ଭଞ୍ଜନଗର: ଚାଲିଛି ପ୍ରବଳ ବର୍ଷା । ତାଭିତରେ ବି ଚାଲିଛି ରାଲି । ବାଇକ୍ ଧରି କିଛି ଲୋକ ରାଲିରେ ବାହାରିଛନ୍ତି । ହାତରେ ଧରିଛନ୍ତି ତ୍ରିରଙ୍ଗା ପତାକା । ଆପଣଙ୍କ ମନକୁ ନିହାତୀ ପ୍ରଶ୍ନ ଆସୁଥିବ ଏମାନେ କିଏ? କାହିଁ ଏଭଳି ବର୍ଷାରେ ଭିଜି ଭିଜି ବାଇକ୍ ରେ ବୁଲୁଛନ୍ତି । ବୁଝୁ ବୁଝୁ ସାମ୍ନାକୁ ଆସିଲା ପ୍ରକୃତ ଘଟଣା ।
ବର୍ଷାରେ ଭିଜିଲେ, ବିଧାୟକ । ହଁ ଆଜ୍ଞା । ନିଜେ ବାଇକ୍ ଚଳାଇ ଗାଁ କୁ ଗାଁ ବୁଲି “ତ୍ରିରଙ୍ଗା ଶୋଭାଯାତ୍ରା” କଲେ । ସ୍ଵାଧୀନତାର ଅମୃତ ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ, ଜଗନ୍ନାଥପ୍ରସାଦ ବ୍ଳକ୍ ର ବିଭିନ୍ନ ସ୍ଥାନରେ ।
ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନେତୃତ୍ୱରେ ବହୁ ସଂଖ୍ୟକ କର୍ମୀ ଓ ସମର୍ଥକ ସଂପୃକ୍ତ ବ୍ଳକ୍ ର ଅଢେଇଗାଁ ଠାରୁ ବାଇକ୍ ଶୋଭାଯାତ୍ରାରେ ବାହାରି ଜିରାବାଡି ଗାଁ ନିକଟରେ ପହଞ୍ଚିଥିଲେ । “ହର୍ ଘର୍ ତ୍ରିରଙ୍ଗା, ଘର୍ ଘର୍ ତ୍ରିରଙ୍ଗା” ନାରା ଦେଇ, ଦେଶ ପାଇଁ ବଳିଦାନ ଦେଇଥିବା ବୀର ମାନଙ୍କ ସ୍ମୃତି ଚାରଣ କରିଥିଲେ ।
ଏହା ସହ, ଦେଶର ଗୈାରବମୟ ଇତିହାସକୁ ମନେପକାଇ, ଆସନ୍ତା ଅଗଷ୍ଟ ୧୫ ଯାଏଁ ଘରେ ଘରେ ତ୍ରିରଙ୍ଗାକୁ ସମ୍ମାନ ଦେବାପାଇଁ ଆହ୍ୱାନ ଦେଇଥିଲେ । ନିଜେ ବିଧାୟକ ଶ୍ରୀ ନାୟକ ସ୍କୁଟି ଚଳାଇ, ଶୋଭାଯାତ୍ରା ମାଧ୍ୟମରେ ଲୋକଙ୍କ ପାଖରେ “ତ୍ରିରଙ୍ଗା ବାର୍ତ୍ତା” ପହଞ୍ଚାଇ ଥିଲେ । ରାସ୍ତା ତମାମ, ଲୋକଙ୍କୁ ଶୁଭେଚ୍ଛା ଜଣାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।
ତେବେ ସୂଚନା ଥାଉକି, ଆସନ୍ତା ଅଗଷ୍ଟ ୧୫, ସ୍ଵାଧୀନତା ଦିବସ ପର୍ଯ୍ୟନ୍ତ ରାଜ୍ୟରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଯୋଡି ହେବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ସମସ୍ତେ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରି ସେଲଫି ଉଠାଇ ସୋସିଆଲ ମିଡ଼ିଆରେ ଅପଲୋଡ୍ କରିବାକୁ କହିଛନ୍ତି । harghartiranga.com ରେ ଅପଲୋଡ କରିବାକୁ କହିଛନ୍ତି । ସ୍ଵାଧୀନତା ଦିବସ ପାଳନ ଅବସରରେ ହର୍ ଘର୍ ତିରଙ୍ଗା ଅଭିଯାନରେ ସାମିଲ୍ ହେବ ।