ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ,ଦୀର୍ଘ ସମୟ ଅସ୍ତ୍ରୋପଚାର ପରେ ସଫଳ ହେଲାନି ଡାକ୍ତରଙ୍କ ଉଦ୍ୟମ

କେନ୍ୟୁଜ(ବ୍ୟୁରୋ): ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ (୬୧)ର ଆଜି ପରଲୋକ ଘଟିଛି । ବ୍ରଜରାଜନଗରରେ ନିଜ ଝିଅ ଦୀପାଳି ଦାସଙ୍କ ଏକ କାର୍ଯ୍ୟକ୍ରମକୁ ଉଦଘାଟନ କରିବାକୁ ଯାଉଥିବା ବେଳେ ତାଙ୍କୁ ଗୁଳିମାଡ ହୋଇଥିଲା । ନବ ଦାସଙ୍କ ବାମ ଛାତିରେ ଗୁଳି ଲାଗିଥିଲା । ସଂଗେ ସଂଗେ ଚିକିତ୍ସା ପାଇଁ ତାଙ୍କୁ ଝାରସୁଗୁଡା ଜିଲ୍ଲା ହସପିଟାଲକୁ ନିଆଯାଇଥିଲା । ସ୍ଥିତି ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ହସପିଟାଲକୁ ଏୟାରଲିପ୍ଟ ଯୋଗେ ନିଆଯାଇଥିଲା ।

ଏୟାର ଲିପ୍ଟରେ ଆସିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଆପୋଲୋ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । ଏକ ସ୍ୱତନ୍ତ୍ର ଟିମ୍ ନବ ଦାସଙ୍କ ଅସ୍ତ୍ରୋପଚାର କରିଥିଲେ । ବିଶେଷଜ୍ଞ ଡାକ୍ତରୀ ଟିମ୍ ରେ କଟକ ଏସ୍ସିବି, କ୍ୟାପିଟାଲ ହସ୍ପିଟାଲ ଏବଂ ଆପୋଲୋର ସ୍ୱତନ୍ତ୍ର ଡାକ୍ତର ବିଶେଷଜ୍ଞ ନିୟୋଜିତ ହୋଇଥିଲେ । ସମସ୍ତ ଚେଷ୍ଟା ସତ୍ତ୍ୱେ ଡାକ୍ତର ତାଙ୍କୁ ବଞ୍ଚାଇ ପାରିନଥିଲେ ।   ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ବ୍ରଜରାଜନଗର ଏସଡିପିଓଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ଦାସଙ୍କୁ ଜଣେ ପୋଲିସ ଏଏସ୍‌ଆଇ ଗୋପାଳ ଦାସ ଅତି ନିକଟରୁ ୩ରୁ ୪ ରାଉଣ୍ଡ ଗୁଳି କରିଥିଲେ । ଗୁଳି ତାଙ୍କ ଛାତିରେ ବାଜିଥିଲା । ତେବେ ଗୁଳିକାଣ୍ଡର କାରଣ କ’ଣ ଜଣାପଡି ନାହିଁ । ପୋଲିସ ତାଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

ସେ ତାଙ୍କ ରାଜନୈତିକ କାରିଅର ଷ୍ଟୁଡେଣ୍ଟ ଫେଡେରସନ ଅଫ୍‌ ଇଣ୍ଡିଆରୁ (ଏସଏଫଆଇ) ରୁ ଆରମ୍ଭ କରିଥିଲେ । ପରେ ଝାରସୁଗୁଡା ବିଧାନସଭା ଆସନରୁ ରାଜନୈତିକ ଜୀବନ କଂଗ୍ରେସ ଦଳରୁ ଆରମ୍ଭ କରିଥିଲେ । ସେ ୨୦୦୯ ରୁ ୨୦୧୪ ଏବଂ ୨୦୧୪ ରୁ ୨୦୧୯ ଯାଏ କଂଗ୍ରେସରୁ ବିଧାୟକ ଥିଲେ । ଏହାପରେ ସେ କଂଗ୍ରେସ ଦଳ ଛାଡି ବିଜେଡିରେ ଜାନୁଆରୀ ୨୪ ରେ ଯୋଗ ଦେଇଥିଲେ ।

୨୦୧୯ ରେ ବିଜେଡି ଟିକେଟରେ ଝାରସୁଗୁଡାରୁ ବିଧାୟକ ଭାବେ ବିଜୟ ଲାଭ କରି ମନ୍ତ୍ରୀ ହୋଇଥିଲେ । ତାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ପଦ ମିଳିଥିଲା । କୋଭିଡ ସମୟରେ ସେ ଖୁବ ଦକ୍ଷତାର ସହ ସ୍ୱାସ୍ଥ୍ୟ ସେବା ପରିଚାଳନା କରିଥିଲେ । କଂଗ୍ରେସରେ ଥିବା ବେଳେ ମଧ୍ୟ ସେ ଜଣେ ଟାଣୁଆ ନେତା ଥିଲେ । ସେ ପିସିସି ସାଧାରଣ ସମ୍ପାଦକ ଓ ଏଆଇସିସି ସଦସ୍ୟ ଥିଲେ ।ଶ୍ରୀ ଦାସ ଆଇନ ବିଭାଗର ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଶ୍ରୀ ଦାସ ୭ ଜାନୁଆରୀ ୧୯୬୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.