ଦିନେ ଦୁଇ ଦିନ ଭିତରେ ରାଜ୍ୟରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କ ଆରମ୍ଭ ହେବ ଟିକାକରଣ, ଗାଇଡ଼ଲାଇନ ଜାରି କଲା ସ୍ବାସ୍ଥ୍ୟ ବିଭାଗ

କେନ୍ୟୁଜ୍(ବ୍ୟୁରୋ):  ଦିନେ ଦୁଇ ଦିନ ଭିତରେ ରାଜ୍ୟରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କ ଟିକାକରଣ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଟିକାକରଣ ହେବ। ସକାଳ ୧୮ରୁ ୪୪ ଓ ଅପରାହ୍ନରେ ୪୫ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଟିକାକରଣ କରାଯିବ। ରାଜ୍ୟ ସରକାର ୧୮ରୁ ୪୪ ବର୍ଷ ବୟସବର୍ଗଙ୍କ ପାଇଁ ବରାଦ ଦେଇଥିବା କୋଭିସିଲ୍‌ଡର ୧ଲକ୍ଷ ଡୋଜ୍‌ ଭୁବନେଶ୍ୱରରେ ପହଞ୍ଚିଛି। ପୁଣେ ସ୍ଥିତ ସେରମ୍‌ ଇନ୍‌ଷ୍ଟିଚ୍ୟୁଟରୁ ଏହି ଟିକା ଓଡ଼ିଶା ଆସିଛି। ଫଳରେ ଦିନେ ଦୁଇ ଦିନ ଭିତରେ ରାଜ୍ୟରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କ ଟିକାକରଣ ଆରମ୍ଭ ହେବ। ତେବେ ସର୍ବପ୍ରଥମେ ସଂକ୍ରମଣ ହାର ଅଧିକ ଥିବା ୫ମହାନଗରକୁ ପ୍ରାଥମିକତା ଦିଆଯିବ। ଏପରି ସ୍ଥଳରେ ଘରୋଇ ଡାକ୍ତରଖାନାରେ ୧୮ରୁ ୪୪ ବର୍ଗର ହିତାଧିକାରୀଙ୍କ ଟିକାକରଣ ପାଇଁ ମାର୍ଗଦର୍ଶିକା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ, ମହାନଗର ନିଗମ କମିଶନରଙ୍କୁ ପତ୍ର ଲେଖିଛନ୍ତି। ସକାଳ ୮ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ୧୮ ବର୍ଷରୁ ଉର୍ଦ୍ଧ୍ୱ ଓ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୪୫ ବର୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଟିକା ଦିଆଯିବ। ୧୮ ବର୍ଷରୁ ଅଧିକ ବର୍ଗଙ୍କ ଟିକାକରଣ ପାଇଁ ଘରୋଇ ଡାକ୍ତରଖାନା ଗୁଡିକ ସରକାରୀ ଟିକାଦାନ କେନ୍ଦ୍ରର ସମ୍ପ୍ରସାରିତ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଘରୋଇ ସେସନ୍‌ ସାଇଟ୍‌କୁ ରାଜ୍ୟ ସରକାର ମାଗଣାରେ ଟିକା ଯୋଗାଇବେ ଏବଂ ହିତାଧିକାରୀ ସର୍ଭିସ୍‌ ଚାର୍ଜ ବାବଦରେ ମାତ୍ର ୧୦୦ଟଙ୍କା ଦେଇ ଟିକା ନେଇପାରିବେ।

ପ୍ରଥମ ଡୋଜ୍‌ ନେବାପରେ ହିତାଧିକାରୀଙ୍କୁ ଏକ କାର୍ଡ ଦିଆଯିବ ଏବଂ ଦ୍ୱିତୀୟ ଡୋଜ୍‌ ପାଇଁ ଆସିବା ସମୟରେ ଏହାକୁ ସାଙ୍ଗରେ ନେଇ ଆସିବେ। ୪୫ ବର୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ପାଇଁ କେନ୍ଦ୍ର ସରକାର ଦେଇଥିବା କୋଭିସିଲ୍‌ଡର ୧ଲକ୍ଷ ୬୯ହଜାର ୬୩୦ ଡୋଜ୍‌ ଓ କୋଭାକ୍‌ସିନ୍‌ର ୩ଲକ୍ଷ ୪୯ହଜାର ୯୮୦ ଡୋଜ୍‌ ଟିକା ଅଛି। ସେହିପରି ରାଜ୍ୟ ସରକାର କିଣିଥିବା କୋଭାକ୍‌ସିନ୍‌ର ୧ଲକ୍ଷ ୭ହଜାର ୩୫୦ ଓ କୋଭିସିଲ୍‌ଡର ୧ଲକ୍ଷ ଡୋଜ୍‌ ମହଜୁଦ୍‌ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.