ହାଇଦର ଚାପ୍ଟର କ୍ଲୋଜ୍‌ ହେଲା, ଆଗକୁ କାହା ପାଳି? ଗ୍ୟାଙ୍ଗଷ୍ଟରଙ୍କ ଭିତରେ ଏବେ ଭୟ

କେନ୍ୟୁଜ୍(ବ୍ୟୁରୋ):  ହାଇଦର ଚାପ୍ଟର କ୍ଲୋଜ୍‌ ହେଲା। ଆଗକୁ କାହା ପାଳି? ଜେଲ୍‌ରେ ଥିବା କ୍ରାଇମ୍‌ ଲର୍ଡଙ୍କ ମଧ୍ୟରେ ଭାଳେଣି। ଜେଲରେ ଯେଉଁ ଦୁର୍ଦ୍ଦାନ୍ତ ଅପରାଧୀ ଅଛନ୍ତି ସେମାନଙ୍କ ଉପରେ ଏବେ କଡା ନଜର। ଜେଲ୍‌ରେ ରହି ଅପରେଟ୍‌ କରୁ ନାହାଁନ୍ତି ତ? ସୁରାକ୍‌ ମିଳିବା କ୍ଷଣି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ପୋଲିସ। ଗୋଟିଏ ଜେଲରେ ରହି ଷଡ଼ଯନ୍ତ୍ରରେ ସାମିଲ ହେଲେ ଅନ୍ୟ ଜେଲ୍‌ ସ୍ଥାନାନ୍ତର ହେଉଛନ୍ତି ଅପରାଧୀ। ଏବେ କିନ୍ତୁ, କ୍ରାଇମ୍‌ ଲର୍ଡଙ୍କ ପ୍ରତି ଜିରୋ ଟଲେରାନ୍‌ସ ନୀତିରେ କାର୍ଯ୍ୟ କରିବା ଆରମ୍ଭ କରିଛି ପୋଲିସ। ବିଶେଷ କରି ଯେଉଁ ଗ୍ୟାଙ୍ଗଷ୍ଟର ସଂଗଠିତ ଅପରାଧରେ ଲିପ୍ତ ସେମାନଙ୍କୁ ଆଉ କ୍ଷମା ନାହିଁ।

କେନ୍ଦ୍ରାପଡ଼ା ଗ୍ୟାଙ୍ଗଷ୍ଟର ଟ୍ରିଓ, ହାଇଦର -ଟିଟୋ-ସୁଲେମାନ ମଧ୍ୟରୁ, ସୁଲେମାନକୁ ୨୦୦୯ରେ ହତ୍ୟା କରାଯାଇଥିଲା। ଦି ଦିନ ତଳେ ଏନ୍‌କାଉଣ୍ଟରରେ ମଲା ହାଇଦର। ଏବେ ରହିଯାଇଛି ଟିଟୋ। ତାକୁ ଝାରପଡ଼ା ଜେଲ୍‌ରୁ ସ୍ଥାନାନ୍ତର କରାଯାଇ ବ୍ରହ୍ମପୁର ଜେଲ୍‌ରେ ରଖାଯାଇଛି। ସୂଚନା ମୁତାବକ ଜେଲେରେ ଥିବା ୧୫ ଗ୍ୟାଙ୍ଗଷ୍ଟରଙ୍କ ତାଲିକା ତିଆରି କରିଛି ପୋଲିସ। ସେଥିରେ ରହିଛି ଟିଟୋ

