ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ଆଜି କଟକ ବଡ଼ ମେଡିକାଲ ପରିଦର୍ଶନ କରିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ପ୍ରଥମେ ସର୍ଜରୀ ବିଭାଗ ବୁଲି ଦେଖିଥିଲେ। ରୋଗୀମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ।

ପରିଦର୍ଶନ କରିବା ପରେ ଅଧିକାରୀ ତଥା ଡ଼ାକ୍ତରୀ ସଂଘଗୁଡିକ ସହ ବୈଠକରେ ଆଲୋଚନା କରିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ। ସମସ୍ତଙ୍କୁ ଗୁଣାତ୍ମକ ଚିକିତ୍ସା ଯୋଗାଇଦେବା ସରକାରଙ୍କ ଲକ୍ଷ୍ୟ ବୋଲି କହିଥିଲେ। ଏସସିବି ସମ୍ପ୍ରସାରଣ ବା ଏମ୍ସ ପ୍ଲସ ପ୍ରକଳ୍ପ ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା ଚାଲିଛି। ଏହି ପ୍ରକଳ୍ପକୁ ଅନୁଧ୍ୟାନ କରାଯାଉଛି ।

ଖାଲି ପଡିଥିବା ଡାକ୍ତରୀ ପଦବୀ ଏବଂ ଦୀର୍ଘ ଦିନ ଧରି ଏସ ସି ବିରେ ଥିବା ଡାକ୍ତରମାନଙ୍କ ସମ୍ପର୍କରେ ଅନୁଧ୍ୟାନ କରୁଛୁ ବୋଲି କହିଛନ୍ତି। ଡିପଥେରିଆ ସଂପର୍କରେ ରାୟଗଡା ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ ରହିଛି । ସେହିପରି ସମ୍ବଲପୁର ଜିଲ୍ଲାରେ ଜଣ୍ଡିସ ସ୍ଥିତି ଉପରେ ସରକାରଙ୍କର ସତର୍କ ଦୃଷ୍ଟି ରଖିଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।