କ୍ରିକେଟ ଖେଳରୁ ମହାଭାରତ: ଦୁଇ ଗୋଷ୍ଠୀ ଭିତରେ ମାରପିଟ୍ ଓ ଭଙ୍ଗାରୁଜା

ହିନ୍ଦୋଳ: କ୍ରିକେଟ ଖେଳରୁ ମହାଭାରତ । ଢେଙ୍କାନାଳ ହିନ୍ଦୋଳରେ କ୍ରିକେଟ ମ୍ୟାଚକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ସଂଘର୍ଷରେ ୨ଜଣ ଆହତ । ଆହତଙ୍କ ମଧ୍ୟରୁ ଜଣେ ଗୁରୁତରଙ୍କୁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।
ଖବର ମୁତାବକ, ରବିବାର ଦିନ ହିନ୍ଦୋଳ ବ୍ଲକ ରାସୋଳ ଥାନା ବେଡ଼ାପଡ଼ା ଗାଁରେ ଚାଲିଥିଲା କ୍ରିକେଟ୍ ଖେଳ । ସୁବାସ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ମ୍ୟାଚ୍ ସରିବା ପରେ କୌଣସି କଥାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା । ପରେ ରାତିରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ଗାଁର କିଛି ଯୁବକଙ୍କୁ ଉଠାଇ ଆଣି ଅଜଣା ସ୍ଥାନରେ ରଖିଛି ପୋଲିସ୍ । ପୋଲିସ୍ ଭୟରେ ଅନେକ ଲୋକ ଗାଁ ଛାଡି ପଳାଇଛନ୍ତି ।
ତେବେ ଗଣ୍ଡଗୋଳରେ ସ୍ଥାନୀୟ ସରପଞ୍ଚଙ୍କ ଭାଇ ରାକେଶ ପରିଡାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତେଣୁ ତାଙ୍କୁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଯୁବକଙ୍କୁ ରାତି ୧୦ଟା ୩୦ରେ କଟକ ସ୍ଥାନାନ୍ତର କରାଯାଇଥିଲା । ଯାହା ସୂଚନା ମିଳୁଛି କି, ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ଏହି ଗଣ୍ଡଗୋଳ ଘଟିଛି । ଗୋଟିଏ ଗୋଷ୍ଠୀର ରାକେଶ ଆହତ ହୋଇଥିବା ବେଳେ ଅନ୍ୟ ଗୋଷ୍ଠୀର ଲୋକଙ୍କ ଘର ଦ୍ୱାର ଭାଙ୍ଗି ଦେଇଛନ୍ତି କିଛି ଉତ୍ତ୍ୟକ୍ତ ଲୋକେ । ଏପଟେ ଭୟରେ ଗୋଟିଏ ଗୋଷ୍ଠୀର ଲୋକେ ଗାଁ ଛାଡି ପଳାଇ ଥିବା ଜଣାପଡ଼ିଛି । ଅଧିକ ଗଣ୍ଡଗୋଳ ସମ୍ଭାବନାକୁ ଦୃଷ୍ଟିରେ ରଖି ଦୁଇ ଗୋଷ୍ଠୀର ଯୁବକମାନଙ୍କୁ ପୋଲିସ୍ ଉଠାଇ ନେଇ ଅଜଣା ସ୍ଥାନରେ ରଖିଥିବା ସୂଚନା ମିଳିଛି ।
କଥାରେ ଅଛି ଝିମିଟି ଖେଳରୁ ମହାଭାରତ । ଠିକ୍ ଏମିତି ଏକ ଘଟଣା ଘଟିଛି କ୍ରିକେଟ ଖେଳରୁ । ଯାହାର ଶିକାର ହୋଇଛନ୍ତି ଅନେକ ନିରୀହ ଲୋକ । ଉତ୍ତେଜନା ଲାଗି ରହିଥିବାରୁ ବେଡ଼ାପଡ଼ା ଗାଁରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଖେଳ ହେଉଥିଲା ମଜା ଲୁଟିବା ପାଇଁ ହେଲେ ବିବାଦୀୟ ସ୍ଥିତି ଏବେ ଗାଁକୁ ଅଶାନ୍ତ କରି ତୋଳିଛି । ଭାଇଚାରା ଭୁଲି ଯାଇଛନ୍ତି ଲୋକେ । ତେଣୁ ପୋଲିସ୍ ପ୍ରଶାସନ ଉଦ୍ୟମରେ ଗାଁରେ ଶୀଘ୍ର ଶାନ୍ତି ଓ ସଦଭାବ ଫେରାଇ ଆଣିବା ଲାଗି ଉଦ୍ୟମ ହେବା ଦରକାର ।