ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ବାର ବାଉନସରଙ୍କୁ ଗୁଳି କରି ଫେରାର

ହଠାତ୍ ଶୁଭିଲା ଶବ୍ଦ । ବନ୍ଧୁକର ଗର୍ଜନରେ କମ୍ପି ଉଠିଲା ରାଜଧାନୀ ଭୁବନେଶ୍ବର । ଗୁଳି କି ବୋମା ମାଡ଼ ଜାଣି ହେଲାନି ପ୍ରଥମେ । କିନ୍ତୁ ଥରି ଉଠିଲା ଲୋକଙ୍କ ଛାତି । ଯିଏ ଯୁଆଡ଼େ ଯାଉଥିଲେ କ୍ଷଣିକ ପାଇଁ ଅଟକି ଗଲେ । ଗୁଳିର ଶବ୍ଦରେ କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲା ରାଜଧାନୀର ରାଜରାସ୍ତା । ଏହି ଗୁଳିକାଣ୍ଡ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏକ ବାର କ୍ଳବରେ ଘଟିଛି ।

ହଁ ଆଜ୍ଞା, ବେଳେ ବେଳେ ରାଜଧାନୀ ଅଶାନ୍ତ ହୋଇଉଠୁଛି । ଗୁଳି ଗୋଳା ବୋମା ମାଡ଼ରେ ଥରି ଉଠୁଛି ଲୋକଙ୍କ ଛାତି l ସମୟ ସମୟରେ ଲୋକମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି l ଏମିତି ଏକ ଅପରାଧ ମୂଳକ ଘଟଣା ଘଟିଛି ଏକ ବାର କ୍ଳବରେ l ବାଉନସରକୁ ବାଜିଛି ଗୁଳି । ରାସ୍ତାରେ ଛିଟିକି ପଡ଼ିଥିବା ବିସ୍ଫୋରକକୁ ଯାଞ୍ଚ କରିଛି ପୋଲିସ୍ ।
ଏମିତି ଆତଙ୍କ ପୂର୍ଣ୍ଣ ଘଟଣା ସମସ୍ତଙ୍କୁ ବିଚଳିତ କରିଛି । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘନେଇଛନ୍ତି ଅସାମାଜିକ ଅପରାଧୀ । ଗତକାଲି ଭୋର ୪ଟା ସମୟରେ ସେହି ବାରରେ ହୋଇଥିଲା ଗୁଳିକାଣ୍ଡ । ଗୁଳିମାଡ଼ରେ ବାଉନ୍ସର ସୂୟା ନାମକ ଯୁବକ ଆହତ ହୋଇଛନ୍ତି । ମୋଟ ୫ ରାଉଣ୍ଡ ଗୁଳି ଫୁଟିଥିବା ବେଳେ ସୂୟାଙ୍କ ଡାହଣ ଗୋଡରେ ଦୁଇଟି ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗୁଳି ଫୁଟାଇଥିବା ଯୁବକମାନେ ଗୋଟିଏ R1 କାରରେ ଆସି ପ୍ରଥମେ ବାର ଉପରକୁ ଟେକା ପଥର ପକାଇଥିଲେ l ପରେ ବାରର ବାଉନସର ବାହାରକୁ ଆସି ପ୍ରତିବାଦ କରିବାରୁ ତାଙ୍କ ଉପରକୁ ଗୁଳି ଚଲେଇ ଥିଲେ ଏହି ଯୁବକମାନେ l ସେଠାରୁ ଫେରିବା ବେଳେ କୁଆଡ଼େ ଗୋଟିଏ ବୋମା ପକାଇଥିଲେ । ତେବେ ସେହି ସମୟରେ ବୋମା ନ ଫୁଟିବାରୁ ପୁଣି ବୋମାଟିକୁ ନେଇଯାଇ ଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

ଏନେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ଖୋକା ଜବତ କରିଛି l କାହିକି ଏଭଳି ଘଟଣା ଘଟିଲା ତାର ତଦନ୍ତ ଜାରି ରଖିଛି l ବୋମା ପକାଇଥିବା ଯୁବକମାନେ ଫେରାର ଅଛନ୍ତି । ପୋଲିସ ସେମାନଙ୍କୁ ଖୋଜାଖୋଜି କରୁଛି । କିନ୍ତୁ ଗୁଳିକାଣ୍ଡ ପଛର କାରଣ କଣ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ହୁଏତ ପୂର୍ବ ଶତ୍ରୁତା, ବାର ମାଲିକଙ୍କ ସହ ବିବାଦ କିମ୍ବା ସେହି ବାଉନସରଙ୍କ ସହ ଗଣ୍ଡଗୋଳରୁ ଏଭଳି ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ତେବେ ପୋଲିସ ତଦନ୍ତ ପରେ ହିଁ ସାମ୍ନାକୁ ଆସିବ ଅସଲ କାରଣ। ହେଲେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟଭୀତ କରିଛି ଲୋକଙ୍କୁ ।

Also Read:ଓଡ଼ିଶା ଫେରୁଛନ୍ତି ଜମ୍ମୁ କାଶ୍ମୀରରେ ପଢୁଥିବା ଛାତ୍ରଛାତ୍ରୀ