ଗୋଟିଏ ରାତିରେ କୋଟିପତି, ଅନଲାଇନ ଗେମ ପାଇଁ ଲାଗିଲା ଜ୍ୟାକପଟ୍

ଅନଲାଇନ ଗେମ୍ ଖେଳି ଜିତିଲେ ତିନି କୋଟି ଟଙ୍କା ଓ ଗୋଟିଏ ମହିନ୍ଦ୍ରା ଥାର୍ । ଦିନ ମଜୁରିଆ ଭାବେ କାମ କରୁଥିଲେ କିନ୍ତୁ ସବୁ କିଛି ବଦଳାଇ ଦେଲା ଅନଲାଇନ୍ ଗେମ୍ । କାହାଣୀ ଭାରି ଆକର୍ଷଣୀୟ । ନିଦ ଭାଙ୍ଗିବାରୁ ଆପ୍ ଖୋଲିଲେ, ୱାଲେଟରେ ଦେଖିଲେ ତିନି କୋଟି ଟଙ୍କା । ଭରଷା ନହେବାରୁ ବଡ଼ ଭାଇଙ୍କୁ ନିଦରୁ ଉଠେଇ ଦେଖାଇଲେ ଗୁରୁଚରଣ । ଆଉ ତା ପରେ ଆସିଲା ଅନଲାଇନ୍ ଆପ୍ ମ୍ୟାନେଜରଙ୍କ ଫୋନ୍ କଲ୍ । ପରେ ସତରେ ୩ କୋଟି ଟଙ୍କା ଓ ମହିନ୍ଦ୍ରା ଥାର୍ ଜିତିଥିବା ବିଶ୍ବାସ କଲେ ଗୁରୁଚରଣ ।

କଥାରେ ଅଛି ଯେତେବେଲେ ଭଗବାନ ଦିଅନ୍ତି, ସେତେବେଳେ ଛପର ଫାଡ଼ି ଦିଅନ୍ତି । ଏହି କଥାଟି ଆଜି ସତ ପ୍ରମାଣିତ ହୋଇଛି । ଭାଗ୍ୟ ବଦଳାଇ ଦେଲା ଅନଲାଇନ୍ ଗେମ୍ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ତିନି କୋଟି ଟଙ୍କା ଜିତିଛନ୍ତି ଯୁବକ । ତିନି କୋଟି ଟଙ୍କା ସହ ଗୋଟିଏ ମହିନ୍ଦ୍ରା ଥାର୍ ବି ଜିତିଛନ୍ତି । ଦିନ ମଜୁରିଆ ଭାବେ ଖଣିକୁ ଯାଇ କାମ କରୁଥିଲେ । କିନ୍ତୁ ଏବେ ଆଉ ଖଣିକୁ ଯାଇ କାମ କରିବାକୁ ପଡ଼ିବନି । କାହିଁକି ନା ତାଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି ।

କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ଚମକପୁର କ୍ଷେତ୍ରର ରେଭେନସାପୁର ଗାଁର ୨୯ ବର୍ଷିୟ ଯୁବକ ଗୁରୁଚରଣ ଜମୁଦା ।  ରାତା ରାତି ଗୁରୁଚରଣଙ୍କ ଭାଗ୍ୟ ବଦଳି ଯାଇଛି । ଗୁରୁଚରଣ ଅନଲାଇନ୍ ଗେମ୍ ଖେଳିଥିଲେ । ଆଉ ମାତ୍ର ୪୯ ଟଙ୍କା ଲଗାଇ ତିନି କୋଟି ଟଙ୍କାର ଜ୍ୟାକପଟ୍ ପାଇଛନ୍ତି । ଖାଲି ଏତିକି ନୁହେଁ ଗୁରୁଚରଣଙ୍କୁ ତିନି କୋଟି ଟଙ୍କା ସହ ଏକ ମହିନ୍ଦ୍ରା ଥାର୍ ମିଳିବ । ଜ୍ୟାକପଟ୍ ଲାଗିବା ପରେ ମୁମ୍ବାଇରୁ ଅନଲାଇନ୍ ଆପ୍ ର ମ୍ୟାନେଜର ଗୁରୁଚରଣଙ୍କୁ ଫୋନ ଓ ଇମେଲ ଦ୍ଵାରା ଅଭିନନ୍ଦନ ଜଣାଇବା ସହ ଜ୍ୟାକପଟ୍ ଜିତିବା ଖବର ମଧ୍ୟ ଦେଇଛନ୍ତି । ଖବର ପାଇ ଗୁରୁଚରଣଙ୍କ ପରିବାର ଓ ଗାଁରେ ଖୁସିର ଲହରୀ ଖେଳିଯାଇଛି ।

