ପ୍ରଚଣ୍ଡ ଗରମରୁ ମିଳିବନି ନିସ୍ତାର: ଆଜି ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଜଳୁଛି ପଶ୍ଚିମ ଓଡ଼ିଶା । ଆହୁରି ୨ ଦିନ କଲବଲ କରିବ ତାତି । ପ୍ରଚଣ୍ଡ ଗରମରୁ ମିଳିବନି ନିସ୍ତାର । ଆଜି ବୌଦ୍ଧ ଓ ଝାରସୁଗୁଡ଼ାର କିଛି ସ୍ଥାନରେ ହିଟ୍ ୱେଭ ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ୪ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ମୁଖ୍ୟତଃ ପଶ୍ଚିମ ଓଡ଼ିଶାରେ ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେବ । ସେହିପରି ବଲାଙ୍ଗିର, ସୁନ୍ଦରଗଡ, କଳାହାଣ୍ଡି ଓ ଅନୁଗୁଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ରାଜ୍ୟରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏହାପରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବ । ବଦଳିବ ପାଣିପାଗର ମିଜାଜ ।
ଅନ୍ୟପଟେ ଗତକାଲି ଦେଶର ସବୁଠୁ ଉତ୍ତପ୍ତ ସହର ଥିଲା ବୌଦ୍ଧ ଜିଲ୍ଲା । ୪୩ ଦଶମିକ ୫ ଡିଗ୍ରୀ ଛୁଇଁଥିଲା ପାରଦ । ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ଲୋକ । ସକାଳ ୯ଟା ପରେ ଘରୁ ବାହାରକୁ ବାହାରିବା ମୁସକିଲ୍ ହୋଇପଡୁଛି । ସେହିପରି ବରଗଡ଼ରେ ୪୨, ଅନୁଗୁଳରେ ୪୦.୭, ଟିଟିଲାଗଡ଼-୪୦.୫ ଓ ମାଲକାନଗିରିରେ ୪୦.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।
ଏହାରି ଭିତରେ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । ୧୯ରୁ ୨୨ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବ । ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟକୁ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବ। ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି କଳାବୈଶାଖୀ ସୃଷ୍ଟି ହେବା ସମ୍ଭାବନା ରହିଛି। କାଳବୈଶାଖୀର ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ପବନର ବେଗ ମଧ୍ୟ ଅଧିକ ରହିବ । ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ଝଟକା ପବନର ବେଗ ୭୦ କିମି ରହିବା ଆକଳନ କରାଯାଇଛି। କାଳବୈଶାଖୀ ବେଳେ କିଛି ଅଞ୍ଚଳରେ କୁଆପଥର ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ଆହୁରି ପଢ଼ନ୍ତୁ : ଆଜି ବି ବୌଦ୍ଧ ସବୁଠୁ ଉତ୍ତପ୍ତ ସହର, ୪୩ ଦଶମିକ ୫ ଡିଗ୍ରୀ ଛୁଇଁଲା ପାରଦ