ଭୂତଳ ଜଳକୁ ପ୍ରଦୂଷିତ କରୁଛି ଡମ୍ପିଂ ୟାର୍ଡ଼, ଅସ୍ୱାସ୍ଥ୍ୟକର ପରିବେଶରେ ନିଶ୍ୱାସ ନେଇ ପାରୁନାହାଁନ୍ତି ଲୋକେ

ପୁରୀ: କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଯୋଗୁଁ ଭୂତଳ ଜଳ ପ୍ରଦୂଷିତ ହୋଇଛି । ପୁରୀ ବଳିଆପଣ୍ଡାଠାରେ ଏକ ବିଶାଳ ଡମ୍ପିଂ ୟାର୍ଡ ରହିଛି । ପୁରୀ ସହରର ଅଧିକାଂଶ ସ୍ଥାନରୁ ଆସୁଥିବା ବର୍ଜ୍ୟବସ୍ତୁ ସେଠାରେ ପକାଯାଇଥାଏ । ସେଠାରୁ ବର୍ଜ୍ୟବସ୍ତୁ ମାଇକ୍ରୋ କେମ୍ପାଟିଂ ସେଣ୍ଟରକୁ ନିଆ ନଯାଇ ସେଠାରେ ହିଁ ପୋଡ଼ି ଦିଆଯାଉଛି । ଏହା ପ୍ରଭାବରେ ସ୍ଥାନୀୟ ଅଞ୍ଚଳର ଜଳ ଓ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି । ସେଠାକାର ଜନସାଧାରଣ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି । ବର୍ଜ୍ୟବସ୍ତୁ ପରିଚାଳନା ଠିକ୍ ଭାବେ ନ ହେବା ଓ ଆବଶ୍ୟକ ଡ୍ରେନେଜ୍ ବ୍ୟବସ୍ଥା ନ ରହିବା ଯୋଗୁଁ ସେହି ଅଞ୍ଚଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି ।

ଏନେଇ ଆବେଦନକାରୀ ଚିନ୍ମୟ ଦାଶ ଏହି ପ୍ରସଙ୍ଗ ନେଇ ଏନଜିଟିଙ୍କ ଦ୍ବାରସ୍ଥ ହୋଇଥିଲେ। ବଳିଆପଣ୍ଡା ଅଞ୍ଚଳରେ ଭୂତଳ ଜଳ ପ୍ରଦୂଷିତ ଘଟଣାରେ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ପକ୍ଷରୁ ଦିଆଯାଇଥିବା ପରାମର୍ଶ ଆଧାରରେ କି’ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସଂକ୍ରାନ୍ତରେ ଜବାବ ଦାଖଲ ଲାଗି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ପୁରୀ ପୌରପାଳିକାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସେହି ବଳିଆପଣ୍ଡା ଅଞ୍ଚଳରେ ଥିବା ବସ୍ତିବାସିନ୍ଦାଙ୍କ ଅନ୍ୟତ୍ର ଥଇଥାନ ପାଇଁ ପୁରୀ ତହସିଲଦାର କି ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସଂକ୍ରାନ୍ତରେ ମଧ୍ୟ ଜଣାଇବାକୁ ଏନଜିଟି କହିଛନ୍ତି । ପୁରୀର ଜଣେ ସମାଜସେବୀ ଚିନ୍ମୟ ଦାସଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି ପରିପ୍ରେକ୍ଷୀରେ ଏନଜିଟିର ବିଚାର ବିଭାଗୀୟ ସଦସ୍ୟ ବି. ଅମିତ୍ ଷ୍ଟେଲ୍କର୍ ଏବଂ ବିଶେଷଜ୍ଞ ସଦସ୍ୟ ଅରୁଣ କୁମାର ବର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏନଜିଟି ଏହି ମାମଲାର ଶୁଣାଣି କରି ଉକ୍ତ ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ଚାରି ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡକୁ ଜଳ ପରୀକ୍ଷା କରି ରିପୋର୍ଟ ଦେବାକୁ କୁହାଯାଇଥିଲା। କେନ୍ଦ୍ରୀୟ ଟିମ୍ ବଳିଆପଣ୍ଡା ଅଞ୍ଚଳର ୨୯ଟି ସ୍ଥାନରୁ ଭୂତଳ ଜଳ ପରୀକ୍ଷା ପାଇଁ ନେଇଥିଲେ। ଏହି ପାନୀୟ ଜଳ ବ୍ୟବହାର କରାଗଲେ ବିଭିନ୍ନ ପ୍ରକାର ରୋଗ ବ୍ୟାପି ବାର ଆଶଙ୍କା ରହିଥିବା ନେଇ ଭୂତଳ ଜଳ ବୋର୍ଡ ପକ୍ଷରୁ ଚେତାଇ ଦିଅଯାଇଥିଲା । ଏପରିକି ପୋଖରୀ ଓ ଅନ୍ୟାନ୍ୟ ଜଳରାଶି ମଧ୍ୟ ବହୁଳ ଭାବେ ପ୍ରଦୂଷିତ ହୋଇଥିବା ରିପୋର୍ଟରେ କୁହାଯାଇଥିଲା। ଏହି ଜଳ ସ୍ଥାନୀୟ ଲୋକଙ୍କ ପାଇଁ ଉପଯୋଗୀ ହୋଇନଥିବାରୁ ସେମାନଙ୍କ ଲାଗି ପାନୀୟ ଜଳର ବିକଳ୍ପ ବ୍ୟବସ୍ଥା କରିବା ଲାଗି ଭୂତଳ ଜଳ ବୋର୍ଡ ପରାମର୍ଶ ଦେଇଥିଲା ।