ଗୁରୁଚରଣଙ୍କ ପରିବାରରେ ପାଞ୍ଚ ଭାଇ । ସମସ୍ତେ ବାହା ହୋଇ ସାରିଥିବାବେଳେ ଏକାଠି ରୁହନ୍ତି । କିଛି ବର୍ଷ ପୂର୍ବେ କାନପୁର ଜଳ ପ୍ରକଳ୍ପ ଦ୍ଵାରା ସେମାନେ ବିସ୍ଥାପିତ ହୋଇଯାଇଥିଲେ । ସେତେବେଳେ ତାଙ୍କୁ କ୍ଷତିପୂରଣ ବାବଦକୁ କେବଳ ୮ ରୁ ୯ ଲକ୍ଷ ଟଙ୍କା ମିଳିଥିଲା । ସେହି ଟଙ୍କାରୁ ପୁଣି ଅନ୍ୟ ସ୍ଥାନରେ ଘର ତିଆରି କରି ସପରିବାର ରହୁଥିଲେ । ଗୁଜୁରାଣ ମେଣ୍ଟାଇବା ଅତ୍ୟନ୍ତ କଷ୍ଟକର ଥିଲା କିନ୍ତୁ ପାଞ୍ଚ ଭାଇ ମିଳିମିଶି ଧୀରେ ଧୀରେ ଘର ତିଆରି କରିଥିଲେ । ପାଖ ଖଣିଜରେ ଦିନ ମଜୁରିଆ ଭାବେ କାମ କରି ପରିବାରର ଭରଣ ପୋଷଣ କରୁଥିଲେ । ଆର୍ଥିକ ମାନ୍ଦାବସ୍ଥାରୁ ଗୁରୁଚରଣ ଏକ ଘର ନିର୍ମାଣ କାର୍ଯ୍ୟ ଅଧାରୁ ବନ୍ଦ ରଖିଥିଲେ କିନ୍ତୁ ଏବେ ତାଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଛି । ଆଉ ଜିତିଥିବା ଟଙ୍କାରେ ସେ ଘର ନିର୍ମାଣ କରିବା ସହ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବେ ବୋଲି କହିଛନ୍ତି ।

ସୂଚନା ଥାଉ କି ବେରୋଜଗାର କାରଣରୁ ୨୦୨୪ରେ ଅନଲାଇନରେ ଗେମ୍ ଖେଳିବା ଆରମ୍ଭ କରିଥିଲେ ଗୁରୁଚରଣ । ମୋବାଇଲରେ ତିନି କୋଟି ଟଙ୍କା ଆସିଥିବା ଦେଖି ଏବେ ଗୁରୁଚରଣଙ୍କ ଖୁସି କହିଲେ ନସରେ । ଜ୍ୟାକପଟ୍ ଲାଗିଥିବା ଖୁସିରେ ସପରିବାର ପାରମ୍ପରିକ ଆଦିବାସୀ ନୃତ୍ୟ ଓ କେକ୍ କାଟିଥିଲେ । ଖବର ପାଇ ଗାଁ ଲୋକେ ଗୁରୁଚରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।