ବଲାଙ୍ଗୀରରେ କିମ୍ସ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ, କିମ୍ସ ପକ୍ଷରୁ ମାଗଣା ଔଷଧ ବଣ୍ଟନ
ବଲାଙ୍ଗୀରରେ କିମ୍ସ ପକ୍ଷରୁ ବିଶାଳ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ । ଗ୍ରାମାଞ୍ଚଳ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟରେ ଶିକ୍ଷାବିତ୍ ଓ ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ- କିମ୍ସ ପକ୍ଷରୁ ପ୍ରତିବର୍ଷ ଓଡ଼ିଶାର ବିଭିନ୍ନ ସ୍ଥାନରେ ମେଗା ସ୍ୱାସ୍ଥ୍ୟମେଳା ଆୟୋଜନ କରାଯାଇଥାଏ । ଏଥିରେ ରୋଗୀମାନଙ୍କୁ ମାଗଣା ଡାକ୍ତରୀ ପରାମର୍ଶ ସହ କିମ୍ସ ପକ୍ଷରୁ ମାଗଣା ଔଷଧ ବଣ୍ଟନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର କିସ୍ ପରିସରରେ କିମ୍ସ ପକ୍ଷରୁ ଏକ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା।
ସ୍ବାସ୍ଥ୍ୟ ଶିବିରକୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରମେଶ ଚନ୍ଦ୍ର ସାହୁ ଉଦଘାଟନ କରିଥିଲେ। ଏହି ସମୟରେ ସାଂସଦ ନିରଞ୍ଜନ ବିଶି ଓ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଉପସ୍ଥିତ ଥିଲେ। ଏଥିରେ କିମ୍ସର ବିଭିନ୍ନ ବିଭାଗର ୧୦୦ରୁ ଊର୍ଦ୍ଧ୍ୱ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଯୋଗଦେଇଥିଲେ। ଏଥିରେ ଲୋକମାନଙ୍କୁ ଚିକିତ୍ସା ପରାମର୍ଶ ସହ ବିନାଦେୟରେ ଔଷଧ ବଣ୍ଟନ ଓ ବିଭିନ୍ନ ପ୍ରକାରର ପରୀକ୍ଷା ନିରୀକ୍ଷା ମଧ୍ୟ କରାଯାଇଥିଲା। ସକାଳ ୯ଟାଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏହି ଶିବିର ଚାଲିଥିବା ବେଳେ ଏହି ଶିବିରରେ ୨ହଜାରରୁ ଊର୍ଦ୍ଧ୍ୱ ରୋଗୀ ଯୋଗଦେଇଥିଲେ।
ରୋଗୀମାନେ ଦୂରଦୂରାନ୍ତରୁ ଆସିଥିବାରୁ ସେମାନଙ୍କ ପାଇଁ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରାଯାଇଥିଲା। ମାଗଣା ଡାକ୍ତରୀ ପରାମର୍ଶ ସହ ମାଗଣା ଔଷଧ ଓ ନିଦାନ ପାଇ ଲୋକମାନେ ବେଶ ଉତ୍ସାହିତ ହୋଇଥିଲେ। ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏଭଳି ବିଶାଳ ସ୍ବାସ୍ଥ୍ୟ ଶିବିରକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି। ଏହି ଅବସରରେ ଡ. ସାମନ୍ତଙ୍କ ଦ୍ଵାରା ବଲାଙ୍ଗୀରଠାରେ କିମସ ଗ୍ରାମାଞ୍ଚଳ ହସ୍ପିଟାଲର ଭୂମିପୂଜନ କରାଯାଇଥିଲା।ପ୍ରଥମ ପର୍ଯ୍ୟାୟରେ ଏହି ହସ୍ପିଟାଲ ଶହେ ଶଯ୍ୟା ବିଶିଷ୍ଟ ହେବ। ଏଥିରେ ସମସ୍ତ ପ୍ରକାର ସର୍ବାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଏହି ହସ୍ପିଟାଲ ବଲାଙ୍ଗୀର ଜିଲ୍ଲାର ଲୋକଙ୍କ ସେବାରେ ଆସିବ ବୋଲି ଡ. ସାମନ୍ତ କହିଛନ୍ତି।