ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବା ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏପଟେ ବସ୍ ଚଳାଚଳକୁ ସ୍ବାଭାବିକ୍ କରିବାକୁ ମୟୂରଭଞ୍ଜ ଏସପିଙ୍କ ଅଧ୍ୟକ୍ଷତାରେ ବସ୍ ମାଲିକ ସଂଘ କର୍ମକର୍ତ୍ତାକଙ୍କୁ ନେଇ ବୈଠକ କରାଯାଇଛି । ପରିସ୍ଥିତି ଉପରେ କଡା ନଜର ରଖାଯାଇଛି ।

ସୂଚନା ଅନୁସାରେ ଘରୋଇ ବସ ଚଳାଚଳ ସମୟକୁ ନେଇ ଶୁକ୍ରବାର ସନ୍ଧ୍ୟା ସମୟରେ ବାରିପଦା ବସଷ୍ଟାଣ୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏଥିରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିଲେ । ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ସମସ୍ତଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ୨ଜଣଙ୍କ ଅବସ୍ଥାରେ ସଙ୍କଟାପନ୍ନ ରହିଥିଲା ।

ରାଇରଙ୍ଗପୁରରୁ ବ୍ରହ୍ମପୁର ଯାଉଥିବା ମା’ ଦୁର୍ଗା ନାମକ ଘରୋଇ ବସ ଚଳାଚଳ ସମୟକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ମା’ ଦୁର୍ଗା ବସଟି ରାଇରଙ୍ଗପୁରରୁ ଆସୁଥିବା ବେଳେ ସଠିକ ସମୟରେ ବାରିପଦା ବସଷ୍ଟାଣ୍ଡରୁ ଚଳାଚଳ କରୁନଥିଲା । ଶୁକ୍ରବାର ସନ୍ଧ୍ୟାରେ ବସଟି ଆସି ବାରିପଦା ଘରୋଇ ବସଷ୍ଟାଣ୍ଡରେ ପହଞ୍ଚିବା ପରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏହାକୁ ନେଇ ବସଷ୍ଟାଣ୍ଡରେ ରକ୍ତପାତ ହୋଇଥିଲା । କିଛି ବସ ମାଲିକଙ୍କୁ କିଛି ଲୋକେ ମାରଣାସ୍ତ୍ର ସାହାଯ୍ୟରେ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ରଞ୍ଜିତା ଓ ବାସୁଦେବ ବସର ମାଲିକ ତପନ କୁମାର ପୃଷ୍ଟି ଓ ଶୀତିକଣ୍ଠ ନାୟକ ଗୁରୁତର ଆହତ ହୋଇଥିବା ବେଳେ ସୁପରଭାଇଜର ଓ କର୍ମଚାରୀ ମିଶି ୭ଜଣ ଆହତ ହୋଇଥିଲେ ।

You might also like