ବାଙ୍କୀ ଡମପଡ଼ା ପାଥପୁରର ହାଡୁଦାସ ଗୁମ୍ଫା, ଅନେକ ରହସ୍ୟ ଓ କିମ୍ବଦନ୍ତୀ ଭରି ରହିଛି ଏହି ଗୁମ୍ଫାକୁ ନେଇ
ବାଙ୍କୀ (କେ ନ୍ୟୁଜ୍) : ରହସ୍ୟମୟ ଗୁମ୍ଫା ସବୁ କାହିଁକି ରହିଛି ପାହାଡ଼ ଉପରେ ଅବା ଜଙ୍ଗଲରେ ? କଣ ସତରେ ଏଠି ମଣିଷ ରହୁଥିଲେ ? ବର୍ତ୍ତମାନ ଯୁଗର ମଣିଷ ତ ଏଠି ଆଦୌ ରହି ପାରିବନି । ସେମାନେ କେମିତି ରହୁଥିଲେ ଓ କେମିତି ଚଳୁଥିଲେ ? କଣ ସାଧାରଣ ମଣିଷ ଠାରୁ ସେମାନେ ଅଲଗା ଥିଲେ ? ଏମିତି ଅନେକ ପ୍ରଶ୍ନ ନେଇ ଆମେ ପଶିଥିଲୁ ସୁଡ଼ଙ୍ଗ ଭଳି ଥିବା ଏହି ହାଡୁଦାସ ଗୁମ୍ଫାରେ । ପ୍ରାୟ ଶହେ ମିଟର ଭିତରକୁ ନଇଁ ନଇଁ ଯାଇ ହେଉଛି। ତା ପରେ ଘୋର ଅନ୍ଧାର । ସନ୍ଧ୍ୟା ବେଳେ ଏଠି ବିକଟାଳ ଶବ୍ଦ ଶୁଭିବାରୁ ଗୁମ୍ଫା ଭିତରକୁ ଯିବାକୁ ଲୋକେ ଭୟ କରନ୍ତି ।
ତେବେ ଅନେକ କାହାଣୀ ଓ କିମ୍ବଦନ୍ତୀ ରହିଛି ଏଠାକାର ଗାଁ ଲୋକଙ୍କ ମୁହଁରେ। … କଟକ ସହର ଠାରୁ ୩୦ କିଲୋମିଟର ପଶ୍ଚିମ ଦିଗରେ ମହାନଦୀ କୂଳେ କୂଳେ ଯିବା ପରେ ପଡେ ପାଥପୁର ଛକ। ସେହି ଛକଠାରୁ ଗାଁ ଭିତରକୁ ଗଲେ ପାହାଡ଼ ଉପରେ ଦେଖାଯିବ ଏକ ଗୁମ୍ଫା। ଗାଁ ଠାରୁ ୫୦ ମିଟର ଉପରେ ରହିଛି ଏହି ହାଡୁଦାସ ଗୁମ୍ଫା । ଯାହାକୁ ନେଇ ଅନେକ କିମ୍ବଦନ୍ତୀ ଓ ରହସ୍ୟମୟ କାହାଣୀ ରହିଛି ।
କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ଡ଼ମପଡା ବ୍ଲକର ପାଥପୁର ଗାଁ । ଏହି ଗାଁ ନିକଟରେ ପହଁଚି ସ୍ଥାନୀୟଲୋକଙ୍କ ସହିତ ଆମେ ପାହାଡ଼ ଉପରକୁ ଯାଇଥିଲୁ । ଖାଲଢିପ ରାସ୍ତା ଦେଇ ପଥର ଉପରେ ଚଢି ପହଞ୍ଚିଥିଲୁ ଗୁମ୍ଫା ନିକଟରେ । ଏହି ଗୁମ୍ପାର ନାଁ ହେଉଛି ହାଡୁଦାସ ଗୁମ୍ଫା । ଗୁମ୍ଫାର ସୁଡ଼ଙ୍ଗ ଉପରୁ ଅନବରତ ଟୋପା ଟୋପା ପାଣି ଝରି ତଳେ ପଡୁଛି। ହେଲେ ତଳେ ପଡ଼ିବା ପରେ ଏହା କୁଆଡ଼େ ଉଭାନ୍ ହୋଇ ଯାଉଛି ତାକୁ ଖୋଜି ପାଇଲୁ ନାହିଁ । ପାଣି ତ ବହିଯିବା କଥା କିନ୍ତୁ ଯେତିକି ପାଣି ପଡୁଛି ସେ ସବୁ ତଳେ ମିଳେଇ ଯାଉଛି । ଏହିପାଣି ଭାରି ଥଣ୍ଡା । ଏଥିରେ ଗାଧୋଇଲେ ଚର୍ମ ରୋଗ ଭଲ ହୋଇ ଯାଉଥିବା କଥା ସ୍ଥାନୀୟ ଲୋକମାନେ କହିଛନ୍ତି।
