ଉଦ୍ୟାନ ବିଭାଗ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କନ୍ଧମାଳ : ଉଦ୍ୟାନ ବିଭାଗ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ସରକାରୀ ବାସଭବନରେ ବେକରେ ରଶି ଲଗାଇଥିବା ଅବସ୍ଥାରେ ଫୁଲବାଣୀ ଉଦ୍ୟାନ ବିଭାଗ ଆସିଷ୍ଟାଣ୍ଟ ଡେମୋନଷ୍ଟ୍ରୋଟର ବିଜୟ କୁମାର ନାୟକଙ୍କ ମୃତଦେହ ଉଦ୍ଧାର ହୋଇଛି। କନ୍ଧମାଳ ଜିଲ୍ଲା ଫୁଲବାଣୀ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ ବିଜୟ କୁମାର ନାୟକ।
ଗତକାଲି ଅପରାହ୍ଣ ୪ଟା ବେଳେ ବିଜୟ ନାୟକଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ କର୍ମଚାରୀ। ଏନେଇ ଅତିରିକ୍ତ ଉଦ୍ୟାନ କୃଷି ନିର୍ଦ୍ଦେଶକ ତୁରନ୍ତ ନିଜର ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ଫୁଲବାଣୀ ଟାଉନ୍ ପୋଲିସକୁ ଜଣାଇଥିଲେ। ପରେ ପରିବାର ବର୍ଗଙ୍କୁ ଏହି ଖବର ଦିଆଯାଇଥିଲା।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେପଟେ ଅତିରିକ୍ତ ଉଦ୍ୟାନ କୃଷି ନିର୍ଦ୍ଦେଶକ ଅଭିଯୋଗକୁ ଖଣ୍ଡନ କରି ଏହା ଏକ ଆତ୍ମହତ୍ୟା ବୋଲି କହିଛନ୍ତି।