 ତାଲିକାରେ ଥିବା ଅନ୍ୟ କୁଖ୍ୟାତ ଅପରାଧୀ ଡି-ବ୍ରଦର୍ସ। ସୁଶାନ୍ତ ଧଳ ସାମନ୍ତ ବଲାଙ୍ଗିର ଜେଲରେ ଅଛି। ସୁଶୀଲ ଅଛି ବାଲେଶ୍ୱର ଜେଲ୍‌ରେ। ରହି ରହି କଟକରେ ବିଭିନ୍ନ ସ୍ଥାନରୁ ବନ୍ଧୁକ ଜବତ ହେଉଛି। ସେମାନଙ୍କ ଲିଙ୍କ୍‌ ଡି-ବ୍ରଦର୍ସ ସହ ରହୁଛି। ତେଣୁ ଦୁଇ ଭାଇ ସର୍ଭିଲାନ୍‌ସରେ ଥିବା ଜଣାପଡିଛି। ସେହିପରି ଗ୍ୟାଙ୍ଗଷ୍ଟର ସକିଲକୁ ଚୌଦ୍ୱାର ଜେଲ୍‌ରୁ କେନ୍ଦୁଝର ଓ ସେଠାରୁ ବ୍ରହ୍ମପୁର ସର୍କଲ ଜେଲ୍‌ରେ ଆଣି ରଖାଯାଇଛି। ସକିଲର ସହଯୋଗୀ ଶେଖ୍‌ ରାହୁଲ ବାରିପଦା ଜେଲ୍‌ରେ ରହିଛି। ଗ୍ୟାଙ୍ଗଷ୍ଟର ରାଜନ ମିଶ୍ର ମଧ୍ୟ ରହିଛି ବାରିପଦା ଜେଲ୍‌ରେ। ଗ୍ୟାଙ୍ଗଷ୍ଟର ବିକ୍ରମ ମଲିକକୁ ଝାରପଡ଼ା ସ୍ୱତନ୍ତ୍ର ଜେଲ୍‌ରୁ ସମ୍ବଲପୁର ଜିଲ୍ଲା ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଦୁଇ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଓ ରାଜେନ୍ଦ୍ର ବାରିକ ଅଛନ୍ତି ଝାରପଡ଼ା ସ୍ୱତନ୍ତ୍ର ଜେଲ୍‌ରେ। ସେପଟେ କୁଖ୍ୟାତ ଅପରାଧି ଅନିଲ ଛୋଟରାୟ ସର୍ତ୍ତମୂଳକ ଜାମିିନ ପାଇ ଏବେ ବାହାରେ ଅଛି।

 ଗ୍ୟାଙ୍ଗଷ୍ଟରଙ୍କ ଉପରେ କଡ଼ା ନଜର। ଜେଲରେ ୱାର୍ଡରଙ୍କ ଦେହରେ ବଡ଼ି କ୍ୟାମେରା ଲଗାଇବାକୁ କାମ ଆରମ୍ଭ ହୋଇଛି। ସିସି କ୍ୟାମେରା, ମେଟାଲ ଡିକ୍ଟେଟର ଅପଗ୍ରେଡ୍‌ କରାଯାଉଛି। ସୂଚନା ମୁତାବକ ହାଇଦର ଚୌଦ୍ୱାର ଜେଲ୍‌ରେ ରହି ବାହାରେ ଅପରାଧିକ କାର୍ଯ୍ୟକଳାପକୁ ସକ୍ରିୟ କଲା। ଜଣା ପଡିବା ପରେ ତାକୁ ପଠାଯାଉଥିଲା ବାରିପଦା। କିନ୍ତୁ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବା ପୂର୍ବରୁ ଏନ୍‌କାଉଣ୍ଟରରେ ସଫା ହେଲା। ଏ ଘଟଣା ଦେଖି ଜେଲରେ ଥିବ ଅନ୍ୟ ଅପରାଧୀଙ୍କ ମଧ୍ୟରେ ଭୟ। ପୁଣି କାହାର ପାଳି ପଡ଼ିବ? ସେପଟେ ହାଇଦରକୁ ଏନ୍‌କାଉଣ୍ଟର ଘଟଣାରେ ରାଜ୍ୟ ମାନବାଧିକାର କମିଶନ-OHRCଙ୍କ ନୋଟିସ। ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପିଙ୍କୁ ରିପୋର୍ଟ ତଲବ। ଜେଲ ଡିଜି ଓ ପୋଲିସ କମିଶନରଙ୍କୁ ବି ରିପୋର୍ଟ ମାଗିଛନ୍ତି କମିଶନ। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.