ଶ୍ରୀମନ୍ଦିର ସହ ରାଜ୍ୟର ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଖୋଲିବା ମାମଲା: ନଭେମ୍ବର ପ୍ରଥମ ସପ୍ତାହରେ ହେବ ଶୁଣାଣି

ପୁରୀ(କେନ୍ୟୁଜ୍‌): ଶ୍ରୀମନ୍ଦିର ସହ ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବା ପାଇଁ ଆଗତ ମାମଲାର ଶୁଣାଣି ସୁପ୍ରିମକୋର୍ଟଙ୍କ ନିକଟରେ ଥିବା ଗୀତାର୍ଥ ଗଙ୍ଗା ଟ୍ରଷ୍ଟ ମାମଲାର ଶୁଣାଣି ପରେ କରାଯିବ। ଆଜିର ଶୁଣାଣି ସମୟରେ ସୁପ୍ରିମକୋର୍ଟଙ୍କ ସେହି ମାମଲାର ନିର୍ଦ୍ଦେଶ ନାମା ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି ଅଦାଲତ। ସୁପ୍ରିମକୋର୍ଟଙ୍କ ନିକଟରେ ବିଚରାଧୀନ ଥିବା ସେହି ମାମଲାରେ ଓଡ଼ିଶା ସରକାର ମଧ୍ୟ ପକ୍ଷଭୁକ୍ତ ଅଛନ୍ତି। ନଭେମ୍ବର ପ୍ରଥମ ସପ୍ତାହରେ ହାଇକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି। ସେପ୍ଟେମ୍ବର ୨୮ ତାରିଖରେ ଏ ସଂକ୍ରାନ୍ତରେ ଜବାବ ଦାଖଲ କରିଥିଲେ ରାଜ୍ୟ ସରକାର।

ରାଜ୍ୟର ମନ୍ଦିରମାନଙ୍କରେ ଗର୍ଭ ଗୃହ ସଙ୍କୁଚିତ ହୋଇଥିବାରୁ ମନ୍ଦିର ଖୋଲା ଗଲେ କରୋନା ବ୍ୟାପିବାର ଆଶଙ୍କା ରହିଥିବା ଏଥିରେ ଦର୍ଶାଯାଇଥିଲା। ଏହା ସହ ପ୍ରତି ପଞ୍ଚାୟତ ଓ ଗାଁରେ ଧର୍ମାନୁଷ୍ଠାନ ଥିବା ବେଳେ ସେସମସ୍ତ ସ୍ଥାନରେ ପୋଲିସ ସେବା ଯୋଗାଇଦେବା ସରକାରଙ୍କ ପକ୍ଷରୁ ସମ୍ଭବ ନୁହେଁ ବୋଲି ସତ୍ୟପାଠରେ ଉଲ୍ଲେଖ ରହିଥିଲା। ଏହାସହ ସୁପ୍ରିମକୋର୍ଟରେ ଗୀତାର୍ଥ ଗଙ୍ଗା ଟ୍ରଷ୍ଟ ମାମଲା ବିଚାରଧୀନ ଥିବାରୁ ସେ ମାମଲାର ଶୁଣାଣିକୁ ମାନ୍ୟବର ହାଇକୋର୍ଟ ଅପେକ୍ଷା କରିବାକୁ ଅନୁରୋଧ କରିଥିଲେ ରାଜ୍ୟ ସରକାର।

ଏସବୁ ମଧ୍ୟରେ ଜିଲ୍ଲାପାଳଙ୍କୁ ବିଭିନ୍ନ ମନ୍ଦିର ଖୋଲିବା ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ପୂର୍ବରୁ ଜୟନ୍ତ ବଳଙ୍କ ପକ୍ଷରୁ ଆଗତ ଏକ ମାମଲା ରେ ରାଜ୍ୟ ସରକାର ମନ୍ଦିର ଖୋଲିବା ନିଷ୍ପତ୍ତି ନେବେ ବୋଲି ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଅଗଷ୍ଟ ୧୦ ତାରିଖରେ ଏହି ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଦୀର୍ଘ ଦିନ ପରେ ସରକାର କୌଣସି ନିଷ୍ପତ୍ତି ନେଇ ନଥିବାରୁ ଏ ସମ୍ପର୍କରେ ଏକ ରିଟ ପିଟିସନ ଦାଖଲ କରିଥିଲେ ଜୟନ୍ତ ବଳ। ଦାଖଲ ହୋଇଥିବା ଏହି ପିଟିସନରେ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସରକାର ଧର୍ମାନୁଷ୍ଠାନ ଖୋଲିବାର ନିଷ୍ପତ୍ତି ନେବାକୁ ଆବେଦନ କରାଯାଇଛି।

Leave A Reply

Your email address will not be published.