ନର୍ସିଂ ଅଫିସରଙ୍କୁ ଆନ୍ଦୋଳନରୁ ଓହରିଯିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିବେଦନ, ଦାବି ପ୍ରତି ସରକାର ବିଚାର କରୁଛନ୍ତି

ଯାଜପୁର : ନର୍ସିଂ ଅଫିସରଙ୍କ ଦାବି ପ୍ରତି ସରକାର ସକାରାତ୍ମକ ବିଚାର କରୁଛନ୍ତି । ରାଜ୍ଯ ବ୍ୟାପୀ ନର୍ସିଂ ସଂଘର ଆନ୍ଦୋଳନ ଜାରି ରହିଥିବା ବେଳେ ଏଥିରୁ ଓହରିବାକୁ ନିବେଦନ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ନର୍ସିଂ ସଂଘର ଦାବି ଉପରେ ସରକାର ପଦକ୍ଷେପ ନେଉଛନ୍ତି । ପ୍ରଥମ ଦଫାରେ ୧୦୨୨ଜଣକୁ ପ୍ରମୋଶନ ଦେଇଛନ୍ତି । ସେମାନଙ୍କ ଦାବି ପ୍ରତି ସରକାର ସକାରାତ୍ମକ ବିଚାର କରୁଛନ୍ତି । ଏନେଇ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି । ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ ସେବା ଯେପରି ଆଉ ବାଧାପ୍ରାପ୍ତ ନହୁଏ ତାକୁ ଦୃଷ୍ଟିରେ ରଖି ଆନ୍ଦୋଳନରୁ ଓହରିଯିବାକୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ଯାଜପୁର ଜିଲ୍ଲା ଧର୍ମଶାଳାରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇ ସେ ଏହି ନିବେଦନ କରିଛନ୍ତି ।

ଅନ୍ୟପଟେ ଦ୍ବିତୀୟ ଦିନରେ ପହଞ୍ଚିଛି ନର୍ସିଂ ଅଫିସରଙ୍କ ସଂପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ । କୌଣସି ଜରୁରୀ ସେବାରେ ଯୋଗ ଦେଉନାହାନ୍ତି ନର୍ସିଂ ଅଫିସର । ଏସମା ଲାଗୁ ସତ୍ତ୍ବେ ନର୍ସିଂ ଅଫିସର ସଂଘ ଦାବି ପୂରଣ ନେଇ ନିଜ ଜିଦରେ ଅଟଳ ରହିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ଗଣମାଧ୍ୟମରେ ବିବୃତ୍ତି ନୁହେଁ ନର୍ସିଂ ଅଫିସରଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରନ୍ତୁ ବୋଲି ନର୍ସିଂ ଅଫିସର ସଙ୍ଘ ସଭାନେତ୍ରୀ ଶୁଚିସ୍ମିତା ଦାସ କହିଛନ୍ତି ।

ରାଜ୍ୟରେ ରୋଗୀ ସେବା ସଠିକ ଭାବେ ଚାଲିବା ସରକାରଙ୍କର ଉତ୍ତର ଦାୟିତ୍ବ । ନର୍ସିଂ ଅଫିସର ସଙ୍ଘ ଦେଇଥିବା ୧୦ ଦଫା ଦାବି ଯୁକ୍ତିଯୁକ୍ତ । ଏଥିରେ ରାଜ୍ୟର ୧୫ ହଜାର ନର୍ସିଂ ଅଫିସରଙ୍କ ସ୍ୱାର୍ଥ ନିହିତ ରହିଛି । ଅଧିକାଂଶ ଦାବିକୁ ସରକାର ଚାହିଁଲେ ଗୋଟିଏ ଘଣ୍ଟା ଭିତରେ ପୂରଣ କରି ପାରିବେ । ଏଥିରେ କୌଣସି ପଲିସି ନିଷ୍ପତ୍ତି ହେବାର ନଥିବା ବେଳେ ସରକାରଙ୍କ ଉପରେ ସେଭଳି ଆର୍ଥିକ ବୋଝ ପଡିବାର ମଧ୍ୟ ନାହିଁ । ତେଣୁ ସରକାର ଟାଳଟୁଳ ନୀତି ଅବଲମ୍ବନ ନ କରନ୍ତୁ ବୋଲି ନର୍ସିଂ ଅଫିସର ସଙ୍ଘ ଦାବି କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like