ଯାଜପୁରରେ ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି, ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ

ଯାଜପୁର: ଗ୍ରୀଷ୍ମ ଆରମ୍ଭରୁ ହିଁ ଦିନକୁ ଦିନ ବଢିବାରେ ଲାଗିଛି ଖରାର ତାତି । ପ୍ରତିଦିନ ପାରଦ ବଢିବାରେ ଲାଗିଛି । ମଧ୍ୟାହ୍ନ ସମୟରେ ବଜାର ଘାଟ ଶୂନଶାନ ହୋଇଯାଉଛି । ଫଳରେ ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି । ଗ୍ରୀଷ୍ମ ଆରମ୍ବରୁ ଯାଜପୁରରେ ପ୍ରବଳ ଖରା ପାଇଁ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ । ସକାଳ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇଯାଉଛି । ଗୁଳୁଗୁଳି ଓ ଖରା ସତ୍ୱେ ଅତ୍ୟବଶ୍ୟକ କାମ ପାଇଁ ଲୋକେ ପଦାକୁ ଗୋଡ କାଢ଼ୁଛନ୍ତି ।

ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଯନ୍ତ୍ରଣାକୁ ଦ୍ୱିଗୁଣିତ କରିଦେଇଛି । ଘରୁ ପଦାକୁ ବାହାରିବାକୁ ହେଲେ ଲୋକେ ଛତା ଓ ଗାମୁଛାର ସାହାଯ୍ୟ ନେଉଛନ୍ତି । ଗତ କିଛି ଦିନ ହେଲା ଜିଲ୍ଲାରେ ପାରଦ ୪୦ ଡିଗ୍ରି ଉପରେ ରହୁଛି । ସେଥିପାଇଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଜିଲ୍ଲାରେ ଜଳଛତ୍ର ଖୋଲା ଯାଇ ନଥିବାରୁ ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ଲୋକେ ପଇଡ ଦୋକାନ ଓ ଆଖୁରସ ଦୋକାନରେ ଭିଡ ଜମାଉଛନ୍ତି ।

ପ୍ରତିବର୍ଷ ଖରାଦିନ ପୂର୍ବରୁ ବିଭିନ୍ନ ଛକ ବଜାରରେ ଜଳଛତ୍ର ଖୋଲାଯାଇଥାଏ । କିନ୍ତୁ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଜଳଛତ୍ର ଖୋଲା ଯାଇନାହିଁ । ଏପରକି କୌଣସି ଜାଗାରେ ବିଶ୍ରାମଗାର ନଥିବାରୁ ଖରାରୁ ତ୍ରାହି ପାଇବା ପାଇଁ ଲୋକେ ଏଣେ ତେଣେ ବସୁଛନ୍ତି । ଯାଜପୁର ପାଖ ପଡୋଶୀ ଜିଲ୍ଲା ଭଦ୍ରକ ଓ କେନ୍ଦ୍ରାପଡାର କିଛି ଲୋକେ ଯାଜପୁର ମେଡିକାଲ ଉପରେ ନିର୍ଭର କରୁଥିବା ବେଳେ ସେଠାରେ ମଧ୍ୟ ବିଶ୍ରାମଗାର ନଥିବା କାରଣରୁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି ।

ଗାଈଗୋରୁ ମାନେ ପାଣି ପାଇଁ ସମସ୍ୟା ଭୋଗୁଛନ୍ତି । ପ୍ରବଳ ଖରା ଓ ଗରମ ଯୋଗୁଁ ଅଂଶୁଘାତର ଆଶଙ୍କା ରହିଛି । ଅନ୍ୟପଟେ ସମ୍ଭାବ୍ୟ ଅଂଶୁଘାତ ଭଳି ପ୍ରାକୃତିକ ବିପର୍ୟ୍ୟୟର ମୁକାବିଲା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ଯାଜପୁର ସିଡିଏମଓ ସୂଚନା ଦେଇଛନ୍ତି । ଯାଜପୁରରେ ଜାରି ରହିଛି ଗ୍ରୀଷ୍ମଲହରୀ ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

Also read: କାଳବୈଶାଖୀ ପରେ ପୁଣି ବଢିବ ତାତି, ୨୯ରୁ ହିଟୱେଭ୍ ଆଶଙ୍କା