ବଳିଆପଣ୍ଡା ଡମ୍ପିଂ ସାଇଟ୍ ଆଖପାଖ ଅଞ୍ଚଳର ନଳକୂପ,ହ୍ୟାଣ୍ଡ୍ପମ୍ପ ଓ ଖୋଳା ଯାଇଥିବା କୂଅରୁ ସଂଗୃହୀତ ଭୂତଳ ଜଳ ନମୁନାରୁ ୧୬ଟି ଦୂଷିତ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୧୬ଟି ନମୁନାରେ ନାଇଟ୍ରେଟ୍ ବଳିଆପଣ୍ଡାରେ ଭୂତଳ ଜଳ ଦୂଷିତ ମାତ୍ରା ଅଧିକ ରହିଥିବାରୁ ଏହା ପ୍ରଦୂଷିତ ହୋଇଛି। ସେହିଭଳି ୭ଟି ନମୁନାରେ ପଲିନିଉକ୍ଲିଅର ଅରୋମାଟିକ ହେଇଡ୍ରୋକାର୍ବନସ (ପିଏଏଚ୍) ମାତ୍ରା ଅଧିକ ରହି ଭୂତଳ ଜଳର ବିଶୁଦ୍ଧତା ନଷ୍ଟ ହୋଇଛି । ଏହି ସବୁ ନମୁନା ସଂଗ୍ରହ କରାଯାଇଥିବା ସ୍ଥାନ ଡମିଂ ସାଇଟ ପାଖରେ ରହିଛି । ଡମ୍ପିଂ ସାଇଟ୍ର କଠିନ ସ୍ତର ଭେଦ କରି ଭୂତଳ ଜଳରେ ନାଇଟ୍ରେଟ୍ ଓ ପିଏଏଚ୍ ମିଶିଥିବା ସମ୍ଭାବନା ରହିଛି। ଫଳରେ ଡମିଂ ସାଇଟ୍ ନିକଟବର୍ତ୍ତୀ ଅଞ୍ଚଳରେ ଭୂତଳ ଜଳ ପ୍ରଦୂଷିତ ହୋଇଛି । ଡମ୍ପିଂ ସାଇଟ୍ରୁ ପ୍ରଦୂଷଣ କରୁଥିବା ପଦାର୍ଥ ଯେଭଳି ଭୂତଳ ଜଳରେ ନ ମିଶିବ ତାହା ସୁନିଶ୍ଚିତ କରିବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଡମ୍ପିଂ ସାଇଟ୍ ତଳେ ଓ ଚାରିକଡ଼େ ଅଭେଦ୍ୟ ସ୍ତର ନିର୍ମାଣ କରାଯିବା ଉଚିତ। ଯାହା ଦ୍ବାରା ଭୂତଳ ଜଳରେ ଡମ୍ପିଂ ସାଇଟରୁ ଦୂଷିତ ପଦାର୍ଥ ମିଶିବ ନାହିଁ ବୋଲି ବୋର୍ଡ ପକ୍ଷରୁ ପ୍ରଦାନ କରାଯାଇଥିବା ପରାମର୍ଶରେ ଉଲ୍ଲେଖ କରାଯାଇଛି ।

ଅନ୍ୟପକ୍ଷରେ ବଳିଆପଣ୍ଡା ତୟାର୍ଡ ଚାରିକଡେ ୯୯ ଲକ୍ଷ ୬୬ ହଜାର ୬୦୦ ଟଙ୍କା ବ୍ୟୟରେ ପାଚେରି ନିର୍ମାଣ ପାଇଁ ପୌରଯନ୍ତ୍ରୀ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି କାମ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି ବୋଲି ପୁରୀ ପୌରପାଳିକା ତରଫରୁ ଦାଖଲ ତଥ୍ୟରେ ଦର୍ଶାଯାଇଛି। କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ପରାମର୍ଶ କାର୍ଯ୍ୟକାରୀ ପ୍ରସଙ୍ଗରେ ଚାରି ସପ୍ତାହ ଭିତରେ ସାନି ସତ୍ୟପାଠ ଦାଖଲ କରିବାକୁ ପୁରୀ ପୌରପାଳିକାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି।

You might also like