ପ୍ରତ୍ୟେକ ସଂକ୍ରାନ୍ତି, ଅମାବାସ୍ଯା, ପୂର୍ଣ୍ଣିମା ତିଥିରେ ରାତିରେ ଗୁମ୍ଫାରୁ ସଂକୀର୍ତନ ଶବ୍ଦ ଶୁଭୁଥିବାର କୁହନ୍ତି ସ୍ଥାନୀୟ ଲୋକେ । ଖୁବ୍ କମ୍ ଲୋକ ଏହି ଗୁମ୍ଫା ଭିତରକୁ ଯାଇଥିବା କୁହନ୍ତି । ବେଶି ଭିତରକୁ ଯିବାରେ ବିପଦ ଥିବା ଅନୁମାନ କରି ଫେରି ଆସିଛନ୍ତି । ଏହି ଗୁମ୍ଫାରୁ ସିଧାସଳଖ ପୁରୀ ଶ୍ରୀକ୍ଷେତ୍ର, ଖଣ୍ଡଗିରି ଏବଂ ଓଳାଶୁଣୀକୁ ରାସ୍ତା ରହିଥିବା ସେମାନେ ନିଜ ପୂର୍ବପୁରୁଷଙ୍କ ଠାରୁ ଶୁଣିଥିବା କହିଛନ୍ତି ।
ଲୋକକଥା ଅନୁସାରେ ଏଇ ଗାଁର ହାଡୁ ଦାସ ନାମକ ଜଣେ ବ୍ୟକ୍ତି ସେହି ଗୁମ୍ଫାକୁ ପ୍ରବେଶ କରିବା ପରେ ଏକ ପଦ୍ମ ପୋଖରୀ ଦେଖିଥିଲେ । ସେଠାରେ ସାଧୁସନ୍ଥମାନେ ବସି ତପସ୍ୟା କରୁଥିଲେ । ଜଣେ ସାଧୁ ତାଙ୍କୁ ଏହି ଗୁମ୍ଫାର ମହାତ୍ମ୍ୟ ବିଷୟରେ କହିବା ପରେ ଏ କଥା ଅନ୍ୟ କାହାକୁ କହିଲେ ତୁମର ମୃତ୍ୟୁ ଘଟିବ ବୋଲି ସତର୍କ କରାଇ ଥିଲେ । ମାତ୍ର ସେ ଗୁମ୍ଫାରୁ ବାହାରକୁ ଆସିବାର ଦିନକ ପରେ ଘଟଣା ସମ୍ପର୍କରେ କହି ଦେବାରୁ ହଠାତ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କରି ନାମ ଅନୁସାରେ ଏହି ଗୁମ୍ଫାର ନାମ କରଣ ହୋଇଛି ହାଡୁଦାସ ଗୁମ୍ଫା।
ଏହି ଗୁମ୍ଫା ଏକ ଦର୍ଶନୀୟ ସ୍ଥାନ ହୋଇଥିଲେ ମଧ୍ୟ ଏଠାକୁ ଭଲ ରାସ୍ତା ନାହିଁ । ସମସ୍ତଙ୍କ ପକ୍ଷେ ପାହାଡ଼ ଚଢିବା ସମ୍ଭବପର ହେଉ ନଥିବାରୁ ଏଠାକୁ ଆସିବା ପାଇଁ ଅନେକ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ତେଣୁ ବ୍ଲକ ପ୍ରଶାସନ ପକ୍ଷରୁ ଏକ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏହି ଗୁମ୍ଫାରେ କିଛି ଲିପି ମଧ୍ୟ ରହିଛି। ଯାହା ଉପରେ ଗବେଷଣା ହେବା ଦରକାର । ତେବେ ଏଇ ହଜାର ହଜାର ବର୍ଷର ପୁରାତନ କୀର୍ତ୍ତିକୁ ରାଜ୍ଯ ସରକାର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ସହ ପ୍ରତ୍ନତତ୍ତ୍ୱ ବିଭାଗ ଏହାର ସୁରକ୍ଷା ଦେବା ଦରକାର ।
ଏତେ କାହାଣୀ ଓ କିମ୍ବଦନ୍ତୀ ସହ ହଜାର ହଜାର ବର୍ଷ ଧରି ଠିଆ ହୋଇ ରହିଛି ଏହି ଗୁମ୍ଫା । ଏହା ଉପରେ ଗବେଷଣା କରିବା ସହିତ ଏହାର ରକ୍ଷଣାବେକ୍ଷଣ କରି ଅତୀତକୁ ଖୋଜିବା କଣ ଆମର ଦାୟିତ୍ୱ ନୁହେଁ ?
ବାଙ୍କୀ ପାଥପୁର ଗାଁରୁ ପୂର୍ଣ୍ଣଚନ୍ଦ୍ର ସାହୁ, କେ ନ୍ୟୁଜ୍ ଓଡ଼ିଶା