BSKYରେ ବ୍ୟାପକ କେଳେଙ୍କାରୀ କରିଛି ଶୋଭା ନର୍ସିଂହୋମ୍: ସ୍ବୀକୃତିକୁ ପ୍ରତ୍ୟାହାର କରି ନେଲା ସ୍ବାସ୍ଥ୍ୟ ବିଭାଗ
ହସ୍ପିଟାଲ୍ର କେଳେଙ୍କାରୀ ଧରାପଡ଼ିବା ଓ ଏହାକୁ ସିଲ୍ କରାଯିବା ପରେ ବିଏସ୍କେୱାଇ ଆବେଦନ ଉପରେ ହସ୍ପିଟାଲ୍କୁ ସ୍ବୀକୃତି ଦିଆଯିବ ନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛି। ଏବେ ସୁଦ୍ଧା କଟକର ସାଉଥ୍ ପଏଣ୍ଟ, ଆଠଗଡ଼ର ପଣ୍ଡା, ମାହାଙ୍ଗା ଛତ୍ରତୋଟାର ସାଇ ଆରେଗ୍ୟ ହସ୍ପିଟାଲ ଏଣ୍ଡ ଡାଇଗ୍ନୋଷ୍ଟିକ୍ ଓ ପାଗାସ୍ଥିତ ଶୋଭା ନର୍ସିଂହୋମ୍ର ବିଏସ୍କେୱାଇ ଅନୁବନ୍ଧନ କଟିଛି।

କଟକ(କେନ୍ୟୁଜ୍): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କେୱାଇ) କେଳେଙ୍କାରୀ ଘଟଣାରେ ସମ୍ପୃକ୍ତ ପାଗାସ୍ଥିତ ଶୋଭା ନର୍ସଂହୋମ୍ର ସ୍ବୀକୃତିକୁ ପ୍ରତ୍ୟାହାର କରି ନେଇଛି ସ୍ବାସ୍ଥ୍ୟ ବିଭାଗ। ଏହା ସହିତ ଗୋଶାଳା ରୋଡ଼ରେ ଥିବା ଜେ.ଏମ୍. କେୟାର୍ ହସ୍ପିଟାଲ୍ ବିଏସ୍କେୱାଇ ସ୍ବୀକୃତି ନ ଦେବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସରକାରଙ୍କୁ ଜଣାଇ ଦେଇଛି। ଜେ.ଏମ୍. କେୟାର୍ ହସ୍ପିଟାଲ୍ ବିଏସ୍କେୱାଇ ସ୍ବୀକୃତି ପାଇଁ ଆବେଦନ କରିଥିବା ବେଳେ ସିଡିଏମ୍ଓଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏହାକୁ ଯାଂଚ କରି ବିଭାଗକୁ ରିପୋର୍ଟ ପଠାଯାଇଥିଲା।
ଏବେ ହସ୍ପିଟାଲ୍ର କେଳେଙ୍କାରୀ ଧରାପଡ଼ିବା ଓ ଏହାକୁ ସିଲ୍ କରାଯିବା ପରେ ବିଏସ୍କେୱାଇ ଆବେଦନ ଉପରେ ହସ୍ପିଟାଲ୍କୁ ସ୍ବୀକୃତି ଦିଆଯିବ ନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛି। ଏବେ ସୁଦ୍ଧା କଟକର ସାଉଥ୍ ପଏଣ୍ଟ, ଆଠଗଡ଼ର ପଣ୍ଡା, ମାହାଙ୍ଗା ଛତ୍ରତୋଟାର ସାଇ ଆରେଗ୍ୟ ହସ୍ପିଟାଲ ଏଣ୍ଡ ଡାଇଗ୍ନୋଷ୍ଟିକ୍ ଓ ପାଗାସ୍ଥିତ ଶୋଭା ନର୍ସିଂହୋମ୍ର ବିଏସ୍କେୱାଇ ଅନୁବନ୍ଧନ କଟିଛି।କଟକରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ)ରେ ଚାଲିଥିବା ବଡ଼ କେଳେଙ୍କାରୀ ଗୋଟିକ ପରେ ଗୋଟିଏ ସାମନାକୁ ଆସିବାରେ ଲାଗିଛି।
ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗର ତଦନ୍ତ କରିବାକୁ ଯାଇ ମଧୁପାଟଣା ଥାନା ପୋଲିସ ଏହି କେଳେଙ୍କାରୀର ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି। ରୋଗୀଙ୍କୁ ଗୋଟିଏ ସ୍ଥାନରେ ଚିକିତ୍ସା କରାଯାଉଥିବା ବେଳେ ତାଙ୍କ ନାମ ଅନ୍ୟ ହସ୍ପିଟାଲ୍ର ରେକର୍ଡରେ ଦର୍ଶାଇ ବିଏସ୍କେୱାଇ ଅର୍ଥ ଉଠାଯିବା ଭଳି ଚାଞ୍ଚଲ୍ୟକର ଘଟଣା ଧରା ପଡିଛି।
ଭିତ୍ତିଭୂମି ନଥିବା ହସ୍ପିଟାଲ୍କୁ ବିଏସ୍କେୱାଇ ଯୋଜନାରେ ଅନୁବନ୍ଧିତ କିଭଳି କରାଯାଉଛି, ସେ ନେଇ ପ୍ରଶ୍ନ ଉଠିଛି। ସେଠାକାର ରେକର୍ଡରେ ରୋଗୀଙ୍କ ଚିକିତ୍ସା କରାଯାଉଥିବା ଦର୍ଶାଯାଉଥିଲେ ବି ଅନ୍ୟ ସ୍ଥାନରେ ଅସ୍ତ୍ରୋପଚାର କରାଇ ବିଲ୍ ଟଙ୍କା ଉଠାଯାଉଛି। ବିଏସ୍କେୱାଇ ଯୋଜନାରେ ଏଭଳି କେଳେଙ୍କାରୀକୁ ନେଇ ଦୀର୍ଘଦିନ ହେଲା ଅଭିଯୋଗ ହୋଇଆସୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ କଡ଼ାକଡ଼ି ଯାଞ୍ଚ କରିବା ଜରୁରୀ ହୋଇ ପଡିଛି।