କାରୋନା କଟକଣା ମଧ୍ୟରେ ମା’ ରାମଚଣ୍ଡୀଙ୍କ ପୀଠରେ ପାଳନ ହେଲା ନିଆରା ହାଣ୍ଡିଭଙ୍ଗା ଯାତ୍ରା

ପବିତ୍ର ବୈଶାଖ ମାସ ଶେଷ ଗୁରୁବାରରେ କୋଣାର୍କର ପ୍ରସିଦ୍ଧ ଶକ୍ତି ପୀଠ ମା’ ରାମଚଣ୍ଡୀଙ୍କ ନିଆରା ହାଣ୍ଡି ଭଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ପରମ୍ପରା ରକ୍ଷା ପାଇଁ ଅଳ୍ପକିଛି ସଂଖ୍ଯାରେ ସଧବା ମହିଳା ମାନେ କୋଭିଦ କଟକଣା ମଧ୍ୟରେ ମାନସିକ ରଖି ନିଜ ମାଟି ହାଣ୍ଡିରେ ପ୍ରସ୍ତୁତ ହୋଇଥିବା ଖେଚୁଡି ଖାଇ ହାଣ୍ଡି ବାଡିଆ ବନ୍ତରେ ମାଟି ହାଣ୍ଡିକୁ ବାଡେଇ ଭାଙ୍ଗି ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

maa ramachandi

ପରମ୍ପରା ଅନୁଯାୟୀ ଆଖପାଖ ଅଞ୍ଚଳର ବିଭିନ୍ନ ଗ୍ରାମର ସଧବା ମହିଳା ମାନେ ଏହି ଦିନ ମାନସିକ ରଖି ବ୍ରତ ରଖିଥାନ୍ତି । ଏହି ପବିତ୍ର ଦିନ ମହିଳା ମାନେ ସକାଳୁ ନୂତନ ବସ୍ତ୍ର ପରିଧାନ କରି ଉପବାସ ରହି ଗ୍ରାମ ଦେବତୀଙ୍କୁ ପୂଜାର୍ଚନା କରି ମାଙ୍କ ପୀଠକୁ ଆସିଥିଲେ । ମହିଳା ମାନେ ମାଙ୍କ ପୀଠରେ ମାଙ୍କ ସେବକ ମାନେ ଦେଇଥିବା ମାଟିହାଣ୍ଡିରେ ଖେଚୁଡି ପ୍ରସ୍ତୁତ କରିଥିଲେ । ଦୁଇ ଭାଗ ଛାଡି ଗୋଟିଏ ଭାଗ ଖେଚୁଡି ଖାଇବା ପରେ ସେବକଙ୍କ ସହ ହାଣ୍ଡି ବାଡିଆ ବନ୍ତରେ ସାତଘେରା ପରିକ୍ରମା କରିବା ପରେ ହାଣ୍ଡି ଗୁଡିକୁ ବାଡେଇ ଭାଙ୍ଗି ଏକ ମୁହାଁ ହୋଇ ନିଜ ନିଜ ଘରକୁ ଫେରିଥିଲେ । ନିଜ ପରିବାର ପାଇଁ ମହିଳା ମାନେ ମାନସିକ ରଖିବା ସହ ସାରା ବିଶ୍ବକୁ କାରୋନାରୁ ମୁକ୍ତି ପାଇଁ ମାଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

ବିଶ୍ୱାସ ରହିଛି ପ୍ରାଚୀନ କାଳରେ ଏହି ଅଞ୍ଚଳର ଲୋକେ ହିଂସ୍ର ଜନ୍ତୁଙ୍କ ଠାରୁ ନିଜ ପିଲା ମାନଙ୍କୁ ସୁରକ୍ଷା ଦେବା ପାଇଁ ମା ଓ ହିଂସ୍ର ଜନ୍ତୁଙ୍କ ପାଇଁ ଦୁଇ ଭାଗ ଖାଦ୍ୟ ରଖି ଏକ ଭାଗ ଖେଚୁଡି ବାଟୁଳା ଖାଇ ଏହି ପରମ୍ପରା ଆରମ୍ଭ କରିଥିଲେ । କେହି କେହି କୁହନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର, ମା’ ଲକ୍ଷ୍ମୀଙ୍କୁ ଖୋଜି ଖୋଜି ଆସି ଏହିଠାରେ ଆଜିର ଦିନରେ ମାଙ୍କ ସାନିଧ୍ୟ ଲାଭ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.