ସ୍କୁଲରେ ବୈଠକ ଚାଲିଥିବା ସମୟରେ ପ୍ରଧାନଶିକ୍ଷକଙ୍କୁ ଆକ୍ରମଣ, ସ୍କୁଲ ସମ୍ମୁଖରେ ଗ୍ରାମବାସୀଙ୍କ ପ୍ରତିବାଦ

ସ୍କୁଲରେ ବୈଠକ ଚାଲିଥିବା ବେଳେ ପ୍ରଧାନ ଶିକ୍ଷକଙ୍କୁ ଆକ୍ରମଣ । ଆକ୍ରମଣରେ ଲହୁଲୁହାଣ ହେଲେ ପ୍ରଧାନ ଶିକ୍ଷକ । ମାରି ମାରି ପ୍ରଧାନ ଶିକ୍ଷକଙ୍କ ମୁଣ୍ଡ ଫଟେଇ ଦେଲେ । ଏନେଇ ପ୍ରତିବାଦ କରିଛନ୍ତି ଗାଁ ଲୋକେ । ପ୍ରଧାନ ଶିକ୍ଷକଙ୍କ ସହ ହୋଇଥିବା ଏଭଳି ଅତ୍ୟାଚାରକୁ ସହି ପାରି ନାହାନ୍ତି ଗାଁ ଲୋକେ । ଆଉ ଶେଷରେ ନ୍ୟାୟ ପାଇଁ କରିଛନ୍ତି ପ୍ରତିବାଦ । ସ୍କୁଲରେ କାର୍ଯ୍ୟରତ ଶିକ୍ଷକଙ୍କ ପରୀକ୍ଷା ଡ୍ୟୁଟିକୁ ନେଇ ପ୍ରଧାନଶିକ୍ଷକ ଓ ସଭ୍ୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା କଥା କଟାକଟି । ଠିକ ଏହି ସମୟରେ ସ୍କୁଲ ପରିଚାଳନା କମିଟି ସଭ୍ୟ ଫକୀର ଚରଣ ପ୍ରଧାନ ଉତ୍ୟକ୍ତ ହୋଇ ପ୍ରଧାନ ଶିକ୍ଷକଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଯାହା ଫଳରେ ପ୍ରଧାନ ଶିକ୍ଷକଙ୍କ ମୁଣ୍ଡ ଫାଟିବା ସହ ସେ ଆହତ ହୋଇଥିଲେ ।

ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ କଦମପାଳ ଗାଁର ବୁଢ଼ୀ ଜାଗୁଳାଇ ଉଚ୍ଚ ବିଦ୍ୟାଳୟରେ । ଅଭିଯୋଗ ମୁତାବକ ଗତ ମଙ୍ଗଳବାର ଦିନ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସ୍କୁଲ କମିଟି ବୈଠକ ଚାଲିଥିଲା । ଏହି ସମୟରେ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଜେନାଙ୍କୁ ଆକ୍ରମଣ କରାଯାଇଥିଲା । ପ୍ରଧାନ ଶିକ୍ଷକଙ୍କ ମୁଣ୍ଡ ଫାଟି ଯିବାରୁ ତୁରନ୍ତ  ସ୍ଥାନୀୟ ଲୋକେ ତାଙ୍କୁ ନିକଟସ୍ଥ ଗୋପାଳପୁର ଚିକିତ୍ସାଳୟକୁ ପଠାଇଥିଲେ । ଆହତ ପ୍ରଧାନ ଶିକ୍ଷକ ଚିକିତ୍ସା ପରେ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ ।

ତେବେ ଘଟଣାକୁ ୪ରୁ ୫ ଦିନ ବିତିଯାଇଥିଲେ ବି ପୋଲିସ ଏଯାଏଁ ଅଭିଯୁକ୍ତକୁ ଗିରଫ କରିନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଅଭିଯୁକ୍ତକୁ ଗିରଫ ଦାବିରେ ସ୍କୁଲ ସମ୍ମୁଖରେ ହୋହାଲ୍ଲା ସହ ପ୍ରତିବାଦ କରିଛନ୍ତି ଗାଁ ଲୋକେ । ଏସମ୍ପର୍କରେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

ସ୍କୁଲ ଭିତରେ ଏଭଳି ଆକ୍ରମଣ ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସ୍ଥାନୀୟ ଲୋକେ । ସ୍କୁଲରେ ପିଲାଙ୍କ ଭବିଷ୍ୟତ ଗଢ଼ାଯାଉଛି । କିନ୍ତୁ ଏହି ସ୍କୁଲରେ ଘଟିଥିବା ଏଭଳି କାଣ୍ଡରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ତୁରନ୍ତ ଘଟଣାର ସମାଧାନ କରାଯିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।