ଭାରତୀୟ ସଂସ୍କୃତିର ନିଦର୍ଶନ ଗୁରୁଶିଷ୍ୟ ପରମ୍ପରା, ମହିମା ଧର୍ମର ଅସୁସ୍ଥ ଗୁରୁଙ୍କୁ ନିଜ କାନ୍ଧରେ ବୋହି ନେଉଛନ୍ତି ଶିଷ୍ୟ

ନବରଙ୍ଗପୁର/ଅନୁଗୁଳ (କେ ନ୍ୟୁଜ୍‌) : ଅତୀତରେ ଗୁରୁ ଶିଷ୍ୟର ପରମ୍ପରା ଥିଲା ସବୁଠାରୁ ମର‌୍ୟ୍ୟାଦାପୂର୍ଣ୍ଣ । ଯାହା ଧୀରେ ଧୀରେ ଆଧୁନିକତାର ଛା ପରେ ହଜି ଯାଇଛି । କେବଳ ଗୁରୁ ଦିବସରେ କିମ୍ବା ଔପଚାରିକତା ଦେଖାଇବାକୁ ପାଳନ ହେଉଛି । ହେଲେ ମହିମା ଧର୍ମରେ ଏବେବି ସେଇ ପୁରାତନ ଗୁରୁ ଶିଷ୍ୟର ପରମ୍ପରାକୁ ଅତ୍ୟନ୍ତ ସମ୍ମାନର ସହ ପାଳନ କରାଯାଉଛି । ଗୁରୁଭକ୍ତିର ନିଦର୍ଶନ ଦେଖାଇଛନ୍ତି ଶିଷ୍ୟମାନେ । ସେମାନେ ଢେଙ୍କାନାଳ ସ୍ଥିତ ଯୋରନ୍ଦା ମହିଳା ଆଶ୍ରମରୁ ନବରଙ୍ଗପୁର ପୋଡାଗଡ ଆଶ୍ରମର ଅବଧୂତ ସାଧୁ ଧନୁର୍ଜୟ ବାବା ବକଳଧାରୀଙ୍କୁ ଦୋଳାରେ ବୋହି ନେଇ ଆସିଛନ୍ତି ।

MAHIMA-2

ତ୍ୟାଗର ପ୍ରତୀକ ଭାବେ ଉଦାହରଣ ସୃଷ୍ଟି କରିଥିବା ମହିମା ଧର୍ମର ଏହି ଗୁରୁକୌଣସି ଯାନବାହନରେ ବସନ୍ତି ନାହିଁ । ସେ ଏହି ପୋଡାଗଡର ଆଖପାଖ ଅଞ୍ଚଳ, ସମଗ୍ର ନବରଙ୍ଗପୁର ଜିଲ୍ଲା ସମେତ ଛତିଶଗଡ଼ରେ ମଧ୍ୟ ଅଲେଖ ଧର୍ମର ପ୍ରଚାର କରି ଅନେକ ଶିଷ୍ୟ ସୃଷ୍ଟି କରିଛନ୍ତି । ନିଶା ନିବାରଣ, ଅଭକ୍ଷ ଦ୍ରବ୍ୟ ଭକ୍ଷଣ ନକରି ତାଙ୍କ ନୀତି ନିୟମରେ ଚାଲି ଆସୁଛନ୍ତି । ସେ ପ୍ରତି ବର୍ଷ ପୈ।ଷ ମାସ ପୂର୍ଣ୍ଣିମା ପରେ ଯୋରନ୍ଦା ମେଳାକୁ ଖାଲି ପାଦରେ ଅନେକ ସାଧୁସନ୍ଥ ଭକ୍ତମାନଙ୍କ ମେଳରେ ଯାଇ ଥାଆନ୍ତି । ସେଠାରେ ଏକମାସ ରହି ମାଘମେଳା ସଂପୂର୍ଣ୍ଣ କରିଥାନ୍ତି । ଯୋରନ୍ଦା ମେଳାରେ ପୋଡାଗଡ ଭକ୍ତମାନଙ୍କ ଗୁରୁ ଦକ୍ଷିଣାରେ ଏକ ପାନ୍ଥନିବାସ ନିର୍ମାଣ ହୋଇଛି ।

ତେବେ ଏହି ଲକ୍ ଡାଉନ୍ ସମୟରେ ଅସୁସ୍ଥ ଅବଧୂତ ସାଧୁ ଧନୁର୍ଜୟ ବାବା ଶିଷ୍ୟଙ୍କ ସହାୟତାରେ ଏବଂ ଭକ୍ତମାନଙ୍କ ମେଳରେ ପୋଡାଗଡ ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ତାଙ୍କ ସହିତ ଗଜାନନ୍ଦ ବୈରାଗୀ, ପିଙ୍କୁ ବୈରାଗୀ, ସଞ୍ଜିତ ବୈରାଗୀଙ୍କ ସହ ଅନ୍ୟ ଭକ୍ତମାନେ ତାଙ୍କୁ ଦୋଳାରେ ବୋହି ଆଣିଛନ୍ତି । ଦୀର୍ଘ ୪୮୬ କିଲୋମିଟର ବାଟ ଅତିକ୍ରମ କରିବେ। ସେମାନେ ଅନୁଗୁଳ ଅତିକ୍ରମ କରି ସାରିଛନ୍ତି । ପୋଡାଗଡରେ ପହଞ୍ଚିବା ପାଇଁ ଆଉ ୧୫ ଦିନ ଲାଗିବ । ବାଟରେ ଭକ୍ତଙ୍କ ପାଖରେ ଭିକ୍ଷା କରିବା ସହ ଓଡ଼ିଶାରୁ କରୋନା ଦୂରେଇ ଯାଇ ସୁସ୍ଥ ବାତାବରଣ ସୃଷ୍ଟି ହେବାକୁ ଭଗବାନଙ୍କୁ ପ୍ରାର୍ଥନା ଜଣାଉଛନ୍ତି । ବିଭିନ୍ନ ସ୍ଥାନରେ ସାଧୁ ବାବାଙ୍କୁ ସ୍ୱାଗତ ମଧ୍ୟ କରାଯାଉଛି । ସତରେ ଏଭଳି ପରମ୍ପରା ଆମ ଭାରତୀୟ ସଂସ୍କୃତିର ମହାନତାକୁ ଦର୍ଶାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.