ନୂଆ ସିପି ଦାୟିତ୍ବ ନେବାର ୨୪ ଘଣ୍ଟା ନପୂରୁଣୁ କଟକରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ପାତ୍ର ଓରଫ ଅମିତ ଗୁରୁତର

କଟକରେ ପୁଣି ଏନକାଉଣ୍ଟର । ଗୁଳିମାଡ଼ରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ପାତ୍ର ଓରଫ ଅମିତ ଗୁରୁତର । ଅମିତର ଘର ନିଶ୍ଚିନ୍ତକୋଇଲିର ଖଣ୍ଡାସାହିରେ । ଅମିତକୁ ଗିରଫ ସହ ଘଟଣାସ୍ଥଳରୁ ପୋଲିସ ପିସ୍ତଲ ଗୁଳି ସହ କାର ଜବତ କରିଛି । ଗତ ୨୮ ତାରିଖରେ ଜଗତପୁର ଇମାମନଗରରେ ଏକ ଡକାୟତି ମାମଲାରେ ତଦନ୍ତ ବେଳେ ଏଥିରେ ଅମିତର ସଂପୃକ୍ତି ଥିବା ଜଣାପଡ଼ିଥିଲା । ଆଜି ସଂଧ୍ୟାରେ ଅମିତ ଏକ କାରରେ କେନାଲ ରୋଡ଼ ଦେଇ କେନ୍ଦ୍ରାପଡ଼ା ଆଡ଼କୁ ଯାଉଥିବା ଖବର ପାଇ ଜଗତପୁର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ଵାଡର ସ୍ୱତନ୍ତ୍ର ଟିମ୍‌ ତାକୁ ଅଟକାଇବାକୁ ଉଦ୍ୟମ କରିଥିଲେ । ହେଲେ ସେ ପୋଲିସ ଉପରକୁ ଗୁଳି ମାରି ଖସି ଯିବାକୁ ଚେଷ୍ଟା କରିଥିଲା । ପୋଲିସ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା । ଗୁଳି ଅମିତ ଡାହାଣ ଗୋଡ଼ରେ ବାଜିବାରୁ ସେ ଆହତ ହୋଇଛି । ତା ନିକଟରୁ ଗୋଟିଏ ପିସ୍ତଲ ୨ ରାଉଣ୍ଡ ଗୁଳି, ଗୋଟିଏ କାର ଜବତ କରାଯାଇଛି । ଘଟଣାସ୍ଥଳରୁ ୪ଟି ଖୋକା ମଧ୍ୟ ମିଳିଛି । ଅମିତକୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଅମିତ ସହ ଧସ୍ତାଧସ୍ତିରେ ଦୁଇ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି