ଲାଗିଥିଲା । ତେବେ ନିର୍ଦ୍ଧାରିତ ସମୟରେ ଆରମ୍ଭ ନହୋଇ ଗତ କିଛି ମାସ ହେଲା ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଯାହାର ଅଟକଳ ମୂଲ୍ୟ ୨ କୋଟି ୨୯ ଲକ୍ଷ ୭୬ ହଜାର ଟଙ୍କା ଉଲ୍ଲେଖ ରହିଛି । ଏହି ରାସ୍ତା ନିର୍ମାଣ ହେଲେ ଆଖପାଖ ଅଞ୍ଚଳର ପ୍ରାୟ ୬ ଟି ପଞ୍ଚାଯତବାସୀ ଉପକୃତ ହେବେ । ହେଲେ ଏବେ ସେଠାରେ ନିମ୍ନ ମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି ।

ଏନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ନିକଟରେ ଲିଖିତ ଅଭିଯୋଗ ହୋଇଛି । ନିର୍ମାଣ କାର୍ଯ୍ୟକୁ ସାମୟିକ ଭାବେ ବନ୍ଦ ରଖିବା ପାଇଁ ସଂପୃକ୍ତ ଠିକାଦାରଙ୍କୁ ତାଗିଦ୍ କରିଛନ୍ତି ବିଭାଗୀୟ ଅଧିକାରୀ  । ଏହା ସହ ପିଚୁ ରାସ୍ତାରେ ଘାସ ଉଠିବା ଏବଂ ନିମ୍ନମାନର କାର୍ଯ୍ୟ ହୋଇଥିବା ନେଇ ଫୋନ୍ ଯୋଗେ ସ୍ବୀକାର କରିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ । ଏନେଇ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଏବେ ସାଧାରଣରେ ପ୍ରଶ୍ନ ଉଠିଛି ଏମିତି ଏକ ଘଟଣାକୁ ନେଇ କେବେ ତଦନ୍ତ ହେବ ? ଏଭଳି ଅଭିଯୋଗ ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କଣ ହେଉଛି ତାକୁ ହିଁ ଏବେ ସାଧାରଣରେ ଅପେକ୍ଷା ।

Also Read: ରାସ୍ତା ମଝିରେ ଠିଆ ହୋଇଛି ବିଦ୍ୟୁତ ଖୁଣ୍ଟ, ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଗାଁ ଲୋକେ